ମଣ୍ଡିରୁ ଧାନ ଉଠାଣ ଦାବୀ ନେଇ ଚାଷୀଙ୍କ ରାଜରାସ୍ତାକୁ ଅବରୋଧ

ଗୋଳାମୁଣ୍ଡା :  ଚାଷୀ ହସିଲେ ଦେଶ ହସିବ ସତେ ଯେମିତି ଏହି ଉକ୍ତିଟି କେବଳ ଉକ୍ତିରେ ରହି ଯାଇଛି । ନିଜର ହକ ପାଇଁ ଚାଷୀ କେତେବେଳେ ହାଡ଼ ଭଙ୍ଗା ଶୀତରେ ଶୋଇଛି ତ କେତେବେଳେ ରାଜ ରାସ୍ତାକୁ ଓହ୍ଲାଇଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଆଜି ଗୋଳାମୁଣ୍ଡା ବ୍ଲକ ଅଧିନସ୍ଥ ତୁମୁରା ମଣ୍ଡି ନିକଟରେ । ବ୍ଲକର ଅନେକ ଚାଷୀ ନିଜର ଧାନ ବିକ୍ରି କରି ନପାରି ରାଜ ରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ସିନାପାଲି – ଗୋଳାମୁଣ୍ଡା ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏହି ରାସ୍ତା କଳାହାଣ୍ଡି ଓ ନୁଆପଡା ଜିଲ୍ଲାକୁ ଯୋଡୁ ଥିବାରୁ ଯାନବାହାନ ବାଧାପ୍ରାପ୍ତ ହେବା ଫଳରେ ଶହ ଶହ ଲୋକ ଅସୁବିଧାର ସମ୍ମୁଖୀନ ହୋଇଥିବାର ଦେଖିବାକୁ ମିଳିଛି । ଚାଷୀଙ୍କ ଅଭିଯୋଗ ଅଭିଯୋଗ ଅନୁଯାୟୀ ଧାନବିକ୍ରି ପାଇଁ ଟୋକାନ ପାଇ ମଧ୍ୟ ଧାନ ବିକ୍ରି କରି ପାରିନାହାନ୍ତି ଅନେକ ଚାଷୀ । ପ୍ରଶାସନ ନିକଟରେ ଅନେକ ହାରି ଗୁହାରି କରିବା ସତ୍ୱେ ଚାଷୀଙ୍କର ସମସ୍ୟାର ସମାଧାନ ହୋଇପାରୁନାହିଁ ।ମଣ୍ଡିରେ ପଡି ରହିଛି ଶହ ଶହ କୁଇଣ୍ଟାଲ ଧାନ । ନିଜ କଷ୍ଟ ଉପାର୍ଜିତ ଧାନକୁ ବିକ୍ରି କରିବାପାଇଁ ଆଣି ଶୀତ କାକରରେ ମଣ୍ଡିରେ ଚାଷୀଙ୍କ ଶୋଇ ଶୋଇ ଦିନ ଯାଉଛି । ଯଥାଶୀଘ୍ର ପ୍ରଶାସନ ତରଫରୁ ଚାଷୀଙ୍କ ସମସ୍ୟାର ସମାଧାନ କରାଗଲେ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ଚାଷୀ ମାନେ ଚେତାବନୀ ଦେଇଛନ୍ତି ।