ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ କାର୍ ଉପରେ ବୋମାମାଡ ଘଟଣା : ୩ ଅଭିଯୁକ୍ତ ଗିରଫ

ଧର୍ମଶାଳା: ଯାଜପୁର ଜିଲା ଧର୍ମଶାଳା ବ୍ଲକସ୍ଥିତ ଇମାମନଗର ଠାରେ ଗତ ମାସ ୨୭ ତାରିଖରେ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ କାର୍ ଉପରକୁ ବୋମାମାଡ କରି କିଛି ଦୁର୍ବୃତ ଫେରାର୍ ହୋଇଯାଇଥିଲେ । ଏହି ଘଟଣାରେ ସର୍ବେଶ୍ୱରଙ୍କ ସମେତ ତାଙ୍କର ୨ ସହଯୋଗୀ ସୁଶାନ୍ତ ବେହେରା ଓ ବଳରାମ ଦାସ ଆହତ ହୋଇଥିଲେ । ସର୍ବେଶ୍ୱରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କ ଧର୍ମଶାଳା ଓ ପରେ କଟକସ୍ଥିତ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଏହି ଘଟଣାକୁ ନେଇ ସର୍ବେଶ୍ୱରଙ୍କ ପତ୍ନୀ ଧର୍ମଶାଳା ବିଧାୟକ ଓ ତାଙ୍କର ଗୁଣ୍ଡାମାନଙ୍କ ବିରୋଧରେ ଏତଲା ଦେଇଥିଲେ । ପରେ ଏହି ଘଟଣାକୁ ନେଇ ଧର୍ମଶାଳା ଅରାଜକତା ବୃଦ୍ଧି ପାଇବା ସହ ଏହି ଘଟଣାରେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ନେଇ ଧର୍ମଶାଳା ବିଜେପି ପକ୍ଷରୁ ଥାନା ଆଗରେ ଧାରଣା ଦିଆଯାଇଥିଲା । ତେବେ ୧୩ ଦିନ ପରେ ଆଜି ଏହି ଘଟଣାରେ ସମ୍ପୃକ୍ତ ୩ ଜଣ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବା ସହ ଅଧିକ ତଦନ୍ତ ଚାଲୁ ରହିଥିବା ନେଇ ଯାଜପୁର ଆରକ୍ଷୀ ଅଧିକ୍ଷକ ରାହୁଲ ପିଆର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ହେଲେ ଅଭିଯୁକ୍ତଙ୍କ ନାମ ଓ ଠିକଣା ଗୋପନ ରଖାଯାଇଥିବା ବେଳେ ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନ ନେଇ ଏବେ ଯାଜପୁରରେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହାକି ଜିଲା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଅଭିଯୁକ୍ତମାନେ ଯାଜପୁର, ଢ଼େଙ୍କାନାଳ ଓ ଆଠଗଡ ଅଂଚଳର ବୋଲି ଜଣାପଡିଛି ।