-ଅଭୂତ ପୂର୍ବ ସୁରକ୍ଷା ଭିତରେ ବାହୁଡ଼ା ଯାତ୍ରା
-ବଳଗଣ୍ଡିରେ ପୋଡାପିଠା ସମର୍ପଣ, ଶ୍ରୀନଅର ଆଗରେ ଲକ୍ଷ୍ମୀ ନାରାୟଣ ଭେଟ
ପୁରୀ : ଜନ୍ମବେଦୀର ମୋହ ଛାଡି ମହାବାହୁ ଆଜି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ା ଯାତ୍ରାରେ ଫେରିଛନ୍ତି । ଦୀର୍ଘ ୯ଦିନ ଧରି ଜନ୍ମବେଦୀ ଆଡପ ମଣ୍ଡପରେ ମହାପ୍ରଭୁ ଅବସ୍ଥାନ କରିଥିଲେ । ଚତୁର୍ଦ୍ଧାମୂର୍ତି ନିର୍ମାଣ ସମୟରେ ୨୧ ଦିନ ସରିବ ବୋଲି ରାଜାଙ୍କୁ ବିଶ୍ୱକର୍ମା ମାନେ କଂଟ ଦେଇଥିଲେ । କିନ୍ତୁ ୧୮ ଦିନରେ ରାଜା କବାଟ ଖୋଲିବାରୁ ଅଧାଗଢା ରହିଗଲେ ଚତୁର୍ଦ୍ଧାମୂର୍ତି । ସେହି ଜନ୍ମବେଦୀର ମୋହକୁ ମନେ ପକାଇ ୧୮ ଦିନ ନରହିଲେ ମଧ୍ୟ ତାର ଅଧା ୯ ଦିନ ଜନ୍ମବେଦୀରେ ଅବସ୍ଥାନ କରୁଛନ୍ତି ଚତୁର୍ଦ୍ଧାମୂର୍ତି । ଶ୍ରୀମନ୍ଦିର ପ୍ରଶାସନ ଦୈତାପତି ଓ ସେବାୟତ ଙ୍କ ସହଯୋଗ ରେ ଆଜି ସଅଳ ନୀତି ସମାପନ ହୋଇଛି । ୩ଟା୫୫ରେ ଉଷୁମ ଲାଗି ସାରି ଦୈତାପତି ମାନେ ବାହାରିଥିଲେ । ଭୋର ୪ଟା୧୦ ମିନିଟ୍ ରେ ମଙ୍ଗଳ ଆଳତୀ ନୀତି ଶେଷ ହୋଇଥିଲା । ୪ଟା୩୦ ରେ ତଡପ ଲାଗି ନୀତି ଶେଷ,୪ଟା୫୦ ରେ ଅବକାଶ ପୁଜା ସଂପନ୍ନ,୫ଟା୧୦ ରେ ରୋଷହୋମ ଓ ୫ଟା୨୦ ରେ ବେଶଶେଷ ହୋଇଥିଲା । ୫ଟା୩୦ ରେ ସୂର୍ଯ୍ୟପୁଜା,୫ଟା୪୦ ରେ ଦ୍ୱାରପାଳ ପୁଜା,୫ଟା୪୫ ରେ ଗୋପାଳ ଭୋଗ ଓ ସକାଳ ଧୂପ ଡାକି ଯାଇଥିଲେ । ୭ଟା ରେ ସକାଳ ଧୂପ ପୁଜା ଶେଷ ହୋଇଥିଲା । ୭ଟା୨୫ ରେ ମଙ୍ଗଳାର୍ପଣ କରାଯାଇ ବିଜେ କାହାଳୀ ବାଜିଥିଲା । ୭ଟା୪୦ ରେ ବାହୁଡା ପହଣ୍ଡି ଆରମ୍ଭ ହୋଇ ୧୦ଟା୨୦ ରେ ପହଣ୍ଡି ଶେଷ ହୋଇଥିଲା । ୧୦ଟା୨୫ ରୁ୧୦ଟା୪୫ ମଧ୍ୟରେ ମଦନମୋହନ ଓ ରାମକୃଷ୍ଣ ମହାଜନ ସେବକଙ୍କ ଦ୍ୱାରା ରଥରେ ବିଜେ କରିଥିଲେ ।
ସଂପୂର୍ଣ୍ଣ ରଥଯାତ୍ରାକୁ ତିନି ଭାଗରେ ବିଭକ୍ତ କରାଯାଇ ରଥଯାତ୍ରା ଗୁଣ୍ଡିଚା ଘରେ ରହଣୀ ଓ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଥାଏ । ଗୁଣ୍ଡିଚା ଦିନ ଉତରାୟଣ ଯାତ୍ରା ଓ ବାହୁଡା ରେ ଦକ୍ଷିଣାଭିମୁଖୀ ଯାତ୍ରା ଦର୍ଶନ କରିଲେ ଅଶ୍ୱମେଧ ଯଜ୍ଞ ସମଫଳ ମିଳିବା ସହ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଗତକାଲି ରାତିରେ ଆଡପ ମଣ୍ଡପରେ ବଡସିଂହାର ବେଶ ହେବା ପରେ ପହୁଡ ଆଳତୀ ହୋଇଥିଲା । ପୁଷ୍ପାଳକ ସେବକ ମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖରେ ଖଣ୍ଡୁଆ ପକାଇ ବାହାରି ଆସିଥିଲେ । ପରେ ପରେ ଦଇତାପତି ସେବକ ମାନେ ଗୁପ୍ତ ସେବା କରିବା ସହ କୋଟ ସୁଆଁସିଆ ମାନେ ଆଡପ ମଣ୍ଡପ ସିଂହାସନର ତଳକୁ ଚାରମାଳ ବାନ୍ଧିଥିଲେ । ଟାହ୍ୟା ଲାଗି ହେବା ପରେ ତିନି ଠାକୁର ବେଶ୍ ଆକର୍ଷଣୀୟ ଦୃଶ୍ୟମାନ ହୋଇଥିଲେ । ତିନି ଠାକୁର ଧାଡି ପହଣ୍ଡିରେ ରଥକୁ ବିଜେ କରିଥିଲେ । ରଥରେ ବିଜେ ପରେ ରୁନ୍ଧା କାର୍ଯ୍ୟ ହୋଇଥିଲା । ତିନି ରଥରେ ଚତୁର୍ଦ୍ଧାମୂର୍ତି ବିଜେ କରିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଜପତିଙ୍କୁ ଡାକରା ଯାଇଥିଲା ।
ପୂର୍ବରୁ ଶ୍ରୀନଅର ଠାରୁ ତାନଜାନ ପାଲିଙ୍କି ଓ କାହାଳିଆ ଓ ଭାରୁଆ ମାନେ ବଡଶଙ୍ଖ ଠାରେ ଆସି ଗଜପତିଙ୍କୁ ଅପେକ୍ଷା କରିଥିଲେ । ଗଜପତି କାର ଯୋଗେ ବଡଶଙ୍ଖରେ ପହଂଚିବା ପରେ ପାଲିଙ୍କିରେ ବସି ରଥ ନିକଟକୁ ଯାଇଥିଲେ । କାହାଳି, ଛତ୍ରୀ ଓ ଶୋଭାଯାତ୍ରାରେ ଗଜପତି ବିଜେ କରିଥିଲେ । ତିନି ରଥରେ ଛେରାପହଁରା କରିବା ପରେ ରଥରୁ ଚାରମାଳ ଖୋଲାଯାଇ ଘୋଡା ବନ୍ଧା ଯାଇଥିଲା । ମହାରଣା ଓ ଭୋଇ ସେବାୟତ ମାନେ ରଥରେ ଦଉଡି ଲଗାଇଥିଲେ । ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପରେ ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ସେବାୟତ ମାନେ ଟାଣି ଟାଣି ନେଇଥିଲେ । ବଳଗଣ୍ଡି ଠାରେ ଥିବା ମାଉସୀ ମାଆ ମନ୍ଦିର ରେ ତିନି ରଥରେ ତିନୋଟି କୁଡିଆରେ ପୋଡପିଠା ଭୋଗ କରାଯାଇଥିଲା । ଶ୍ରୀନଅର ପାଖରେ ନନ୍ଦିଘୋଷ ଅଟକିବା ପରେ ଗଜପତି ମହାରାଜା ଲକ୍ଷ୍ମୀନାରାୟଣ ଭେଟ କରିବେ । ୧୨ଟା୧୫ ସୁଧା ଗଜପତିଙ୍କ ଛେରାପହଁରା ସରିବା ପରେ ଚାରମାଳ ଖୋଲାଯାଇଥିଲା । ଆଜି ରଥ ଲାଗିବା ପରେ ଆସନ୍ତା କାଲି ସୁନାବେଶ ଅନୁଷ୍ଠିତ ହେବ ।