ଉପାନ୍ତ ଅଞ୍ଚଳରେ ସରକାରୀ ଯୋଜନା ଫେଲ ମାରୁଛି

କୋଟପାଡ଼-:ସରକାର କରୁଛନ୍ତି ଯୋଜନା ଲୋକଙ୍କ ଜଳକଷ୍ଟ ଦୂରୀକରଣ ପାଇଁ । ସେଥିପାଇଁ ଜନସାଧାରଣଙ୍କ ଟିକସରୁ ଖର୍ଚ୍ଚ କରାଯାଉଛି ଲକ୍ଷ ଲକ୍ଷ ଟଙ୍କା କିନ୍ତୁ ଜନସାଧାରଣ ଯୋଜନାର ସୁଫଳ ପାଇ ନ ପାରିବା ନିଶ୍ଚିତ ଭାବେ ସାଙ୍ଘାତିକ ବିଷୟ । କିଛି ଦୁର୍ନୀତିଖୋର ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ସରକାରଙ୍କ ସବୁ ଯୋଜନା ଫେଲ ମାରୁଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ଛତରଲା ପଞ୍ଚାୟତରେ । ଦୀପ ତଳ ଅନ୍ଧାର ଭଳି ପଞ୍ଚାୟତ ଯେଉଁ ଗ୍ରାମରେ ଅଛି ସେଇଠି ପାନୀୟ ଜଳ ସଙ୍କଟ । ଗ୍ରାମର ମହିଳାମାନେ ସକାଳ ପାଇଲେ ହାଣ୍ଡି ମାଠିଆ ଧରି କୋଲାବ ନଦୀର ଦୂଷିତ ପାଣି ଆଣିବା ପାଇଁ ବାହାରି ପଡ଼ନ୍ତି । କେତେବେଳେ ଗୋଡ ଖସିଲେ ସିଧା କୋଲାବ ନଦୀରେ ପଡି ଜୀବନ ଯିବା ଆଶଙ୍କା । ଗ୍ରାମବାସୀଙ୍କ କହିବା ଅନୁସାରେ ପ୍ରାୟ ୬ ବର୍ଷ ପୂର୍ବେ ଗ୍ରାମରେ ଏକ ଓଭରହେଡ ପାଣି ଟାଙ୍କି ନିର୍ମାଣ ହୋଇଥିଲା । ଦୀର୍ଘ ବର୍ଷ ହେଲାଣି ଗ୍ରାମବାସୀ ଟାଙ୍କିରୁ ଟୋପାଏ ପାଣି ପାଇନାହାନ୍ତି ।

ବର୍ତ୍ତମାନ ସମୟରେ ଗୋଟିଏ ସୋଲାର ଚାଳିତ ମୋଟର ଲଗାଇ ପାଣି ଯୋଗାଇ ଦେବା ନାଁରେ ପୁଣି ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି । ତିନି ଲକ୍ଷ ଟଙ୍କା ଖର୍ଚ୍ଚ ହେବା ପରେ ଦୁଇ ଦିନ ନ ଯାଉଣୁ ପୁଣି ଅଚଳ ହେଲା ଏହି ପକଳ୍ପ । ଜନସାଧାରଣଙ୍କ ଯଥା ପୂର୍ଵମ ତଥା ପରମ ସ୍ଥିତି । ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଚରା ଯିବାରୁ ଆଜି ହେବ,କାଲି ହେବ ବୋଲି କହି ଚାଲିଛନ୍ତି । କିନ୍ତୁ ଜନସାଧାରଣଙ୍କ ସମସ୍ୟାର ଆଶୁ ସମାଧାନ ପାଇଁ କିଛି ପଦକ୍ଷେପ ନେବା ଭଳି ପ୍ରତୀତ ହେଉନାହିଁ । କୋଟପାଡ଼ର ଉପାନ୍ତ ଅଞ୍ଚଳରେ ଥିବା ଏହି ଗ୍ରାମର ପାଣି ସମସ୍ୟା କେବେ ଦୂର ହେଉଛି ଏବଂ ଗ୍ରାମବାସୀ କେବେ ବିଶୁଦ୍ଧ ପାନୀୟ ଜଳ ପାଇବାରେ ସକ୍ଷମ ହେଉଛନ୍ତି । ଏହା ନ ହେଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଲୋକେ ଭୋଟ ମାଧ୍ୟମରେ ଜବାବ ଦେବେ ବୋଲି ପ୍ରଶାସନ ଏବଂ ରାଜନେତାଙ୍କୁ ଚେତାଇ ଦେଇଛନ୍ତି ।