ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନିୟମିତତା

ମାଲକାନଗିରି: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ନିର୍ମାଣରେ ହେଉଛି ଅନିୟମିତତା । ସରକାର ମାଲକାନଗିରି ଜିଲ୍ଲାର ପ୍ରତ୍ୟେକ ଅପହଞ୍ଚ ଗାଁ ଗୁଡିକୁ କିପରି ପକ୍କା ରାସ୍ତା ସଂଯୋଗ ହୋଇପାରିବ ସେନେଇ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରୁଛନ୍ତି । ଯେହେତୁ ପ୍ରଶାସନିକ ଅଧିକାରୀ ହେଉ କିମ୍ବା ନେତା ମାଲକାନଗିରି ଜିଲ୍ଲାର ସେହି ଅପହଞ୍ଚ ଇଲାକାରେ ପହଂଚିପାରୁନାହାନ୍ତି । ଏହାର ସୁଯୋଗ ନେଇ ନିଜ ମନ ମୁତାବକ କାର୍ଯ୍ୟ କରି ମାଲେମାଲ ହେଉଛନ୍ତି ଠିକାଦାର, ସବୁ ଜାଣି ମଧ୍ୟ ନୀରବଦ୍ରଷ୍ଟା ସାଜିଛନ୍ତି ବିଭାଗୀୟ ଯନ୍ତ୍ରୀ । ତେବେ ଜିଲ୍ଲାର କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଢି ପଞ୍ଚାୟତରେ ଆରଡି ବିଭାଗ ଦ୍ଵାରା ହେଉଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନା ଫେଲ ମାରିଛି। ପଞ୍ଚାୟତର ନାକାମାମୁଡ଼ି, ନୀଳାପାରୀ, ଡୁଡୁମାଗୁଡ଼ା, ପିପିଲାପଦର, ଗାର୍ଡେନପଦର, କେନ୍ଦୁଗୁଡା, ନୂଆଗୁଡା, ଟାଇମାଲ, ରାବା, ଡାଇକ-୩, ବନ୍ଧାମାମୁଡ଼ି ଏହିଭଳି ପଂଚାୟତ ର ସବୁ ଗ୍ରାମ ଗୁଡିକୁ ଯେଉଁ ପ୍ରଧାନମନ୍ତ୍ରୀ ସଡକ ଯୋଜନା ନୂତନ କରି ନିର୍ମାଣ ହେଉଛି ତାହା ଅତି ନିମ୍ନମାନର ହେଉଥିବା ଦେଖିବାକୁ ମିଳିଛି। ଠିକାଦାର କ୍ରସର ମେଟାଲ ବ୍ୟବହାର ନ କରି ନିଜ ମନ ମୁତାବକ ସ୍ଥାନୀୟ ଅଞ୍ଚଳର ହାତ ତିଆରି ମେଟାଲ ବ୍ୟବହାର କରୁଛି। ଫଳରେ ଯେଉଁ ରୋଲର ରାସ୍ତାରେ ଚଲାଯାଉଛି ସେହି ରୋଲର ଚାଲିବା ଫଳରେ ସବୁ ମେଟାଲ ଭାଙ୍ଗି ଗୁଣ୍ଡ ହୋଇଯାଉଛି। ଆଉ ଏହି ପ୍ରଧାନମନ୍ତ୍ରୀ ସଡକ ଯୋଜନାର ସ୍ଥାନେ ସ୍ଥାନେ ଯେତେ କଲଭର୍ଟ ମଧ୍ୟ ନିର୍ମାଣ କରାଯାଉଛି ସେଥିରେ ବାଲି ବ୍ୟବହାର ନ କରି କ୍ରସର ଗୁଣ୍ଡ ବ୍ୟବହାର କରିବା ସହ ଅତି ନିମ୍ନମାନର ସିମେଣ୍ଟ ତୋଶାଳୀ ସିମେଣ୍ଟ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି। ଯାହାଫଳରେ କଲଭର୍ଟ ନିର୍ମାଣ କାର୍ଯ୍ୟ ଶେଷ ନ ହେଉଣୁ କଲଭର୍ଟ ଗୁଡିକର କାନ୍ଥ ଗୁଡିକ ଫାଟି ମେଟାଲ ଗୁଡିକ ଆଁ କରି ଦେଖାଯାଉଛି। ଏନେଇ ଆମେ ଆରଡି-୧ ଯନ୍ତ୍ରୀ ସୋମନାଥ ମୁଣ୍ଡା ଙ୍କୁ ପଚାରିବାରୁ ସେ ପୂର୍ବରୁ ଅଂଚଳରେ ବିକାଶ ହୋଇପାରୁନଥିଲା, ବର୍ତ୍ତମାନ ଧୀରେ ଧୀରେ ଏହି ଦୁର୍ଗମ ଅଂଚଳ କୁ ବିକାଶ ପହଞ୍ଚିବାରେ ଲାଗିଛି ତେଣୁ ଏନେଇ ଆମେ ଠିକାଦାରଙ୍କୁ ତାଗିଦ କରିବୁ ବୋଲି ସୂଚନା ଦେଇଥିଲେ। ତେବେ ପୂର୍ବରୁ ଉକ୍ତ ଅଂଚଳ ଗୁଡିକୁ କେବଳ ମାଟି ରାସ୍ତା ଥିଲା ବର୍ତ୍ତମାନ ଏହି ରାସ୍ତା କାମ ଗୁଡିକ ଆସିଥିବା ହେତୁ ଗ୍ରାମବାସୀଙ୍କ ଖୁସି ଦ୍ବିଗୁଣିତ ହୋଇଯାଇଥିଲା । କିନ୍ତୁ ବର୍ତ୍ତମାନ ଏଭଳି ନିମ୍ନମାନର କାମ ହେଉଥିବା ହେତୁ ଗ୍ରାମବାସୀ ମଧ୍ୟ ଅସନ୍ତୋଷ ପ୍ରକାଶ କରିବା ସହ ସମ୍ପୃକ୍ତ ଠିକାଦାରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି।