ଦୁର୍ବୃତଙ୍କ ଗୁଳିମାଡ଼ରେ ସୁନା ଦୋକାନୀଙ୍କ ମୃତ୍ୟୁ : ଅନ୍ୟ ଜଣେ ଗୁରୁତର : ଗୁରୁତରଙ୍କୁ ରାଉରକେଲା ସରକାରୀ ମେଡ଼ିକାଲରେ ଭର୍ତି

ରାଉରକେଲା: ଦୁର୍ବୃତଙ୍କ ଗୁଳିମାଡ଼ରେ ସୁନା ଦୋକାନୀଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କୁ ବଂଚାଇବାକୁ ଯାଇ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ରାଉରକେଲା ସରକାରୀ ମେଡ଼ିକାଲରେ ଭର୍ତି କରାଯାଇଛି ।
ସୁନ୍ଦରଗଡ଼ ପୋଲିସ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ବଡ଼ଗାଁ ବଜାରରେ ଥିବା ଏକ ସୁନା ଦୋକାନୀ ମାଲିକ ରୋହିତ ବର୍ମା ଆଜି ପୂର୍ବାହ୍ନରେ ଦୋକାନ ଖୋଲିବାକୁ ଆସି ଦୋକାନର ସଟର ଖୋଲୁଥିବା ସମୟରେ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ଦୁର୍ବୃତ ମାନେ ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ଗୋଟିଏ ଗୁଳି ତାଙ୍କ ମୁଣ୍ଡରେ ବାଜିଥିବା ବେଳେ ଅନ୍ୟଟି ତାଙ୍କ ପେଟରେ ବାଜିଥିଲା ।
ଫଳରେ ଘଟଣାସ୍ଥଳରେ ଟଳି ପଡିଥିଲେ ରୋହିତ । ଏହି ସମୟରେ ତାଙ୍କୁ ବଂଚାଇବାକୁ ଯାଇ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ରାଉରକେଲା ସରକାରୀ ମେଡ଼ିକାଲରେ ଭର୍ତି କରାଯାଇଛି । ଅନ୍ୟପକ୍ଷରେ ଘଟଣା ପରେ ଦୁର୍ବୃତ ମାନେ ରୋହିତଙ୍କ ନିକଟରୁ ସୁନାଗହଣା ଭର୍ତି ବ୍ୟାଗ୍ ଧରି ଚମ୍ପଟ୍ ମାରିଛନ୍ତି । ଖବର ପାଇ ବଡ଼ଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛି ।