ଭ୍ୟାକ୍ସିନ୍ ୧୧୦ ପ୍ରତିଶତ ସୁରକ୍ଷିତ
ସ୍ୱାଗତ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
ନୂଆଦିଲ୍ଲୀ: ଟିକା ପ୍ରତୀକ୍ଷାର ଅନ୍ତ । ଭାରତକୁ ଏକାଥରକେ ମିଳିଲା ଦୁଇଟି କୋଭିଡ୍ ଟିକା । ଗୋଟିଏ ଭାରତର ନିଜସ୍ୱ ଏବଂ ଆଉ ଗୋଟିଏ ଭାରତର ଉତ୍ପାଦିତ । ସେରମ୍ ଟିକା କୋଭିସିଲ୍ଡ ଏବଂ ଭାରତ ବାୟୋଟେକ୍- ଆଇସିଏମ୍ଆରର ମିଳିତ ଉଦ୍ୟମରେ କୋଭାକ୍ସିନ୍କୁ ମିଳିଛି ସବୁଜ ସଙ୍କେତ । ଜରୁରି ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(ଡିସିଜିଆଇ) । ଶୁକ୍ରବାର କୋଭିସିଲ୍ଡ ଓ ଶନିବାର କୋଭାକ୍ସିନ୍ ପାଇଁ ସୁପାରିସ୍ କରିଥିଲା ସବ୍ଜେକ୍ଟ ଏକ୍ସପର୍ଟ କମିଟି । ଅନୁମତି ଘୋଷଣା କରି ଡିସିଜିଆଇ ଡିଜି ସୋମାନୀ କହିଛନ୍ତି ଯେ, ସୁରକ୍ଷାକୁ ନେଇ ସାମାନ୍ୟତମ ବୁଝାମଣା ହୋଇନାହିଁ । ଉଭୟ ଟିକା ୧୧୦ ପ୍ରତିଶତ ସୁରକ୍ଷିତ । ସବୁ ଟିକାରେ ସାମାନ୍ୟ ଜ୍ୱର, ବିନ୍ଧା ଓ ଆଲର୍ଜି ଭଳି ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଇଥାଏ । ଏଥିସହିତ ସେ କହିଛନ୍ତି ଯେ, ଭାରତରେ ୧୬୦୦ ଲୋକଙ୍କ ଉପରେ ଅକ୍ସଫୋର୍ଡ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ହୋଇଛି । ଆଗକୁ ମଧ୍ୟ ଟ୍ରାଏଲ ଚାଲିବ । ଏହା ୭୦.୪୦ ପ୍ରତିଶତ ପ୍ରଭାବୀ ବୋଲି ଟ୍ରାଏଲ ବେଳେ ଜଣାପଡ଼ିଥିଲା । ବିଦେଶରେ ଏହି ଟିକା ବ୍ୟବହାର ହେଲାଣି । କୋଭାକ୍ସିନ୍ର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲରେ ୮୦୦ ଲୋକଙ୍କୁ ଟିକା ଦିଆଯାଇଥିଲା । ଏହି ଦୁଇ ପର୍ଯ୍ୟାୟ ଟ୍ରାଏଲରୁ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଓ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରୁଥିବା ଜଣାଯାଇଛି । ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି । ୨୫ହଜାର ୮୦୦ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୨୨ହଜାର ୫୦୦ଜଣଙ୍କୁ ଟିକା ଦିଆସରିଛି ।ଅନ୍ୟପକ୍ଷରେ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି ଭାରତ ବାୟୋଟେକ୍ ଟିକା କୋଭାକ୍ସିନ୍କୁ ଏବେ ବ୍ୟାପକ ଭାବେ ବ୍ୟବହାର କରାଯାଇପାରିବ । ଡିସିଜିଆଇର ଅନୁମତି ପରେ ସେରମ୍ ଇନ୍ଷ୍ଟିଚ୍ୟୁଟ୍ର ସିଇଓ ଆଦାର ପୁନେୱାଲା ସମସ୍ତଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ଟିକାକରଣ ପାଇଁ କୋଭିସିଲ୍ଡ ପ୍ରସ୍ତୁତ ବୋଲି କହିଛନ୍ତି । ଭାରତର ନିଷ୍ପତ୍ତିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ସ୍ୱାଗତ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦକ୍ଷିଣ ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ପୁନମ୍ କ୍ଷେତ୍ରପାଳ ସିଂ କହିଛନ୍ତି କରୋନା ଲଢ଼େଇରେ ଭାରତ ବେଶ୍ ଭଲ ପ୍ରଦର୍ଶନ କରିଛି । ଭାରତ ସରକାର ଠିକ୍ ସମୟରେ ଉପଯୁକ୍ତ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି ।
ଗର୍ବର ବିଷୟ: ନବୀନ
କୋଭିଡ୍ ବିରୋଧୀ ଲଢ଼େଇରେ ଭାରତ ଆଉ ଏକ ପାଦ ଆଗକୁ ବଢ଼ିଛି । ଭାରତର ଦୁଇଟି ଟିକାକୁ ଡିସିଜିଆଇ ପକ୍ଷରୁ ଅନୁମତି ମିଳିଛି । ଏହାକୁ ନେଇ ଏବେ ଟ୍ୱିଟ୍ ୱାର ଆରମ୍ଭ ହୋଇଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ବିଶ୍ୱ ମହାମାରୀ ବିରୋଧରେ ଭାରତର ଲଢ଼େଇରେ ଏହା ନିର୍ଣ୍ଣାୟକ କ୍ଷଣ ସେରମ୍ ଇଣ୍ଡିଆ ଓ ଭାରତ ବାୟୋଟେକ୍କୁ ଡିସିଜିଆଇର ମଞ୍ଜୁରି କୋଭିଡମୁକ୍ତ ଭାରତକୁ ବଳ ମିଳିବ ବୋଲି କହିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଦୁଇଟି ମେଡ୍ ଇନ୍ ଇଣ୍ଡିଆ ଭ୍ୟାକ୍ସିନ୍କୁ ଜରୁରି ବ୍ୟବହାର ପାଇଁ ଅନୁମତି ମିଳିବା ଗର୍ବର ବିଷୟ । ପ୍ରତିକୂଳ ପରିସ୍ଥିତିରେ ଆମ ବୈଜ୍ଞାନିକଙ୍କ କଠିନ ପରିଶ୍ରମ ଓ ପ୍ରତିବଦ୍ଧତା ପ୍ରତି ସାରାଦେଶ କୃତଜ୍ଞ ।
ଅଭିନନ୍ଦନ ଜଣାଇଲେ ମୋଦୀ
ଭାରତରେ ନିର୍ମିତ ଦୁଇଟି କୋଭିଡ୍-୧୯ ଟିକା ଦେଶର ଡ୍ରଗ୍ କଣ୍ଟ୍ରୋଲର୍ଙ୍କ ଅନୁମୋଦନ ପାଇଥିବାରୁ ପ୍ରତ୍ୟେକ ଭାରତୀୟ ଗର୍ବିତ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଭାରତରେ ବ୍ୟବହାର ନିମନ୍ତେ ଟିକା ଦୁଇଟିକୁ ଔପଚାରିକ ସ୍ୱୀକୃତି ମିଳିବାର କିଛି ମୁହୂର୍ତ୍ତ ପରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଜରୁରିକାଳୀନ ବ୍ୟବହାର ପାଇଁ ଅନୁମୋଦିତ ଟିକା ଦୁଇଟି ଭାରତରେ ତିଆରି ହୋଇଥିବା ଜାଣି ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ କରିବେ । ଏଥିରୁ ଆତ୍ମନିର୍ଭର ଭାରତ ସ୍ୱପ୍ନ ସାକାର କରିବା ନିମନ୍ତେ ଆମ ବୈଜ୍ଞାନିକ ସମ୍ପ୍ରଦାୟଙ୍କ ବ୍ୟଗ୍ରତା ଜଣାପଡୁଛି । ଏହା ମୂଳରେ ରହିଛି ସେବା ଓ ସମବେଦନା । ସେ ଟୁଇଟରେ ଆହୁରି ମଧ୍ୟ ଲେଖିଛନ୍ତି, ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଡାକ୍ତର, ଡାକ୍ତରଖାନା କର୍ମଚାରୀ, ବୈଜ୍ଞାନିକ, ପୋଲିସ କର୍ମଚାରୀ, ପରିମଳ କର୍ମଚାରୀ ଏବଂ ସମସ୍ତ କରୋନା ଯୋଦ୍ଧାଙ୍କୁ ଆମେ ପୁନର୍ବାର କୃତଜ୍ଞତା ଜ୍ଞାପନ କରୁଛୁ । ବହୁ ଜୀବନ ବଞ୍ଚାଇଥିବାରୁ ଆମେ ଚିରକାଳ ସେମାନଙ୍କ ନିକଟରେ କୃତଜ୍ଞ । ଆଜିର ଟିକା ଅନୁମୋଦନ କଥାକୁ ସେ ଏକ ସ୍ୱାସ୍ଥ୍ୟକର ଓ କୋଭିଡ୍ମୁକ୍ତ ଦେଶ ନିମନ୍ତେ ସୁଗମ ପଥ ନିମନ୍ତେ ନିର୍ଣ୍ଣାୟକ ମୋଡ଼ ବୋଲି କହିଛନ୍ତି । କୋଭିଡ୍-୧୯ ବିରୋଧୀ ଦୁଇଟି ଟିକା ସିରମ୍ ଇନ୍ଷ୍ଟିଚ୍ୟୁଟ୍ର କୋଭିସିଲ୍ଡ ଏବଂ ଭାରତ ବାୟୋଟେକ୍ର କୋଭାକ୍ସିନ୍ ଆଜି ଡ୍ରଗ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ ଦ୍ୱାରା ଜରୁରିକାଳୀନ ଅନୁମୋଦନ ପାଇଛନ୍ତି । ନୂଆଦିଲ୍ଲୀରେ ସୋମାନେ ଗଣମାଧ୍ୟମକୁ କହିଛନ୍ତି ଦୁଇ କମ୍ପାନୀ ଚଳାଇଥିବା ପରୀକ୍ଷଣର ତଥ୍ୟାବଳୀ ଦାଖଲ କରିଥିବାରୁ ସୀମିତ ବ୍ୟବହାର ନିମନ୍ତେ ସେମାନଙ୍କୁ ଅନୁମତି ପ୍ରଦାନ କରାଯାଇଛି ।