ଭୁବନେଶ୍ୱର : ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ୍ ପାଇଁ ଫିଟିଲା ବାଟ । ବିଧାନସଭାରେ ଆଗତ ହେଲା ବହୁ ପ୍ରତୀକ୍ଷିତ ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ୍ ଆଣ୍ଡ ମ୍ୟାନେଜମେଣ୍ଟ ବିଲ୍-୨୦୨୩ । ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଏହି ବିଲକୁ ବିଧାନସଭାରେ ଆଗତ କରିଥିଲେ । ବିଲ୍ ଅନୁସାରେ ଫ୍ରି ହୋଲ୍ଡ ଜମି ହେଉ କି ଲିଜ୍ ହୋଲ୍ଡ, ସବୁ ଜମି ଉପରେ ଲାଗୁ ହେବ ଏହି ଆଇନ । ସେହିଭଳି ନୂଆ, ପୁରୁଣା ସବୁ ଆପାର୍ଟମେଣ୍ଟ ଏହି ଆଇନ୍ ପରିସରଭୁକ୍ତ ହେବେ । ବାସଗୃହ ପ୍ରକଳ୍ପର ସମ୍ପୂର୍ଣ୍ଣ ଜମିକୁ କମନ୍ ଏରିଆ ବୋଲି ବିବେଚନା କରାଯିବ । ଏଣିକି ବିଲ୍ଡର ହାତରୁ ଯିବ ଆପାର୍ଟମେଣ୍ଟ ପରିଚାଳନା ଦାୟିତ୍ୱ । ଆପାର୍ଟମେଣ୍ଟ କିଣିଥିବା ଗ୍ରାହକମାନଙ୍କ ପାଖରେ ରହିବ ଏହି ଦାୟିତ୍ୱ ।
ଆପାର୍ଟମେଣ୍ଟରେ ଥିବା ପାର୍କ, ପାର୍କିଂ ଏରିଆ ଏବଂ ସର୍ବସାଧାରଣ ସ୍ଥାନ ଏଣିକି ଆପାର୍ଟମେଣ୍ଟ ମାଲିକ ସଂଘ ପରିଚାଳନା କରିବ । ପୂର୍ବରୁ ଏହା ବିଲଡରଙ୍କ ହାତରେ ରହୁଥିଲା । ଏହି ବିଲ୍ରେ ପ୍ରମୋଟର ଓ ଆପାର୍ଟମେଣ୍ଟ ମାଲିକଙ୍କ ପାଇଁ କ’ଣ ଦାୟିତ୍ୱ ରହିବ ତାହା ସ୍ପଷ୍ଟ କରାଯାଇଛି । ବିଲ୍ ପାରିତ ହେବାର ୬ମାସ ମଧ୍ୟରେ ଆପାର୍ଟମେଣ୍ଟ କ୍ରେତାଙ୍କ ମଧ୍ୟରେ ଏକ ସଂଘ ପଞ୍ଜିକରଣ ହେବ । ଏହି ସଂଘ ଆପାର୍ଟମେଣ୍ଟ ପରିଚାଳନା ଦାୟିତ୍ୱ ତୁଲାଇବ । ଅକ୍ୟୁପାନ୍ସି ସାର୍ଟିଫିକେଟ୍, ଓରେରା ସାର୍ଟିଫିକେଟ୍ ଓ ଆସୋସିଏସନ୍ ଥିଲେ ହିଁ ଆପାର୍ଟମେଣ୍ଟ ଡିଡ୍ ରେଜିଷ୍ଟ୍ରେସନ ହୋଇପାରିବ । ଅକ୍ୟୁପାନ୍ସି ସାର୍ଟିଫିକେଟ୍ ଇସ୍ୟୁ ହେବାର ୩୦ ଦିନ ଭିତରେ ବିଲଡର ସମସ୍ତ ଦସ୍ତାବିଜ୍ ଆପାର୍ଟମେଣ୍ଟ କ୍ରେତାଙ୍କୁ ନେଇ ହୋଇଥିବା ସଂଘକୁ ହସ୍ତାନ୍ତର କରିବେ ।
ଆପାର୍ଟମେଣ୍ଟ ମାଲିକଙ୍କ ଦାୟିତ୍ୱ ସଂଘର ନିୟମକୁ ମାନି ଚଳିବା । ଆପାର୍ଟମେଣ୍ଟରେ କୌଣସି ପରିବର୍ତ୍ତନ କି ଅଦଳବଦଳ କରିହେବ ନାହିଁ କି କୌଣସି ବିପଜ୍ଜନକ ଦ୍ରବ୍ୟ ବା ବିସ୍ଫୋରକ ରଖିହେବ ନାହିଁ । କୌଣସି ପ୍ରକଳ୍ପରେ ଅତିକମରେ ୭ ଜଣ ବାସଗୃହ କ୍ରେତା କିମ୍ବା ୫୦ ପ୍ରତିଶତ କ୍ରେତା ଥିଲେ ହିଁ ଆସୋସିଏସନ୍ ଗଠନ ହୋଇପାରିବ । ତେବେ ଗୋଟିଏ ପ୍ରକଳ୍ପରେ ମାତ୍ର ଗୋଟିଏ ହିଁ ଆସୋସିଏସନ୍ ହୋଇପାରିବ ।
ସେହିପରି ଆସୋସିଏସନ୍ ଗଠନ ଲାଗି ପ୍ରକଳ୍ପରେ ଏକାଧିକ ଆପାର୍ଟମେଣ୍ଟ ଅଧିକାରୀ ହୋଇଥିବା ବ୍ୟକ୍ତି ମାତ୍ର ଗୋଟିଏ ହିଁ ଭୋଟ୍ ଦେଇପାରିବେ । ସେହିପରି ୩୦ବର୍ଷରୁ ଅଧିକ ଆପାର୍ଟମେଣ୍ଟ ଗୁଡ଼ିକ ସୁରକ୍ଷିତ ରହିଛି କି ନାହିଁ ତାହାକୁ ଯାଞ୍ଚ କରାଯିବ । ଏକ ସାର୍ଟିଫାଏ ସଂସ୍ଥା ମାଧ୍ୟମରେ ଆପାର୍ଟମେଣ୍ଟ କ୍ରେତାଙ୍କ ପକ୍ଷରୁ ଏହା କରାଯିବ । ପ୍ରତି ୫ବର୍ଷରେ ଥରେ ଏଭଳି ଯାଞ୍ଚ କରାଯିବ ବୋଲି ନିୟମରେ ଉଲ୍ଲେଖ ରହିଛି । ଆଉ ଯେଉଁ ଆପାର୍ଟମେଣ୍ଟ ସୁରକ୍ଷିତ ନଥିବ ସେ ବାବଦରେ ସ୍ଥାନୀୟ ଅଧିକାରୀଙ୍କୁ ଅବଗତ କରିବା ପାଇଁ ବିଡ୍ରେ ଉଲ୍ଲେଖ ରହିଛି ।