ଭୁବନେଶ୍ୱର : ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ଉପକୂଳ ମୁହାଁ ହେବ ସମ୍ଭାବ୍ୟ ବାତ୍ୟା ‘ୟସ୍’ । ଶନିବାର ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା କ୍ରମେ ଘନୀଭୂତ ହୋଇ ୨୪ ତାରିଖରେ ବାତ୍ୟାରେ ପରିଣତ ହେବ । ଏହା ଉତର-ଉତର ପଶ୍ଚିମ ଦିଗକୁ ଗତି କରି ଉପକୂଳ ମୁହାଁ ହେବ ।୨୬ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ଉପକୂଳ ଛୁଇଁବ । ଉତର ଓଡ଼ିଶା-ପଶ୍ଚିମବଙ୍ଗ ଓ ବାଂଲାଦେଶ ତଟ ମଧ୍ୟରେ ଏହା ଉପକୂଳ ଛୁଇଁବ ବୋଲି ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି ।
ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଏପର୍ଯ୍ୟନ୍ତ ଆମେ ଏହା ନିର୍ଦ୍ଦିଷ୍ଟ ଭାବେ କେଉଁଠି ସ୍ଥଳ ଭାଗ ଛୁଇଁବ, ତାହା ଆକଳନ କରିନାହୁଁ । ତେବେ ଆଉ ଗୋଟିଏ ପାଦ ଆଗକୁ ଯାଇ ଉତର ଓଡ଼ିଶା-ପଶ୍ଚିମବଙ୍ଗ ଓ ବାଂଲାଦେଶ ତଟ ମଧ୍ୟରେ ଏହା ଉପକୂଳ ଛୁଇଁବ ବୋଲି ଆକଳନ କରିଛୁ । ତେବେ ଆସନ୍ତାକାଲି ଏହା ଅବପାତର ରୂପ ନେବା ପରେ କେଉଁଠି ଲ୍ୟାଣ୍ଡଫଲ କରିବ, ତା’ର ଆକଳନ କରାଯାଇପାରିବ ।
ଶ୍ରୀ ମହାପାତ୍ର କହିଛନ୍ତି, ଏହି ଲଘୁଚାପ ପ୍ରଭାବରେ ଏବେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଅଶାନ୍ତ ରହିଛି । ୨୪ ତାରିଖ ପର୍ଯ୍ୟନ୍ତ ଏସବୁ ଅଂଚଳ ଅଶାନ୍ତ ରହିବ । ତା’ପରେ ଉତର ବଙ୍ଗୋପସାଗର ଏବଂ ନିକଟସ୍ଥ କେନ୍ଦ୍ରୀୟ ବଙ୍ଗୋପସାଗର ୨୪ ତାରିଖରୁ ୨୭ ତାରିଖ ଯାଏ ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀମାନେ ବର୍ତମାନ ସମୁଦ୍ର ଭିତରକୁ ଯିବା ଠିକ୍ ନୁହେଁ । ଏହା ଏକ ଅତି ଭୀଷଣ ବାତ୍ୟା ହୋଇଥିବାରୁ ସ୍ଥଳଭାଗ ଛୁଇଁବା ବେଳେ ଘଂଟାପ୍ରତି ସର୍ବାଧିକ ୧୬୫ କି.ମି ବେଗରେ ପବନ ହେବ । ଘଂଟାପ୍ରତି ସର୍ବନିମ୍ନ ୧୨୦ କି.ମି ବେଗରୁ ପବନ ବୋହିବ । ସ୍ଥଳ ବିଶେଷରେ ପବନର ବେଗ ଘଂଟା ପ୍ରତି ୧୮୫ କି.ମି ହେବ ।
୨୪ ତାରିଖ ସନ୍ଧ୍ୟାରୁ ଉତର ଓଡ଼ିଶା ଉପକୂଳରେ ସମୁଦ୍ର ଅଂଚଳରେ ଘଂଟା ପ୍ରତି ୪୦ରୁ ୫୦ କିମି ବେଗରେ ସେଠାରେ ପବନ ହେବ । ଧୀରେ ଧୀରେ ପବନର ବେଗ ବଢ଼ିବ । ୨୫ ତାରିଖ ସକାଳ ବେଳକୁ ଘଂଟା ପ୍ରତି ୫୦ ରୁ ୬୦ କିମି ହୋଇପାରେ । ଏବଂ ୨୬ ତାରିଖ ବେଳକୁ ଏହା ବଢ଼ିବ । ବିଶେଷ କରି ପଶ୍ଚିମବଙ୍ଗକୁ ଲାଗି ଉତର ଓଡ଼ିଶାର ଯେଉଁ ଉପକୂଳ ଅଂଚଳ ରହିଛି ସେଠାରେ ପବନର ବେଗ ସବୁଠୁ ଅଧିକ ରହିବ ବୋଲି ଅନୁମାନ କରାଯାଉଛି । ୨୫ ତାରିଖ ଅପରାହ୍ଣ ବା ସନ୍ଧ୍ୟାରୁ ଉତର ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇପାରେ ଏବଂ ଧୀରେ ଧୀରେ ଏହା ବଢ଼ି ପ୍ରବଳ ବର୍ଷା ହୋଇପାରେ । ଉତର ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ୨୬ ଓ ୨୭ ତାରିଖରେ ପ୍ରବଳ ବର୍ଷା ହୋଇପାରେ ।