ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଦେଶରେ ବିକଶିତ ଦୁଇଟି କୋଭିଡ୍ ୧୯ ଟିକା ଦ୍ୱାରା ଭାରତ ମାନବ ସମୁଦାୟକୁ ସୁରକ୍ଷିତ ରଖିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । କୋଭିଡ୍ ୧୯ ମହାମାରୀ ସମସ୍ୟାର ସମାଧାନ ଲାଗି ଉଦ୍ଦିଷ୍ଟ ଏହି ଦୁଇଟି ଭାରତୀୟ ଟିକା ଦ୍ୱାରା ସମ୍ପୂର୍ଣ୍ଣ ବିଶ୍ୱ ଲାଭବାନ ହୋଇପାରିବ । ସେ କହିଛନ୍ତି,ଦେଶ ବାହାରେ ରହି ମଧ୍ୟ ପ୍ରବାସୀ ଭାରତୀୟମାନଙ୍କର କୋଭିଡ୍ ୧୯ ମହାମାରୀ ବିପକ୍ଷ ଲଢ଼େଇରେ ଏକ ବଡ଼ ଅବଦାନ ରହିଛି । ପି.ଏମ୍.କେୟାର୍ସ ପାଣ୍ଠିକୁ ତାଙ୍କର ଅବଦାନ ଦେଶର ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଦିଗରେ ସହାୟକ ହୋଇଛି । ଏବେ ଦେଶ ଯେତେବେଳେ ଆତ୍ମନିର୍ଭର ଭାରତ ଗଠନ ଦିଗରେ କାର୍ଯ୍ୟ କରୁଛି ପ୍ରବାସୀ ଭାରତୀୟମାନଙ୍କୁ ବ୍ରାଣ୍ଡ ଇଣ୍ଡିଆକୁ ସଶକ୍ତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତେବେ ପ୍ରବାସୀ ଭାରତୀୟମାନେ ଯେତେବେଳେ ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦ ବ୍ୟବହାର କରିବେ ସେତେବେଳେ ବିଶ୍ୱବ୍ୟାପୀ ଲୋକଙ୍କର ଏହିସବୁ ସାମଗ୍ରୀ ଉପରେ ବିଶ୍ୱାସ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି । ମୋଦୀ କହିଛନ୍ତି, ଭାରତରେ ବିକଶିତ ନୂତନ ଯୋଜନା ବିଶ୍ୱବ୍ୟାପୀ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଉଚ୍ଚପ୍ରଶଂସିତ ହୋଇଛି । ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଦେଶର ଅତି ଗରିବ ଲୋକଙ୍କୁ ମଧ୍ୟ ସଶକ୍ତ କରାଯିବା ସମ୍ପର୍କିତ ଭାରତର ଅଭିଯାନ ବିଷୟରେ ବିଶ୍ୱର ପ୍ରତି କୋଣ ଅନୁକୋଣରେ ଚର୍ଚ୍ଚା କରାଯାଉଛି । ସେହିଭଳି କୋଭିଡ୍ ମହାମାରୀରେ ଆରୋଗ୍ୟ ହାର ଅଧିକ ହେବା ସହ ମୃତ୍ୟୁହାର ମଧ୍ୟ ସର୍ବନିମ୍ନ ଥିବା ଦେଶମାନଙ୍କ ସହିତ ଭାରତ ସାମିଲ ହୋଇଛି । ଏହାଛଡ଼ା ଏହି ମହାମାରୀକୁ ପ୍ରତିହତ କରିବା ଲାଗି ଭାରତ ସମଗ୍ର ବିଶ୍ୱକୁ ମଧ୍ୟ ଔଷଧ ଯୋଗାଇବାରେ ସକ୍ଷମ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍.ଜୟଶଙ୍କର ଏହି ସମାରୋହରେ ଉଦ୍ବୋଧନ ଦେଇ କହିଛନ୍ତି କରୋନା ମହାମାରୀ ଆମ ଦେଶକୁ ଅନେକ ଶିକ୍ଷା ଦେଇଛି । ସେଥିମଧ୍ୟରୁ ସେଥିମଧ୍ୟରୁ ଆତ୍ମନିର୍ଭର ହେବା ଅନ୍ୟତମ । କରୋନା ମହାମାରୀର ଅନିଶ୍ଚିତତା ଘେରା ବିଶ୍ୱରେ ଏକ ବିଶ୍ୱାସ ଯୋଗ୍ୟ ଯୋଗାଣ ଶୃଙ୍ଖଳର ଆବଶ୍ୟକତା ସମ୍ପର୍କରେ ଆମେ ଶିକ୍ଷାଲାଭ କରିଛୁ । ଭାରତରେ ଆମେ ଆତ୍ମନିର୍ଭର ଭାରତ ନୀତିକୁ ଆପଣାଇ ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ସହ ବିଦେଶକୁ ଏହାର ଅଧିକ ରପ୍ତାନୀ କରିବାରେ ସକ୍ଷମ ହୋଇପାରିଛୁ । କୋଭିଡ୍ ମହାମାରୀ ସମୟରେ ଭାରତ ନିଜର ଔଷଧ ଆବଶ୍ୟକତା ମେଣ୍ଟାଇବା ସହ ବିଶ୍ୱକୁ ମଧ୍ୟ ଆବଶ୍ୟକ ଔଷଧ ଯୋଗାଇବାରେ ସକ୍ଷମ ହୋଇଛି । ସେହିଭଳି ଏହି ବିପର୍ଯ୍ୟୟ ସମୟରେ ଭାରତ କେବଳ ନିଜ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିନାହିଁ ବରଂ ଏ ଦିଗରେ ପଡ଼ୋଶୀଙ୍କୁ ମଧ୍ୟ ସାହାଯ୍ୟ କରିଛି । ପ୍ରବାସୀ ଭାରତୀୟ ଦିବସ ସମାରୋହର ମୁଖ୍ୟ ଅତିଥି ତଥା ସୁରିନାମର ରାଷ୍ଟ୍ରପତି ଚନ୍ଦ୍ରିକା ପ୍ରସାଦ ସନ୍ତୋଖି କହିଛନ୍ତି,ଭାରତ ସହ ସୁରିନାମର ସଂସ୍କୃତି ଓ ଐତିହ୍ୟ କ୍ଷେତ୍ରରେ ଏକ ଦୃଢ଼ ସମ୍ପର୍କ ରହିଆସିଛି । ସେହିଭଳି ବ୍ୟବସାୟ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଦିଗରେ ଦୁଇଦେଶ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି ।