ଇନ୍ଦିରା ଆବାସ ନ ଯୋଗାଇ ଘରେ ଫଳକ ଲଗାଇବା ଓ ଟଙ୍କା ହଡପ କରିଥିବା ନେଇ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ

କଲ୍ୟାଣ ସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ମାଝୀଗୁଡା ଗ୍ରାମ ପଞ୍ଚାୟତର କଟଲପାଡୁ ଗାଁର ସ୍ୱର୍ଗତ ଦାନୁ ମିଣିଆକାଙ୍କ ସ୍ତ୍ରୀ ପାଲାଇ ମିଣିଆକାଙ୍କ ନାମରେ ଇନ୍ଦିରା ଆବାସ ଗୃହ ନ ଯୋଗାଈ ଫଳକ ଲଗାଇବା ଓ ଉକ୍ତ ଟଙ୍କା ହଡପ କରିଥିବା ନେଇ ବିଡ଼ିଓ ଅନୁପ ଅଭିଷେକ ବେହେରାଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରାଯାଇଛି । ସରକାର ଗରିବ ଶ୍ରେଣୀର ଲୋକମାନଙ୍କୁ ଆବାସ ଯୋଜନାରେ ସାମିଲ କରି କଚାଘରକୁ ପକ୍କାଘର କରିଛନ୍ତି । ଇନ୍ଦିରା ଆବାସ ଯୋଜନାକୁ ବିଜୁ ପକ୍କାଘର ଯୋଜନାରେ ସାମିଲ କରି ପଞ୍ଚାୟତ ରାଜ ଓ ପନୀୟ ଜଳ ବିଭାଗ ପକ୍ଷରୁ ୨୦୧୩/୨୦୧୪ ଆର୍ଥିକ ବର୍ଷରେ କଟଲପାଡୁ ଗାଁର ଦାନୁ ମିଣିଆକାଙ୍କ ସ୍ତ୍ରୀ ପାଲାଇ ମିଣିଆକାଙ୍କୁ (୭୫୦୦୦) ଟଙ୍କା ଇନ୍ଦିରା ଆବାସ ଗୃହ ନିର୍ମାଣ କରିବା ପାଇଁ ଯୋଗାଇ ଦିଆଯାଇଛି ବୋଲି ପଞ୍ଚାୟତ ପକ୍ଷରୁ ଏକ ଫଳକ ହିତାଧିକାରୀଙ୍କ ଘର କାନ୍ତରେ ସୋମବାର ଦିନ ଲଗାଇ ଥିଲେ । ଉକ୍ତ ଫଳକ ଲଗାଇବା ବେଳେ ହିତାଧିକାରୀ ଓ ଫଳକ ମାରିବା ଲୋକ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ଏହି ପୋଷ୍ଟର ବା ଫଳକକୁ ବାହାର କରି ଆବାସ ଯୋଜନାରୁ ବଞ୍ଚିତ ଥିବା ପାଲାଇ ମିଣିଆକାଙ୍କ ପୁଅ ସନ୍ଧ୍ୟା ସମୟରେ ବିଡ଼ିଓ ଅନୁପ ଅଭିଷେକ ବେହେରାଙ୍କୁ ସାକ୍ଷାତ କରି ଘଟଣା ବିଷୟରେ କହିବା ସହ ଲିଖିତ ଅଭିଯୋଗ ଦେଇଥିଲେ । ଏଠାରେ ବିଡ଼ିଓ ଶ୍ରୀବେହେରା ଘଟଣାର ତଦନ୍ତ କରାଯିବ କହିଥିବା ଇନ୍ଦିରା ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀ କହିଛନ୍ତି । ଯଦି ୨୦୧୩/୧୪ ଆର୍ଥିକ ବର୍ଷରେ ଜଣେ ଗରୀବ ଶ୍ରେଣୀର ହିତାଧିକାରୀଙ୍କୁ ଇନ୍ଦିରା ଆବାସ ଯୋଗାଈ ଦେବା ପୂର୍ବରୁ ସାହିରେ ଗ୍ରାମ ସଭା ପଲ୍ଲୀ ସଭା କରିବା ପରେ ହିତାଧିକାରୀଙ୍କୁ କାର୍ଯ୍ୟଦେଶ ଯୋଗାଇ ଦେଲେ ଉକ୍ତ ହିତାଧିକାରୀ ଘର ତିଆରି କରୁଥିଲେ । କିନ୍ତୁ ଏଠାରେ କୌଣସି ସଭା ନ କରି କିପରି ଲୋକଙ୍କ ନାମରେ ଘର ଯୋଗାଇ ଦିଆଯାଇଛି ବୋଲି ବୁଦ୍ଧି ଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏହି ବ୍ଳକରେ ପ୍ରତେକ ପଞ୍ଚାୟତରେ ଏପରି କାର୍ଯ୍ୟ ହୋଇଥିବା ଜଣାପଡିଛି । ଏହାର ସଠିକ ତଦନ୍ତ କଲେ ପ୍ରକୃତ ସତ୍ୟା ସତ୍ୟ ଖବର ପଦାକୁ ଆସିବ ।