ଏମଏସଏମଇ ପାର୍କ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ବେଳେ ଉତେଜନା

-୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ, ୫ ଅଟକ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ପାନପୋଷ ଉପଖଣ୍ଡ ଅନ୍ତର୍ଗତ ରିଓ ଗାଁ ପାଖରେ ଏମଏସଏମଇ ପାର୍କ ନିର୍ମାଣ ପାଇଁ ଆଜି ଜମି ଅଧିଗ୍ରହଣ ବେଳେ ସେଠାରେ ଉତେଜନା ପ୍ରକାଶ ପାଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଘଟଣାରେ ପୋଲିସ ୫ ଜଣଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଛି । ପାର୍କ ପାଇଁ ଜମି ଅଧିଗ୍ରହଣକୁ ବିରୋଧ କରୁଛନ୍ତି ରିଓ ଓ ପାଖ ଗାଁର ଲୋକେ ।

ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୩ ଦିନ ତଳେ ରାଉରକେଲାରେ ଏକ ବସଷ୍ଟାଣ୍ଡ ନିର୍ମାଣକୁ ନେଇ ଚିହ୍ନଟ ହୋଇଥିବା ଜାଗାରେ ମହାନଗର ନିଗମ କାମ ଆରମ୍ଭ କରିଥିବା ବେଳେ ତାକୁ ମଧ୍ୟ ଆଦିବାସୀ ମାନେ ବିରୋଧ କରି କାମକୁ ବନ୍ଦ କରିଛନ୍ତି । ଏହିଭଳି ଅନେକ ପ୍ରକଳ୍ପକୁ ସ୍ଥାନୀୟ ବାସିନ୍ଦା ବନ୍ଦ କରିବାକୁ ଲାଗିଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ ଦାବି କ୍ରମେ ଜାତୀୟ ଆଦିବାସୀ କମିଶନ ବାସଚ୍ୟୁତ ମାନଙ୍କ ଜାଗାରେ କୌଣସି ପ୍ରକଳ୍ପ ନକରିବା ପାଇଁ ସରକାରଙ୍କୁ ଅତୀତରେ ତାଗିଦ୍ କରିବା ସତ୍ୱେ ସେମାନଙ୍କ ସହିତ ବୁଝାମଣା କରାନଯାଇ ଏଭଳି ପ୍ରକଳ୍ପ ଗୁଡିକୁ ରାତିଅଧିଆ ଆରମ୍ଭ କରାଯାଉଥିବାରୁ ସମସ୍ୟା ମାନ ସୃଷ୍ଟି ହେଉଥିବା ନେଇ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।