ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧବସିଂହ ସୋଲଙ୍କି ପରଲୋକ

ଅହମଦାବାଦ: ବରିଷ୍ଠ କଂଗ୍ରେସ ନେତା ତଥା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧବସିଂହ ସୋଲଙ୍କିଙ୍କର ଶନିବାର ସକାଳେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ୧୯୨୭ ମସିହା ଜୁଲାଇ ୩୦ରେ ଜନ୍ମିତ ସୋଲଙ୍କି ୧୯୭୬ରେ ସ୍ୱଳ୍ପ ସମୟ ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ପୁଣି ୧୯୮୧ରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ କ୍ଷମତାକୁ ଆସିଥିଲେ। ଏହି ସମୟରେ ସୋଲଙ୍କି ସାମାଜିକ ଓ ଆର୍ଥିକ ପଛୁଆବର୍ଗଙ୍କ ନିମନ୍ତେ ସଂରକ୍ଷଣ ବ୍ୟବସ୍ଥା ପ୍ରଚଳନ କରିଥିଲେ। ମାଧବ ସିଂ କଂଗ୍ରେସର ଜଣେ ଟାଣୁଆ ଓ ପୁରୁଖା ନେତା ଥିଲେ । ସେ ୪ ଥର ଗୁଜୁରାଟର ମୁଖ୍ୟମନ୍ତ୍ରୀ ରହିଛନ୍ତି । ଶନିବାର ସେ ୯୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ସେ ୧୯୨୭ ମସିହା ଜୁଲାଇ ମାସ ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଗୁଜୁରାଟରେ କଂଗ୍ରେସକୁ ଶକ୍ତିଶାଳୀ କରିବାରେ ମାଧବ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ଭାରତର ବୈଦେଶିକ ମନ୍ତ୍ରୀ ମଧ୍ୟ ରହି ସାରିଛନ୍ତି । ୧୯୮୫ରେ ସୋଲଙ୍କି ଇସ୍ତଫା ଦେଇଥିଲେ କିନ୍ତୁ, ପରେ ଗୁଜରାଟ ବିଧାନସଭାର ୧୮୨ଟି ଆସନରୁ ୧୪୯ଟି ଆସନରେ ବିଜୟୀ ହୋଇ ପୁନର୍ବାର କ୍ଷମତାକୁ ଫେରିଥିଲେ।

ସୋଲଙ୍କିଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ କରିଛନ୍ତି, ଉତ୍କଷ୍ଟ ସମାଜ ସେବା ନିମନ୍ତେ ସେ ସ୍ମରଣୀୟ ହୋଇ ରହିବେ। ତାଙ୍କ ବିୟୋଗରେ ମୁଁ ଦୁଃଖୀତ । ଶ୍ରୀ ମାଧବସିଂହ ସୋଲଙ୍କି ଥିଲେ ଜଣେ ସୁଦକ୍ଷ ନେତା। ଦଶନ୍ଧି ଦଶନ୍ଧି ଧରି ଗୁଜରାଟ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ପୁଅ ଭରତ ସୋଲଙ୍କିଙ୍କ ସହ କଥା ହୋଇ ଶୋକବ୍ୟକ୍ତ କରିଛି। ଓଁ ଶାନ୍ତି ।

ଆଉ ଏକ ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ରାଜନୀତି ବ୍ୟତିରେକେ, ଶ୍ରୀ ମାଧବସିଂହ ସୋଲଙ୍କି ଜୀ ପଢ଼ିବାକୁ ସୁଖ ପାଉଥିଲେ ଏବଂ ସଂସ୍କୃତି ପ୍ରତି ତାଙ୍କର ଆବେଗ ଥିଲା। ମୁଁ ତାଙ୍କୁ ଯେତେବେଳେ ଭେଟେ କି, କଥା କହେ, ଆମେ ବହି ବିଷୟରେ ଆଲୋଚନା କରୁ। ସେ ନିକଟରେ ପଢ଼ିଥିବା ନୂଆ ବହି ବିଷୟରେ ମତେ କହନ୍ତି। ତାଙ୍କର ସହ ହୋଇଥିବା ଭାବବିନିମୟକୁ ମୁଁ ସଶ୍ରଦ୍ଧ ସ୍ମରଣ ରଖିବି ।