କରୋନା ନେଇ ସାମାଜିକ ଗଣମାଧ୍ୟମରେ ମିଥ୍ୟା ପ୍ରଚାର କଲେ କାର୍ଯ୍ୟାନୁଷ୍ଠାନ ହେବ – ଜିଲ୍ଲାପାଳ

ଗଞ୍ଜାମ : କରୋନା ନେଇ ସାମାଜିକ ଗଣମାଧ୍ୟମରେ ମିଥ୍ୟା ପ୍ରଚାର କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ତାଗିଦ୍ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ କରୋନା ମହାମାରୀକୁ ନେଇ କୌଣସି ମିଥ୍ୟା ଭିଡ଼ିଓ କିମ୍ବା ମେସେଜ୍ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ତାଗିଦ୍ କରିଛନ୍ତି । ଅକ୍ସିଜେନ ଦେବା ନିଷ୍ପତି ଡ଼ାକ୍ତର ମାନଙ୍କର । କାହାକୁ ଦିଆଯିବ ବା କାହାକୁ ଦିଆଯିବାର ଆବଶ୍ୟକତା ନାହିଁ ତାର ବିଚାର ଡ଼ାକ୍ତର କରିବେ । ଡ଼ାକ୍ତରଙ୍କ ଉପରେ ଏନେଇ ଅଯଥା ଚାପ ନପକାଇବାକୁ ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନଙ୍କୁ ଜିଲ୍ଲାପାଳ ନିବେଦନ କରିଛନ୍ତି । ଜିଲ୍ଲାରେ ଅକ୍ସିଜେନର ଅଭାବ ନାହିଁ ଗତ କିଛି ଦିନ ତଳେ ଅକ୍ସିଜେନ ଅଭାବ ନେଇ ଜଣେ ବ୍ୟକ୍ତି ଏମକେସିଜି ମେଡିକାଲର ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିଥିଲେ । କିନ୍ତୁ, ଜିଲ୍ଲାପାଳ ନିଜେ ଏ ସମ୍ପର୍କରେ ଅନୁଧ୍ୟାନ କରିବା ପରେ ଘଟଣା ମିଥ୍ୟା ବୋଲି ଜାଣିବାକୁ ପାଇଥିଲେ ଏବଂ ଏନେଇ ଏପରି ବିବୃତି ରଖିଥିଲେ ।