ସୁନା ଚେନ ଲୁଟେରା ଗିରଫ : ସୁନା ଗହଣା, ମୋବାଇଲ ଓ ବାଇକ୍ ଜବତ

ଧର୍ମଶାଳା : ଯାଜପୁର ଧର୍ମଶାଳା ପୁଲିସକୁ ସଫଳତା । ବିଭିନ୍ନ ସ୍ଥାନରେ ବାଇକ ଚାଳକଙ୍କ ଠାରୁ ସୁନା ଗହଣା, ମୋବାଇଲ ଲୁଟ୍ କରୁଥିବା ୨ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ଏବଂ ଏହି ଚୋରୀ ସୁନାଗହଣାକୁ ଅଭିଯୁକ୍ତମାନେ ୨ ଜଣ ସୁନା ଦୋକାନୀକୁ ବିକ୍ରୀ କରୁଥିଲେ । ଏହି ଚୋରୀ ସୁନା କିଣିବା ଅଭିଯୋଗରେ ୨ ଜଣ ସୁନା ଦୋକାନୀ ଓ ଚୋରୀ ମୋବାଇଲ କିଣିବା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୪ ଗୋଟି ସୁନା ଚେନ, ୮ ଗୋଟି ଦାମୀ ମୋବାଇଲ, ଗୋଟିଏ ନୂଆ ହିରୋ ଷ୍ଟ୍ରିମ ବାଇକ୍ ନଂ (ଓଡି୦୪ଏନ୧୩୨୯) ଓ ଗୋଟିଏ ଗ୍ଲାମର ବାଇକକୁ ଜବତ କରାଯାଇଥିବା ନେଇ ଧର୍ମଶାଳା ଥାନା ଅଧିକାରୀ ସରୋଜ ସାହୁ ସୂଚନା ଦେଇଛନ୍ତି । ଗିରଫ ୨ ମୁଖ୍ୟ ଅଭିଯୁକ୍ତ ହେଲେ କଟକ ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣଝରିଲୋ ଅଂଚଳର ଦୁଇ ଭାଇ ଖୁଦୁସ୍ ଖାଁ (୩୦) ଓ ୟୁନୁସ୍ ଖାଁ (୩୩) ଏବଂ ଚୋରୀ ସାମଗ୍ରୀ କିଣିବା ସୁନା ବ୍ୟବସାୟୀ ହେଲେ ଧର୍ମଶାଳା ଥାନା ଅନ୍ତର୍ଗତ ରସୁଲପୁର ବ୍ଲକ ବନ୍ଧଡିହର ମହେଶ୍ୱର ସାହୁ ଓ ଜଗତସିଂପୁର କେଣ୍ଡାଲ ଅଂଚଳର ଜ୍ଞାନ ରଂଜନ ସାହୁ ଓ ଚୋରୀ ମୋବାଇ କିଣିବା ଅଭିଯୋଗରେ ଖନ୍ତପଡାର ସୁଶାନ୍ତ ଜେନା (୩୦)ବୋଲି ଜଣାପଡିଛି ।

ସୂଚନା ମୁତାବକ, ଖୁଦୁସ୍ ଓ ୟୁନୁସ୍ ଦୁହେଁ କଟକରୁ ଆସି ଧର୍ମଶାଳା ଥାନା ଅନ୍ତର୍ଗତ ରସୁଲପୁର ବ୍ଳକ ବ୍ରହ୍ମବରଦା ଓ ମହେଶ୍ୱରପୁର ଅଂଚଳକୁ ଆସି ଏଠାରେ ବନ୍ଧୁ ସମ୍ପର୍କ ସ୍ଥାପନ କରି ରାତିରେ ଦୁହେଁ ବିଭିନ୍ନ ଅଂଚଳର ମୁଖ୍ୟ ରାସ୍ତାରେ ଯାତାୟତ କରୁଥିବା ବାଇକ୍ ଚାଳକ ଓ ପଛରେ ବସିଥିବା ମହିଳାଙ୍କ ବେକରୁ ସୁନା ଚେନ ଓ ମୋବାଇଲକୁ ଆଖି ପିଛୁଳାକେ ଲୁଟ କରି ଫେରାର ହୋଇଯାଆନ୍ତି । ୨୦୧୬ ଓ ୨୦୨୧ ମସିହାରେ ବ୍ରହ୍ମବରଦା ଅଂଚଳରେ ସୁନା ଚେନ ଲୁଟ ହୋଇଥିଲା । ଯାହାକୁ ନେଇ ପୁଲିସ ସେହି ଦିନଠାରୁ ସେମାନଙ୍କ ଗତିବିଧି ଉପରେ ନଜର ରଖି ଦୁହିଁଙ୍କୁ ବିଭିନ୍ନ ସ୍ଥାନରେ ଚଢାଉକରି ଗିରଫ କରିଥିଲା । ସେମାନଙ୍କ ନାମରେ ପୂର୍ବରୁ ଧର୍ମଶାଳା ଥାନାରେ ୩ଟି ଓ କୁଆଖିଆ ଥାନାରେ ୨ଟି ମାମଲା ରହିଥିବା ଜଣାପଡିଛି । ଏହି ଲୁଟେରାମାନେ ଚୋରୀ ସୁନାକୁ ଆଣି ବ୍ରହ୍ମବରଦା ପୁରଣା ଫାଣ୍ଡିଛକରେ ଥିବା ସୁନା ଦୋକାନୀ ମହେଶ୍ୱର ସାହୁ ଓ ଜଗତସିଂପୁର ଅଂଚଳର ସୁନା ଦୋକାନୀ ଜ୍ଞାନରଂଜନ ସାହୁକୁ ବିକ୍ରୀ କରିଥାନ୍ତି । ଆଜି ମୋଟ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଧର୍ମଶାଳା ପୁଲିସ ସୂଚନା ଦେଇଛି ।