କର୍କଟ ରୋଗରେ ଆକ୍ରାନ୍ତ ରାମ ର ଚିକିତ୍ସା ରେ ଅର୍ଥ ସାଜିଛି ବାଧକ

ମାଲକାନଗିରି : ମାଲକାନଗିରି ସଦର ବ୍ଳକ ଅନ୍ତର୍ଗତ ଚଲାଣଗୁଡା ଗ୍ରାମ ପଞ୍ଚାୟତ ନୁଆଗୁଡା ଗ୍ରାମର ରାମା କବାସୀ ବୟସ ପାଖାପାଖି ୪୦ । ଦିର୍ଘ ତିନି ମାସ ହେବେ ସେ କର୍କଟ ରୋଗରେ ଆକ୍ରାନ୍ତ । ନା ସେ ଠିକ ସେ କହି ପାରୁଛନ୍ତି ନା ଠିକ ସେ କିଛି ଖାଇ ପାରୁଛନ୍ତି । ଆର୍ଥିକ ସ୍ଥିତି ଖରାପ ଯୋଗୁ ସେ ଭଲରେ ଚିକିତ୍ସା ମଧ୍ୟ୍ୟ ହୋଇ ପାରୁନାହାନ୍ତି ।ଘରର ସେ ଏକମାତ୍ର ରୋଜଗାରିଆ ହୋଇ ପରିବାର ପ୍ରତିପୋଷଣ କରୁଥିଲେ କିନ୍ତୁ ବିଧିର ବିଧାନ ସବୁ ବିଗାଡି ଦେଇଛି ରାମା କବାସୀ କ୍ଷେତ୍ରରେ । ସେ ନିଜ ଚାଷ ଜମି ରେ ପନିପରିବା ଚାଷ କରି ଭଲ ଦି ପଇସା ରୋଜଗାର କରୁଥିଲେ ।ଦେହ ଖରାପ ଯୋଗୁ ପ୍ରଥମେ ମାଲକାନଗିରି ହସ୍ପିଟାଲରେ ଦେହ ଦେଖାଇଥିଲେ ପରେ ମେଡିକାଲ ଚିକିତ୍ସା ବେଳେ ତାଙ୍କୁ କର୍କଟ ରୋଗ ହୋଇଥିବା ଜାଣିବାକୁ ପାଇବା ପରେ ତାଙ୍କୁ କଟକ ଆଚାର୍ଯ୍ୟ ହରିହର ରେଜିନାଲ କ୍ୟାନ୍ସର ସେଣ୍ଟର ଚିକିତ୍ସା ପାଇଁ ପଠାଯାଇଥିଲା ଆର୍ଥିକ ସ୍ଥିତି ଖରାପ ଥିବା ଯୋଗୁସେଠାରେ ଠିକରେ ଚିକିତ୍ସା ନହୋଇ ଆଠ ଦିନ ରହିବା ପରେ ନିଜ ଘରକୁ ଫେରିଆସିଥିଲେ । ସେ ଜଣେ ଆଦିବାସୀ ହୋଇଥିଲେ ମଧ୍ୟ ସରକାରୀ ସ୍ତରରେ ଚିକିତ୍ସା ପାଇଁ କୌଣସି ସୁବିଧା ପାଇ ପାରି ନାହାନ୍ତି ବୋଲି ତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି । ବର୍ତମାନ ଦେଶୀ ଔଷଧ ଉପରେ ନିର୍ଭର କରି ପରିବାର ଲୋକେ ରାମାର ଚିକିତ୍ସା କରିଚାଲିଛନ୍ତି । ବର୍ତମାନ ସଂକ୍ରମଣ ଯୋଗୁଁ ତାଙ୍କ ତଣ୍ଟି ପାଖରେ ଗର୍ତ୍ତ ସୃଷ୍ଟି ହୋଇଯାଇଥିବାରୁ ସେ ବର୍ତମାନ ଠିକରେ କଥା କହି ପାରୁନାହାନ୍ତି କି ଖାଇ ପାରୁନାହାନ୍ତି । ନିଜ ଜମି, ଗାଇ, ଛେଳି, ମେଣ୍ଢା କୁକୁଡ଼ା ବିକ୍ରି କରିବା ସହ ବର୍ତମାନ ଏହି ଚିକିତ୍ସା ପାଇଁ ସେ ୨ ରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି କିନ୍ତୁ ଭଲ ହେଉନାହାନ୍ତି । ଅନ୍ୟ ପଟେ କିପରି ପରିବାର ଚଳିବ ତାହା ମଧ୍ୟ ତାଙ୍କୁ ଚିନ୍ତା ଘାରିଛି । ଘର ର ଦୁଇ ଛୋଟ ଝିଅ ଓ ଦୁଇ ପୁଅ ଅଛନ୍ତି । ତାଙ୍କ ସ୍ତ୍ରୀ ଆଇତି କବାସୀ ନିଜ ସ୍ୱାମୀକୁ ଉତ୍ତମ ଚିକିତ୍ସା ପାଇଁ ବହୁ କରଜ କରିଥିଲେ ସୁଦ୍ଧା ସେ ଭଲ ହେଉନାହାନ୍ତି ।

ଗ୍ରାମବାସୀ କିଛି ସାହାଯ୍ୟ କଲେ ଘର ଚଳେ ନଚେତ ଭୋକ ଉପସାରେ ରହିଯାଆନ୍ତି ପରିବାର । ତେଣୁ ତାଙ୍କ ସ୍ତ୍ରୀ ସ୍ୱାମୀର ଉତ୍ତମ ଚିକିତ୍ସା ପାଇଁ ପ୍ରଶାସନର ସାହାଯ୍ୟ ମାଗିବା ସହ ସହୃଦୟ ବ୍ୟକ୍ତି ସହଯୋଗର ହାତ ବଢାଇବା ପାଇଁ ନିବେଦନ କରିଛନ୍ତି ।