ନୂଆଦିଲ୍ଲୀ: ପୁଣି ବଢ଼ିଲା ସଂକ୍ରମଣ । ଦେଶରେ ୨୪ ଘଣ୍ଟାରେ ୨୦ ହଜାର ପାର କଲା ନୂଆ ମାମଲା । ଗୋଟିଏ ଦିନରେ ଆଉ ୨୦ ହଜାର ୫୪୯ ନୂଆ ସଂକ୍ରମଣ ଚିହ୍ନଟ । ୨୬ ହଜାର ୫୭୨ ଜଣ ସୁସ୍ଥ ହୋଇ ଡାକ୍ତରଖାନାକୁ ଡିସଚାର୍ଜ ହୋଇଛନ୍ତି । ସେପଟେ ଗୋଟିଏ ଦିନରେ ୨୮୬ ଜଣକ ଜୀବନ ନେଇଛି କରୋନା । ନୂଆ ମାମଲାକୁ ମିଶାଇ ମୋଟ ମାମଲା ୧ କୋଟି ୨ ଲକ୍ଷ ୪୪ ହଜାର ୮୫୩ ପାର କରିଛି । ଏବେ ସାରାଦେଶରେ ୨ଲକ୍ଷ ୬୨ ହଜାର ୨୭୨ ଆକ୍ଟିଭ୍ କେସ୍ ରହିଛି । ଏ ପର୍ଯ୍ୟନ୍ତ ୯୮ ଲକ୍ଷ ୩୪ ହଜାର ୧୪୧ ସୁସ୍ଥ ହୋଇଛନ୍ତି । ମୃତକ ସଂଖ୍ୟା ୧ ଲକ୍ଷ ୪୮ ହଜାର ୪୩୯ରେ ପହଞ୍ଚିଛି । ଗତ କିଛିଦିନ ହେଲା ଲଗାତାର ସଂକ୍ରମଣ ହ୍ରାସ ପାଉଥିବା ବେଳେ ଆଜି ସଂକ୍ରମିତଙ୍କ ସଂଖ୍ୟା ପୁଣି ୨୦ହଜାର ପାର କରିଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୦, ୫୪୯ କରୋନାଭାଇରସ୍ ଜନିତ ନୂତନ ସଂକ୍ରମଣ ଓ ୨୮୬ ମୃତ୍ୟୁ ରେକର୍ଡ କରାଯାଇଛି। ଗତକାଲି ଠାରୁ ଆଜିର ସଂକ୍ରମଣ ହାର ୨୫% ବୃଦ୍ଧି ପାଇଛି । ଅନ୍ୟପଟେ, ଦେଶରେ ବଢୁଛି ବ୍ରିଟେନ୍ ଷ୍ଟ୍ରେନ୍ ସଂକ୍ରମଣ । ୨ ଦିନରେ ଚିହ୍ନଟ ହେଲେଣି ୨୦ ପଜିଟିଭ୍ । ଯାଞ୍ଚ, କଣ୍ଟେନମେଣ୍ଟ ଓ ଟେଷ୍ଟିଂ ବଢ଼ାଇବାକୁ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏହି ମ୍ୟୁଟାଣ୍ଟ ଭାଇରସ୍ ୭୦ ପ୍ରତିଶତ ଅଧିକ ସଂକ୍ରମକ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ସେପଟେ ନୂଆ ଭୂତାଣୁକୁ ମାତ୍ ଦେବାକୁ ବିଦେଶୀ ଓ ସ୍ୱଦେଶୀ କରୋନା ଟିକା କାମ କରିବ ବୋଲି କହିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ବେଙ୍ଗାଲୁର, ହାଇଦ୍ରାବାଦ ଓ ପୁନେ ଲ୍ୟାବରେ ନମୁନା ପରୀକ୍ଷା ପରେ ୨୦ ବ୍ରିଟେନ୍ ଫେରନ୍ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ସେମଧ୍ୟରେ ୟୁପି ମେରଠର ଜଣେ ୨ ବର୍ଷୀୟା ଶିଶୁ ରହିଛି । ‘ଆଇସିଏମ୍ଆର୍’ ସୂଚନା ଅନୁସାରେ, ଡିସେମ୍ବର ୨୯ ତାରିଖ ସୁଦ୍ଧା ୧୭,୦୯,୨୨,୦୩୦ଟି ନମୁନା ପରୀକ୍ଷା କରାଯାଇଛି। ଗତକାଲି ପରୀକ୍ଷା କରାଯାଇଛି ୧୧, ୨୦, ୨୮୧ଟି ନମୁନା।