ଆଜି ତାମିଲନାଡୁ ଅତିକ୍ରମ କରିବ ଘୂର୍ଣ୍ଣିବାତ୍ୟା ‘ବୁରେଭି’

କୋଚି: ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ବୁରେଭି’ ଗଭୀର ଅବପାତରେ ପରିଣତ ହୋଇଛି ଏବଂ ଆଜି ସକାଳେ ଏହା ତାମିଲନାଡୁ ଉପକୂଳ ଅତିକ୍ରମ କରି ଅପରାହ୍ଣ ସୁଦ୍ଧା କେରଳରେ ପ୍ରବେଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନରୁ ଜଣାପଡ଼ିଛି। ଏଥିଯୋଗୁଁ ଦକ୍ଷିଣ ତାମିଲନାଡୁ ଓ ଦକ୍ଷିଣ କେରଳର କେତେକ ଅଞ୍ଚଳରେ ପ୍ରବଳ ବୃଷ୍ଟିପାତ ହେବ। ଏଥିଯୋଗୁଁ ଘଣ୍ଟାପ୍ରତି ୭୫ କିଲୋମିଟର ବେଗରେ ପବନ ଝୁଙ୍କ ସହ ଘଣ୍ଟା ପ୍ରତି ୫୫ରୁ ୬୫ କିଲୋମିଟର ବେଗରେ ବତାସ ପ୍ରବାହିତ ହେବ। ଘୂର୍ଣ୍ଣିବାତ୍ୟା ସଂକ୍ରାନ୍ତ ସତର୍କ ସୂଚନା ସମ୍ବନ୍ଧରେ ଭାରତୀୟ ପାଣିପାଗ ବିଭାଗ ପୂର୍ବରୁ ତାମିଲନାଡୁ ଓ ଦକ୍ଷିଣ କେରଳରେ ରେଡ୍‌ ଆଲର୍ଟ ଜାରି କରିଛି। ବାତ୍ୟା ଯୋଗୁଁ ଆଜି ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କେରଳର ଆନ୍ତର୍ଜାତିକ ବିମାନ ବନ୍ଦର ବନ୍ଦ ରହିବ । ସେହିପରି, ମଦୁରାଇରେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବିମାନ ସେବା ବନ୍ଦ ରହିବ। ଆଜି ତୁତିକୋରିନ୍‌ ବିମାନ ବନ୍ଦର ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି। ବତାସ ପ୍ରବାହ ଆଶଙ୍କାରେ ଆଜି ଦକ୍ଷିଣ କେରଳ ଅନ୍ତର୍ଗତ ତିରୁବନନ୍ତପୁରମ୍‌, କୋଲାମ୍‌, ପତନମତିତ୍ତ ଏବଂ ଇଡୁକ୍କି ଜିଲ୍ଲାରେ ସରକାରୀ ଓ ‘ପିଏସ୍‌ୟୁ’ ଅଫିସ୍‌ ପାଇଁ ସରକାର ଛୁଟି ଘୋଷଣା କରିଛନ୍ତି। କିନ୍ତୁ, ଏହି ଛୁଟି ବ୍ୟାଙ୍କ୍‌, ନିର୍ବାଚନ, କୋଭିଡ୍‌-୧୯ ଏବଂ ସଙ୍କଟଜନକ ପରିସ୍ଥିତି ପରିଚାଳନା କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ପ୍ରତି ଲାଗୁ ହେବନାହିଁ। ଘୂର୍ଣ୍ଣିବାତ୍ୟା ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ନିମନ୍ତେ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି କରିଥିବା କଥା ଜଣାପଡ଼ିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ତାମିଲନାଡୁ, ପୁଡୁଚେରୀ ଏବଂ କରାଇକାଲ ଉପରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି IMD ପୂର୍ବାନୁମାନ କରିଛି। ଡିସେମ୍ବର ୪, ୨୦୨୦ ରେ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ଲକ୍ଷ୍ମଦ୍ୱୀପ ଉପରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ।