ସେରମ୍‌ରେ ନିଆଁ: ୫ ମୃତ

-ଶୋକପ୍ରକାଶ କଲେ ମୋଦି ଓ ନବୀନ

ପୁଣେ: କରୋନା ଟିକା ପ୍ରସ୍ତୁତ କରୁଥିବା ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ବିଲ୍ଡିଂ ଅଗ୍ନିକାଣ୍ଡ ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ବିଲଡିଂ ମଧ୍ୟରୁ ଅନ୍ୟ ୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ଏବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଅନ୍ୟପକ୍ଷରେ ସେରମରେ ନିଆଁ ଲାଗିଥିଲେ ହେଁ ଏହା ମଧ୍ୟରେ ଥିବା ଟିକା ଉତ୍ପାଦନ ୟୁନିଟି ଓ ଟିକା ସଂରକ୍ଷଣ ୟୁନିଟି ସଂପୂର୍ଣ୍ଣ ସୁରକ୍ଷିତ ରହିଥିବା ଜଣାପଡ଼ିଛି । ଆଜି ଅପରାହ୍ନ ୨.୪୫ରେ ହଠାତ୍ ସେରମ ଇନଷ୍ଟିଚ୍ୟୁଟର ମଞ୍ଜରୀ ଅଞ୍ଚଳରେ ଥିବା ଟର୍ମିନାଲ-୧ର ଗେଟ୍ ନିକଟରେ ଭୟଙ୍କର ନିଆଁ ଲାଗି ଯାଇଥିଲା । ଏଠାରେ ଥିବା ସେରମର ନୂଆ ବିଲଡିଂରେ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ନିଆଁକୁ ଆୟତ୍ତ କରିବା ପାଇଁ ବର୍ତ୍ତମାନ ସୁଦ୍ଧ ୧୨ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି । ଗୋଟିଏ ଏନଡିଆରଏଫ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନିଆଁ ମଧ୍ୟରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ସନ୍ଧ୍ୟା ୬ଟା ଯାଏ ଅଗ୍ନିକାଣ୍ଡରେ କେହି ପ୍ରାଣ ହରାଇ ନଥିବା ପୁଲିସ୍ ପ୍ରଶାସନ କହୁଥିଲା । କିନ୍ତୁ ଏବେ ହଠାତ୍ ୫ ଜଣଙ୍କ ମୃତଦେହ ବିଲଡିଂ ମଧ୍ୟରୁ ଉଦ୍ଧାର କରାଯାଇଛି । ପୁଣେ ମେୟର ମୁରଲୀଧର କହିଛନ୍ତି, ସେରମ ବିଲଡିଂ ମଧ୍ୟରୁ ୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଆମ ଯବାନ ଏହାକୁ ଉଦ୍ଧାର କରିଛନ୍ତି ।

ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ । କିନ୍ତୁ ସଟସର୍କିଟ ଯୋଗୁ ଏଭଳି ଘଟିଥିବା ଆଶଙ୍କା କରାଯାଉଥିବା ସେ ସୂଚନା ଦେଇଛନ୍ତି । ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ମୁଖ୍ୟ ଆଦର ପୁନାୱାଲା ମଧ୍ୟ ମୃତାହତ ଘଟଣାରେ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି କୋଭିସିଲ୍ଡ ଟିକା ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ ।

ପୂର୍ବଭଳି ଟିକା ଉତ୍ପାଦନ କାର୍ଯ୍ୟ ବ୍ୟାହତ ରହିଛି । କାରଣ ସେରମ ପକ୍ଷରୁ ତିଆରି କରାଯାଉଥିବା ନୂଆ ବିଲଡିଂରେ ହିଁ ଏହି ଅଗ୍ନିକାଣ୍ଡ ଘଟିଛି । ପୂର୍ବରୁ ମୃତାହତ ସମ୍ପର୍କରେ କୌଣସି ସୂଚନା ମିଳି ନଥିଲା । ହେଲେ ଏବେ ଆମ ପାଖରେ ଅତ୍ୟନ୍ତ ଦୁଃଖଦ ଖବର ପହଞ୍ଚିଛି । ଭାରତରେ କୋଭିସିଲ୍ଡ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି ।

ଏପରି କି ସେରମ ପକ୍ଷରୁ ପୂର୍ବରୁ ହିଁ ୫୦ରୁ ୬୦ ମିଲିୟନ କରୋନା ଟିକା କୋଭିସିଲ୍ଡ ପ୍ରସ୍ତୁତ କରାଯାଇଥିଲା । ଆଜିର ଅଗ୍ନିକାଣ୍ଡ ଏହା ଉପରେ କ’ଣ ପ୍ରଭାବ ପକାଇଛି ତାହା ଜଣାପଡ଼ିନି । ଏହି ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିବା ସହିତ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏଥିସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ।