ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ସର୍ବସାଧାରଣ ଦର୍ଶନ । ସକାଳୁ ସକାଳୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ତେବେ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ଦର୍ଶନରେ କୋହଳ ହେଲା କଟକଣା । ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ । କିନ୍ତୁ ବୟସସୀମା ଉପରୁ ହଟିଲା ପ୍ରତିବନ୍ଧକ । ବୟସ୍କ ଓ କମ ବୟସ୍କ ଭକ୍ତଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ନିଆଗଲା ନିଷ୍ପତ୍ତି । ପୁରୀ ଶ୍ରୀମନ୍ଦିରରେ ବୟସସୀମା କଟକଣା ଲାଗିରହିଥିବା ବେଳେ ଶ୍ରୀଲିଙ୍ଗରାଜ ମନ୍ଦିରରେ କିନ୍ତୁ ଏହି କଟକଣାକୁ କୋହଳ କରାଯାଇଛି । ମନ୍ଦିର ନିକଟରେ ବିଏମସି ପକ୍ଷରୁ ମାଗଣା କୋଭିଡ ଟେଷ୍ଟିଂର କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀଙ୍କ ସୂଚନା। ସିଂହଦ୍ୱାର ପର୍ଯ୍ୟନ୍ତ ଗୋଟିଏ ପଟେ ପ୍ରବେଶ ପଥ ଥିବା ବେଳେ ଅନ୍ୟପଟେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ଗତ ୨୭ ତାରିଖରୁ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିଥିବା ବେଳେ ପ୍ରଥମେ ସେବାୟତଙ୍କ ଦର୍ଶନ ପାଇଁ ଅନୁମତି ଦିଆଯାଇଥିଲା। ପରେ ଭୁବନେଶ୍ୱରବାସୀଙ୍କୁ ଦର୍ଶନ ପାଇଁ ଦିଆଯାଇଛି ଅନୁମତି।