ପ୍ରଶାସନର ଧମକକୁ ଚାଷୀ ମାନିବାକୁ ବାଧ୍ୟ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମଣ୍ଡି ମାନଙ୍କରେ ହଜାର ହଜାର କୁଇଣ୍ଟାଲ ଧାନ ପଡ଼ି ରହିଛି । ଧାନ ଉଠାଣରେ ମନ୍ଥରତା ନେଇ ଗତ କିଛିଦିନ ତଳେ ଜିଲ୍ଲା ପ୍ରଶାସନ କିଛି ମର୍ସଲଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । ଏହାପରେ ଧାନ ଉଠାଣରେ ସୁଧାର ଆସିବ ବୋଲି ଚାଷୀ ଆଶା କରୁଥିଲେ । କିନ୍ତୁ ନୋଟିସ ପାଇବା ପରେ ବି ମିଲର୍ସ ମାନେ ଏହାକୁ ଭ୍ରୁପେକ୍ଷ କରିନଥିଲେ । ଏବେ ବି ମଣ୍ଡିରେ ଅଚଳାବସ୍ଥା ଜାରି ରହିଛି । ଅପରପକ୍ଷେ ଜିଲ୍ଲା ପ୍ରଶାସନ ମିଲର୍ସ ମାନଙ୍କୁ ତାଗିଦ କରିବା ବଦଳରେ ଚାଷୀମାନଙ୍କୁ ଧମକ ଦେଇ ମଣ୍ଡିରେ ନୋଟିସ ମରିଛି । ଧାନ କ୍ରୟ ଅଧିକାରୀଙ୍କ ବିନା ଅନୁମତିରେ ମଣ୍ଡିକୁ ଧାନ ଆଣିଲେ ସମ୍ପୃକ୍ତ ଚାଷୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବ ବୋଲି ନୋଟିସରେ ଦର୍ଶାଯାଇଛି । ସେହିପରି ମିଲର୍ସ ତରଫରୁ ଧାନ ଉଠାଣ ପ୍ରକ୍ରିୟା ତ୍ୱରାନ୍ୱିତ ନ ହେବାରୁ ଷ୍ଟକ ଥିବା ନେଇ ପାର୍ଲା ମଣ୍ଡିରେ କ୍ରୟ ସଂସ୍ଥା ଜଗନ୍ନାଥ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ନୋଟିସ ମରାଯାଇଛି । ଷ୍ଟକ ନ ଉଠିବା ଯାଏଁ ଧାନ ନ ଆଣିବାକୁ ଚାଷୀଙ୍କୁ ତାଗିଦ କରିବା ସହ ବିନା ଅନୁମତିରେ ଧାନ ନ ଆଣିବାକୁ ଚାଷୀଙ୍କୁ ତାଗିଦ କରିବା ସହ ବିନା ଅନୁମତିରେ ଧାନ ଆଣିଲେ ମଣ୍ଡି ଏଣ୍ଟ୍ରି କରାଯିବ ନାହିଁ ବୋଲି ମଣ୍ଡିରେ ନୋଟିସ ଦିଆଯାଇଛି । ପେକ୍ସ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ଏଭଳି ନୋଟିସ ଚାଷୀଙ୍କ ପାଇଁ ଦ୍ଵନ୍ଦତ୍ମକ ପରିସ୍ଥିତି ସୃଷ୍ଟି କରିଛି ।

ଏପଟେ ମାସ ମାସ ଧରି ମଣ୍ଡି ଏଣ୍ଟ୍ରି ପରେ ବି ଧାନ ଉଠୁନି । କେନ୍ଦ୍ରୀୟ ଢାଞ୍ଚାରେ ଟୋକାନ ଜେନେରେଟ ହେଉଥିବା ଏକକାଳୀନ ଟୋକାନ ବାହାରିବା ଫଳରେ ଚାଷୀ ମଣ୍ଡିରେ ଧାନ ନେଇ ଜମା କରୁଛି କିନ୍ତୁ ଧାନ ଉଠିବାର ନାମ ନେଉନି । ମିଲର୍ସ ଗାଡି ପଠାଉ ନ ଥିବାରୁ ପ୍ୟାକ୍ସ ଓ ସ୍ୱୟଂ ସହାୟକ ଗୋଷ୍ଠୀ ଧାନ ଉଠାଇବା ନେଇ ନିଜ ଅସହାୟତା ପ୍ରକାଶ କରୁଛନ୍ତି । ମାସ ମାସ ଧରି ଚାଷୀ ଶୀତ କାକରରେ ବସି ଜଗିରହୁଛି ସିନା ଧାନ ଉଠୁନି । ଅବଧି ସରିଲେ ଟୋକନ ଉଡିଯାଉଛି । ବିଳମ୍ବ ଯେତେ ହେଉଛି ଚାଷୀ ସେତେ ଅଧିକ ଶୋଷଣର ଶିକାର ହେଉଛନ୍ତି । ମଣ୍ଡି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ମିଲର୍ସ କବଜାରେ ରହିଛି । ଜିଲ୍ଳାର ଅନେକ ମଣ୍ଡି ଖୋଲା ଆକାଶ ତଳେ ଥିବାବେଳେ ଧାନ ଉଠାଣରେ ମିଲର୍ସଙ୍କ ଅସହଯୋଗ ଚାଷୀଙ୍କ ପାଇଁ କାଳ ସାଜିଛି । ଜିଲ୍ଲାରେ ୪୦ଲକ୍ଷ ୨୬ ହଜାର କୁଇଣ୍ଟାଲ ଧାନ ଟାର୍ଗେଟ ଥିବାବେଳେ ଖବର ଲେଖିବା ପର୍ଯ୍ୟନ୍ତ ୩୫ଲକ୍ଷ ୯୩ହଜାର ୫୨୭ .୮୩ କୁଇଣ୍ଟାଲ ଧାନ ଉଠଣ ହୋଇଛି । ଜିଲ୍ଲାରେ ମୋଟ ଚାଷୀ ସଂଖ୍ୟା ୮୩୪୫୦ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୫୨୯୫୭ ଜଣ ଚାଷୀ ଧାନବିକ୍ରି କରିଛନ୍ତି । ଏପରି ସ୍ଥଳେ ଧାନ ଉଠାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ବଦଳରେ ଚାଷୀ ଙ୍କୁ ଧମକ ଦେବା ଚାଷୀ ପାଇଁ ଚିନ୍ତାର କାରଣ ସାଜିଛି । ଏପଟେ ଅପରାଧିକ ମାମଲା ଭୟ ସେପଟେ ଟୋକାନ ଉଡିଯିବା ସହ ସ୍ଥାନଭାଵ ଚାଷୀ ପାଇଁ ମୁଣ୍ଡବିନ୍ଧା ସାଜିଛି ।