ଚୋରା ଗଞ୍ଜେଇ କାରବାରର ଭୂସ୍ୱର୍ଗ ପାଲଟିଛି ଗଜପତି, ପୁଣି ୧୮ କୋଟିରୁ ଉଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଗଲା

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗଞ୍ଜେଇ ଚୋରା କାରବାରର ଭୂସ୍ୱର୍ଗ ପାଲଟିଛି । ପୁଣି ବେଆଇନ ଭାବେ ଚାଷ କରାଯାଇଥିବା ୧୮ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଚୋରା ଗଞ୍ଜେଇ ଗଛକୁ ପୋଡି ଦିଆଯାଇଛି । ଘଟଣାରୁ ପ୍ରକାଶ,ଗଜପତି ଜିଲ୍ଲାପାଳ ଅନୁପମ ସାହା,ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ,ଅବକାରୀ,ବନ ଓ ରାଜସ୍ୱ ବିଭାଗର ମିଳିତ ଚଢାଉରେ ଗତକାଲି ପୁଣି ଏହି ଜିଲ୍ଲାର ଏକ ଦୁର୍ଗମ ଅଞ୍ଚଳରୁ ୧୮ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଗଞ୍ଜେଇ ଗଛକୁ ପୋଡାଯାଇଛି । ଏକ ସୂଚନାକୁ ଭିତ୍ତି କରି ମୋହନା ଥାନାଧିକାରୀ ସୁଜିତ କୁମାର ନାୟକଙ୍କ ନେତୃତ୍ୱରେ ପୋଲିସ, ଅବକାରୀ,ବନ ଓ ରାଜସ୍ୱ ବିଭାଗ କର୍ମଚାରୀମାନେ ଚଢାଉ କରି ମୋହନା ବ୍ଲକର ଢେପାଗୁଡା ପଞ୍ଚାୟତର ଯୁଗିଡିହା ଗ୍ରାମ ନିକଟରେ ଥିବା ଜଙ୍ଗଲରେ ପ୍ରାୟ ୯୧ ଏକରରୁ ଉଦ୍ଧ୍ୱର୍ ଜମିରେ ବେଆଇନ ଭାବେ ଲଗାଯାଇଥିବା ୧ ଲକ୍ଷ ୮୦ ହଜାରରୁ ଉଦ୍ଧ୍ୱର୍ ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଥିଲା । ଯାହାର ଆନୁମାନିକ ବଜାର ମୁଲ୍ୟ ୧୮ କୋଟି ଟଙ୍କାରୁ ଉଦ୍ଧ୍ୱର୍ ହେବ ବୋଲି ଜଣାପଡିଛି । । ଏନେଇ ମୋହନା ଥାନାରେ ୮/୨୦ରେ ମକଦ୍ଦମା ରୁଜୁ ହୋଇଛି । ମୋହନା ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା ଦେବୀ ଏହି ଚଢାଉରେ ମାଜଷ୍ଟ୍ରେଟ ଭାବେ ଯୋଗ ଦେଇଥିଲେ । ଏହି ଚଢାଉରେ ଜଣେ ହେଲେ ଗିରଫ ହୋଇନଥିବା ସୂଚନା ମିଳିଛି ।