ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଅନନ୍ତ ଶ୍ରୀକ୍ଷେତ୍ର, ଦଶପୁର ଗ୍ରାମଠାରେ ଶ୍ରୀଜଗନ୍ନାଥ ମନ୍ଦିର ଓ ଶ୍ରୀଜୀଉଙ୍କ ପ୍ରତିଷ୍ଠା ଉତ୍ସବ କୋଭିଡ-୧୯ ଗାଇଡ଼ଲାଇନ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । କଟକର ବିଶିଷ୍ଟ ଆଧ୍ୟାତ୍ମିକ ପ୍ରବଚନ ଆଶୀର୍ବାଦ ଜୀ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ,ଦଶପୁର ଅନନ୍ତ ଶ୍ରୀକ୍ଷେତ୍ର ଟ୍ରଷ୍ଟ ଓ ଗ୍ରାମବାସୀଙ୍କ ସହଯୋଗରେ ଅନନ୍ତ ଶ୍ରୀକ୍ଷେତ୍ରରେ ଗତ ସୋମବାର ଦିନଠାରୁ ଶ୍ରୀଜୀଉଙ୍କ ଭବ୍ୟ ମନ୍ଦିରର ପ୍ରତିଷ୍ଠା ପ୍ରକ୍ରିୟା ଶେଷ ହୋଇଛି । ଆଜି ଶ୍ରୀଜୀଉଙ୍କୁ ଜୀବନ୍ୟାସ ପରେ ମନ୍ଦିର ମଧ୍ୟରେ ସ୍ଥାପନା କରାଯାଇଥିଲା । କଟକ ଓ ପୁରୀରୁ ଆସିଥିବା ବୈଦିକ ବ୍ରାହ୍ମଣମଣ୍ଡଳୀ ଦ୍ୱାରା ଅଙ୍କୁରାରୋପଣ ଓ ମଣ୍ଡଳାଦିକରଣ,କଳସ ଯାତ୍ରା, ମଣ୍ଡପ ପୂଜା, ବିଗ୍ରହଙ୍କ ଧ୍ୟାନାଗାରରେ ପ୍ରବେଶ,ବିଗ୍ରହଙ୍କ ମହାସ୍ନାନ ଓ ଶୟନ, ଶ୍ରୀଜୀଉଙ୍କୁ ଜୀବନ୍ୟାସ ଓ ମନ୍ଦିର ମଧ୍ୟରେ ପ୍ରବେଶ କରାଇବା ସହ ଶ୍ରୀଜୀଉଙ୍କ ଯଥା ନୀତି କାନ୍ତି ଓ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନା ହୋଇଥିଲା । ଅନନ୍ତ ଶ୍ରୀକ୍ଷେତ୍ର ଟ୍ରଷ୍ଟର ସଭାପତି ବଜରଙ୍ଗ ଅଗ୍ରୱାଲ, ସମ୍ପାଦକ ସୁଶୀଲ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ଦୁବର୍ଣ ମେହେର,ଉପସଭାପତି ଦୁର୍ଗେଶ୍ୱର ସାହୁ,ସଦସ୍ୟ ରାଧାମୋହନ ମେହେର, ରାଜୁ ସାହୁ ଓ ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀଙ୍କ ଉଦ୍ୟମ କ୍ରମେ ଦଶପୁର ଅନନ୍ତ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯାଇଛି । ଅନନ୍ତ ଶ୍ରୀକ୍ଷେତ୍ରକୁ ନେଇ ଏବେ ଅଂଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।