ମ୍ୟାନେଜ୍‌ମେଣ୍ଟ କ୍ଷେତ୍ରରେ ଓଡ଼ିଶାକୁ ଦେବ ନୂଆ ପରିଚୟ

ଆତ୍ମନିର୍ଭର ଭାରତରେ ଯୋଗଦାନ ନିମନ୍ତେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ

ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ କରିଛନ୍ତି । ଏହି ସମାରୋହରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ, ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଇଆଇଏମ୍ ସମ୍ବଲପୁରର ଏହି ସ୍ଥାୟୀ କ୍ୟାମ୍ପସ୍ କେବଳ ଓଡ଼ିଶାର ସଂସ୍କୃତି ଏବଂ ପ୍ରାକୃତିକ ସମ୍ପଦକୁ ପ୍ରଦର୍ଶିତ କରିବ ନାହିଁ ବରଂ ମ୍ୟାନେଜମେଣ୍ଟ କ୍ଷେତ୍ରରେ ଓଡ଼ିଶାକୁ ବିଶ୍ୱସ୍ତରରେ ଏକ ପରିଚୟ ପ୍ରଦାନ କରିବ । ସେ କହିଥିଲେ ଯେ, ପୂର୍ବରୁ ବାହାରୁ ବହୁରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକ ଭାରତକୁ ଆସୁଥିବା ବେଳେ ନିକଟ ଅତୀତରେ ଭାରତୀୟ ବହୁରାଷ୍ଟ୍ରୀୟ ସଂସ୍ଥାଙ୍କର ସଂଖ୍ୟା ବୃଦ୍ଧି ପାଇଛି । ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରରେ ଷ୍ଟାର୍ଟଅପ୍‌ଗୁଡ଼ିକ ମୁଣ୍ଡ ଟେକୁଥିବା ବେଳେ ଭାରତରେ ସଙ୍କଟଜନକ ପରିସ୍ଥିତି ସତ୍ତ୍ୱେ ଅଧିକ ୟୁନିକର୍ଣ୍ଣଗୁଡ଼ିକୁ ଦେଖିବାକୁ ମିଳିଛି । କୃଷି କ୍ଷେତ୍ରରେ ଦ୍ରୁତ ସଂସ୍କାର ଜାରି ରହିଛି । ଏପରି ପରିସ୍ଥିତିରେ ଦେଶର ଆଶାଆକାଂକ୍ଷା ସହିତ ନିଜର କ୍ୟାରିୟରକୁ ଯୋଡ଼ିବା ଲାଗି ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ । ଏହି ନୂଆ ଦଶନ୍ଧିରେ ବ୍ରାଣ୍ଡ ଇଣ୍ଡିଆକୁ ଏକ ବିଶ୍ୱସ୍ତରୀୟ ପରିଚୟ ପ୍ରଦାନ କରିବା ଆପଣମାନଙ୍କର ଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସ୍ଥାନୀୟ ଉତ୍ପାଦକୁ ବିଶ୍ୱସ୍ତରକୁ ନେଇଯିବାରେ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସମ୍ବଲପୁର ଅଞ୍ଚଳରେ ରହିଥିବା ବ୍ୟାପକ ସମ୍ଭାବନାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନର ଉନ୍ନତି ନିମନ୍ତେ ଅଭିନବ ପରିକଳ୍ପନାକୁ କାର୍ଯ୍ୟକାରୀ କରିବା ଲାଗି ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ସ୍ଥାନୀୟ ହସ୍ତଶିଳ୍ପ, ବୟନ ଏବଂ ଜନଜାତି କଳା ଆଦିରେ ରହିଥିବା ଅପାର ସମ୍ଭାବନା ଯୋଗୁ ଏସବୁ ସ୍ଥାନୀୟ ଉତ୍ପାଦଗୁଡ଼ିକର ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରିବା ନିମନ୍ତେ ସେ ଆହ୍ୱାନ କରିଥିଲେ ।

ଆତ୍ମନିର୍ଭର ଭାରତ ଅଭିଯାନରେ ଯୋଗଦାନ କରିବା ଲାଗି ସ୍ଥାନୀୟ ଅଞ୍ଚଳରେ ରହିଥିବା ପ୍ରଚୁର ଖଣିଜ ସମ୍ପଦ ଏବଂ ଅନ୍ୟ ସମ୍ବଳର ଉନ୍ନତ ପରିଚାଳନା ଦିଗରେ କାର୍ଯ୍ୟ କରିବା ନିମନ୍ତେ ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ । ଆଇଆଇଏମ୍‌ ଛାତ୍ରଛାତ୍ରୀମାନେ ଆତ୍ମନିର୍ଭର ଭାରତ ମିଶନ, ସ୍ଥାନୀୟ ଉତ୍ପାଦ ଏବଂ ଅନ୍ତର୍ଜାତୀୟ ସହଭାଗିତା ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରିାରିବେ । ତେଣୁ ସେମାନେ ଲୋକାଲକୁ ଗ୍ଲୋବାଲରେ ପରିଣତ କରିବା ଲାଗି ଅଭିନବ ଉପାୟ ସନ୍ଧାନ କରିବାର ଆବଶ୍ୟକତା ରହିଛି । ଅଭିନବତାର ମିଶ୍ରଣ ଏବଂ ସମାବେଶୀକରଣର ମନ୍ତ୍ର ସହିତ ଆପଣମାନଙ୍କୁ ନିଜର ପରିଚାଳନା ଦକ୍ଷତା ପ୍ରଦର୍ଶିତ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମୋଦୀ କହିଥିଲେ । ଆଡିଟିଭ ପ୍ରିଣ୍ଟିଂ, ପରିବର୍ତ୍ତିତ ଉତ୍ପାଦନ କୌଶଳ, ଲଜିଷ୍ଟିକ୍ସ ଏବଂ ଯୋଗାଣ ଶୃଙ୍ଖଳ ପରିଚାଳନା ଭଳି ନୂତନ ଜ୍ଞାନକୌଶଳ ଆଦି କ୍ଷେତ୍ରରେ ଦେଖା ଦେଇଥିବା ନୂତନ ପରିଚାଳନାଗତ ଆହ୍ୱାନ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଏହିସବୁ ପ୍ରଯୁକ୍ତି ଡିଜିଟାଲ ସଂଯୋଗ ସହିତ ମିଶିବା ଏବଂ ଯେକୌଣସି ସ୍ଥାନରୁ କାର୍ଯ୍ୟ କରିବାର ଧାରା ଆରମ୍ଭ ହେବା ପରେ ସମଗ୍ର ବିଶ୍ୱ ଏକ ବୈଶ୍ୱିକ ଗ୍ରାମରେ ପରିଣତ ହୋଇଛି । ବିଗତ କିଛିମାସ ଧରି ଭାରତ ଅନେକ ସଂସ୍କାରକୁ ଗ୍ରହଣ କରିଛି । କେବଳ ପରିବର୍ତ୍ତନକୁ ଗ୍ରହଣ କରିନାହିଁ ବରଂ ସେଗୁଡ଼ିକୁ ଆଶାନୁରୂ ହେବା ଏବଂ ଅତିକ୍ରମ କରିବାକୁ ଚେଷ୍ଟା କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପରିବର୍ତ୍ତିତ କାର୍ଯ୍ୟଶୈଳୀ ପରିଚାଳନା ଦକ୍ଷତାର ଚାହିଦା ଉପରେ ପ୍ରଭାବ ପକାଉଛି । ଟପ୍‌-ଡାଉନ କିମ୍ବା ଟପ୍‌-ହେଭି ପରିଚାଳନା ଦକ୍ଷତା ପରିବର୍ତ୍ତେ ଏବେ ସହଭାଗୀ, ଅଭିନବ ଏବଂ ପରିବର୍ତ୍ତନକାରୀ ପରିଚାଳନାର ଆବଶ୍ୟକତା ଦେଖାଦେଇଛି । ବୋଟ୍ସ ଏବଂ ଆଲଗୋରିଦିମ୍‌ର ପରିଦୃଶ୍ୟ ସହିତ, ପ୍ରଯୁକ୍ତିଗତ ପରିଚାଳନା ଏବେ ମାନବ ପରିଚାଳନା ଭଳି ସମାନ ଭାବେ ଗୁରୁତ୍ୱୂର୍ଣ୍ଣ ହୋଇ ପଡ଼ିଛି ।

ଭାରତରେ କୋଭିଡ ସଂକଟକୁ ଯେପରି ଭାବେ ବ୍ୟାପକ ସ୍ତରରେ ଅଭିନବ ଢଙ୍ଗରେ ଏବଂ ସହଭାଗିତା ମାଧ୍ୟମରେ ପରିଚାଳନା କରାଯାଇପାରିଲା ସେ ଦିଗରେ ଗବେଷଣା କରିବା ଲାଗି ଶ୍ରୀ ମୋଦୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏତେ କମ୍ ସମୟ ମଧ୍ୟରେ କ୍ଷମତା ଓ ସାମର୍ଥ୍ୟକୁ କିରି ଭାବେ ବୃଦ୍ଧି କରାଯାଇପାରିଲା ସେ ସମ୍ପର୍କରେ ଅଧ୍ୟୟନ କରିବା ଲାଗି ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ । ଦେଶ ସ୍ୱଳ୍ପ ଅବଧିର ସମାଧାନକୁ ଛାଡ଼ି ଦୀର୍ଘକାଳୀନ ସମାଧାନର ଆଭିମୁଖ୍ୟ ଆପଣାଇଥିବାରୁ ସେ ଆନନ୍ଦ ବ୍ୟକ୍ତ କରିଥିଲେ । ସେ ଜନ ଧନ ବ୍ୟାଙ୍କ ଖାତା ଏବଂ ଏଲ୍ପିଜି ସଂଯୋଗ ସଂଖ୍ୟା ବୃଦ୍ଧିର ଉଦାହରଣ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୨୦୧୪ରେ ଏଲ୍ ିଜି ସଂଯୋଗ ମାତ୍ର ୫୫ ପ୍ରତିଶତ ଥିବା ବେଳେ ଆଜି ଏହା ୯୮ ପ୍ରତିଶତରେ ପହଂଚିଛି । ବ୍ୟାପକ ସ୍ତରରେ ଅଭିନବତାକୁ ଆପଣାଇବା, ଯୋଜନା ପ୍ରସ୍ତୁତ କରିବା ଏବଂ ଯୋଜନାକୁ କାର୍ଯ୍ୟକାରୀ କରିବା ଦ୍ୱାରା ଏହା ସମ୍ଭବପର ହୋଇପାରିଛି ବୋଲି ସେ କହିଥିଲେ । ମ୍ୟାନେଜମେଣ୍ଟର ଅର୍ଥ କେବଳ ବଡ଼ କମ୍ପାନୀ ଚଳାଇବା ନୁହେଁ ବରଂ ମ୍ୟାନେଜମେଣ୍ଟ ହେଉଛି ଜନଜୀବନର ସମସ୍ୟା ଦୂର କରିବା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଭଲ ମ୍ୟାନେଜର ହେବାକୁ ହେଲେ ଦେଶରେ ରହିଥିବା ସମସ୍ୟାଗୁଡ଼ିକୁ ବୁଝିବା ଗୁରୁତ୍ୱୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏହି କାରଣରୁ ଉଚ୍ଚଶିକ୍ଷା ସଂସ୍ଥାନଗୁଡ଼ିକରେ ବ୍ୟାପକ ସୁଯୋଗ ରହିବା ଜରୁରି ଏବଂ ସେମାନେ କେବଳ ନିଜର ବିଶେଷଜ୍ଞତା ମଧ୍ୟରେ ସୀମିତ ରହିବା ଅନୁଚିତ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜାତୀୟ ଶିକ୍ଷାନୀତିରେ ଏକ ବିସ୍ତୃତ, ବହୁବିଷୟକ ଏବଂ ସାମଗ୍ରିକ ଦୃଷ୍ଟିକୋଣ ନେଇ ସମୟ ସହ ବଦଳୁଥିବା ପେସାଦାର ଶିକ୍ଷା ବ୍ୟବସ୍ଥାରେ ରହିଥିବା ବାଧାଗୁଡ଼ିକୁ ଦୂର କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି ।