ହାଇଦର୍ ଫେରାର୍ ଘଟଣା : କନଷ୍ଟେବଳଙ୍କ ସମେତ ଦୁଇ ଗିରଫ

କଟକ : ଗ୍ୟାଙ୍ଗଷ୍ଟର ହାଇଦର୍ ଫେରାର୍ ଘଟଣାରେ କନଷ୍ଟେବଳ ମହମ୍ମଦ ମୌସିମଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । କନଷ୍ଟେବଳ ମହମ୍ମଦ ମୌସିମଙ୍କ ସହିତ ସମ୍ବଲପୁର ଜେଲ୍ ର ଜଣେ ୱାର୍ଡ଼ର ମଧ୍ୟ ଗିରଫ ହୋଇଛନ୍ତି । ଉଭୟଙ୍କୁ ଗିରଫ କରିଛି ମଙ୍ଗଳବାଗ ଥାନା ପୋଲିସ । ହାଇଦର ଫେରାର୍ ଘଟଣା ଦିନ ଡ୍ୟୁଟିରେ ଥିଲେ କନଷ୍ଟେବଳ ମହମ୍ମଦ ମୌସିମ । ଘଟଣାରେ ପୂର୍ବରୁ କନଷ୍ଟେବଳ ମୌସିମ ସମେତ ୬ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି ।

ପ୍ରକାଶ ଥାଉ କି, କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସାଧିନ ଥିବା ହାଇଦର ଗତ ୧୦ ତାରିଖରେ ଅପରାହ୍ନରେ କୌଶଳ କ୍ରମେ ସେଠାରୁ ଫେରାର୍ ହୋଇଯାଇଥିଲା । କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ୍ ତେଲେଙ୍ଗାନା ପୋଲିସର ସହାୟତାରେ ଗତ ୧୫ ତାରିଖରେ ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରୁ ଗ୍ୟାଙ୍ଗଷ୍ଟର ହାଇଦରକୁ ଗିରଫ କରିବାରେ ସଫଳ ହୋଇଥିଲା । କରୋନା ପଜିଟିଭ୍ ଚିହ୍ନଟ ହାଇଦରକୁ ସମ୍ପ୍ରତି ଚୌଦ୍ୱାର ଜେଲ୍ ର ଆଇସୋଲେସନ ୱାର୍ଡ଼ରେ ରଖାଯାଇଛି ।