ଦୀର୍ଘ ଦିନ ହେବ ପିଇବା ପାଣି ନପାଇ ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଅମ୍ବାଦଳା / ରାୟଗଡା : ରାଜ୍ୟ ସରକାର ସାଧାରଣ ଲୋକମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ନିମନ୍ତେ ବିଭିନ୍ନ ଯୋଜନା କରିଛନ୍ତି । କିନ୍ତୁ ପ୍ରଶାସନର ଦାୟିତ୍ୱ ହୀନତା ଯୋଗୁ ପିଇବା ପାଣି ଟୋପାଏ ପାଇବା ପାଇଁ ଗ୍ରାମବାସୀଙ୍କୁ ନାନା ଅବସ୍ଥା ହେବାକୁ ପଡୁଛି । ଅଧିକାଂଶ ସମୟରେ ବିଭିନ୍ନ ଗ୍ରାମମାନଙ୍କରେ କେଉଁଠି ନଳକୂଅ ଅଚଳ କେଉଁଠି ତ ସୋଲାର ପ୍ରକଳ୍ପ ଅଚଳ ହୋଇ ପଡିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ କେଉଁଠି ଚୁଆ ପାଣି ତ କେଉଁଠି ଝରଣା ଓ ନଦୀ ପାଣି ଉପରେ ନିର୍ଭର କରୁଥିବା ବେଳେ ଝିଗିଡି ଗ୍ରାମବାସୀଙ୍କର ମଧ୍ୟ ସମାନ ଅବସ୍ଥା ।

ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ରାଣିପିଣ୍ଡା ପଞ୍ଚାୟତ ଅଧିନରେ ଥିବା ଝିଗିଡି ଗ୍ରାମର ତଳସାହି ବାସୀ ବିଶୁଦ୍ଧ ପାନୀୟ ଜଳ ଭଳି ମୌଳିକ ସୁବିଧା ପାଇବା ପାଇଁ ଦୀର୍ଘ ଦିନ ହେବ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଏହି ଗ୍ରାମରେ ୮୦ ପରିବାରର ପ୍ରାୟ ୪୦୦ରୁ ଉର୍ଦ୍ଧ ଲୋକ ବସ ବାସ କରୁଥିବା ବେଳେ ସମସ୍ତେ ଆଦିବାସୀ ସମ୍ପ୍ରଦାୟର ଅଟନ୍ତି । ଏହି ଗ୍ରାମରେ ଗୋଟିଏ ସୋଲାର ପ୍ରକଳ୍ପ ଓ ନଳକୂପ ଟିଏ ଥିବା ବେଳେ ଦୁଇଟି ଯାକ ନଳକୂପ ଖରାପ ହୋଇଯିବାରୁ ଗ୍ରାମବାସୀ ମାନେ ଝିଗିଡି ଗ୍ରାମର ବିଦ୍ୟାଳୟରେ ଥିବା ନଳକୂପ ଉପରେ ନିର୍ଭର କରି ଆସୁଥିଲେ । ଦୃଭାଗ୍ୟର କଥା ବର୍ତମାନ ବିଦ୍ୟାଳୟର ନଳକୂପ ଟି ମଧ୍ୟ ଖରାପ ହୋଇ ଯାଇଛି । ବସୁଧା ଯୋଜନାରେ ନିର୍ମାଣ ହୋଇଥିବା ପ୍ରକଳ୍ପରୁ ପାଣି ଟୋପାଏ ମିଳିବା କଷ୍ଟକର ହୋଇଯିବାରୁ ଗ୍ରାମବାସୀ ଅଧା କିଲୋମିଟର ଚାଲି ଚାଲି ଯାଇ ନଦୀ ପାଣି ଆଣି ବ୍ୟବହାର କରୁଥିବା ଅଭିଯୋଗ କରିବା ସହ କିଛିଦିନ ଅପେକ୍ଷା ପରେ ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇଥିଲେ ।

ମୁନିଗୁଡା ପଞ୍ଚାୟତ ସମିତି ବିଡ଼ିଓ ତାଙ୍କ କଥା ଶୁଣିବା ପରେ ଯଥା ଶୀଘ୍ର ନଳକୂପର ମରାମତି କରାଯିବ ବୋଲି କହିବା ସହ ବସୁଧା ଯୋଜନାର ବିଷୟ ଗ୍ରାମ୍ୟ ପରିମଳ ଜଳ ଯୋଗାଣ ବିଭାଗକୁ ଜଣାଇବା ପାଇଁ କହିଥିଲେ । ତେବେ ଏଠି ପ୍ରଶ୍ନ ଉଠୁଛି ସାଧାରଣ ଲୋକଙ୍କ କଷ୍ଟ ଅର୍ଜିତ ଟିକସରେ ବେତନ ପାଉଥିବା କର୍ମଚାରୀ ଲୋକଙ୍କ ସମସ୍ୟା ଦୂର କରିବା ପରିବର୍ତ୍ତେ ଲୋକଙ୍କ ମୁଣ୍ଡରେ ବୋଝ ଲଦି ଦେଉଥିବାରୁ ଏହାକୁ ସାଧାରଣରେ ନା ପସନ୍ଦ କରିଛନ୍ତି । ତେବେ ଆଗକୁ ଦେଖିବାକୁ ବାକି ରହିଲା କେବେ ଝିଗିଡି ଗ୍ରାମର ନଳକୂପର ମରାମତି ସହ ବସୁଧା ଯୋଜନାର ପାଣି ପାଇ ପାରିବେ ଓ କେବେ ଜଳ କଷ୍ଟରୁ ବଞ୍ଚିତ ହେବେ ।