ଘନ କୁହୁଡ଼ିରେ ଆଚ୍ଛାଦିତ ଭୁବନେଶ୍ୱର ପୁରୀ ଜାତୀୟ ରାଜପଥ । ଗତ କିଛିଦିନ ହେଲା ଉପକୂଳ ଓଡିଶାରେ ଘନ କୁହୁଡି ଦେଖିବାକୁ ମିଳୁଛି । ଆଜି ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଘନ କୁହୁଡ଼ି ପାଇଁ ଯାତାୟତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । କୁହୁଡ଼ି ପ୍ରଭାବରେ ଚାଷ କ୍ଷତି ହେବାର ସମ୍ଭାବନା ଥିବା ବେଳେ ନୂଆ କରି ଫସଲ କରିଥିବା ଚାଷୀ ଚିନ୍ତାରେ ପଡ଼ିଛନ୍ତି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗରେ ସେଭଳି କୌଣସି ପରିବର୍ତନ ହେବ ନାହିଁ । କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ରାୟଗଡ଼ା, ନୟାଗଡ଼, କଟକ, ଜଗତ୍ସିଂହପୁର, ଅନୁଗୁଳ, ବରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା କୁହୁଡ଼ି ହୋଇପାରେ । ତେବେ ୧୩ ତାରିଖଠାରୁ ରାତିର ସର୍ବନିମ୍ନ ତାପମାତ୍ରା ବଢ଼ିବ ଏବଂ ଶୀତ କମିବ । ନ ହେଲେ ସାରା ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ରେକର୍ଡ କରାଯାଇଛି। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ୧୨ ତାରିଖଠାରୁ ସର୍ବନିମ୍ନ ତାପମାତ୍ରା ବଢ଼ିବା ଯୋଗୁଁ ଶୀତ କମିବ। ବୁଧବାର ରାଜ୍ୟକୁ ଉତ୍ତର ଭାରତରୁ ଉତ୍ତରା ପବନ ସିଧା ବହିବା ସହ କେନ୍ଦ୍ରୀୟ ଭାରତରେ ଗୁରୁଚାପ ବଳୟ ଥିଲା। କିନ୍ତୁ ଏହି ବଳୟ ଆସନ୍ତା ୭ ଦିନ ଭିତରେ ବାରମ୍ବାର ସ୍ଥାନ ପରିବର୍ତନ କରିବା ହେତୁ ତାପମାତ୍ରା ମଧ୍ୟ ସେହି ଅନୁଯାୟୀ ପରିବର୍ତନ ହେବାର ସମ୍ଭାବନା ରହିଛି। ଅନୁମାନ କରାଯାଉଛି ଯେ ୧୨ରୁ ୧୪ ତାରିଖ ଭିତରେ ଉଭୟ ଉପକୂଳ ଓ ଉତ୍ତର ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ବଢ଼ିବା ଯୋଗୁଁ ଶୀତ କମିବ।