ନୂଆଁଖାଇ ରହିଲା ମାସେ, ଶ୍ରମିକଙ୍କୁ ବାଇନା ଦେବା ଆରମ୍ବ କଲେଣି ଦଲାଲ

ନୂଆପଡ଼ା : ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଆଉ ମାସେ ରହିଲା । ଏବେ ଦାଦନ ଶ୍ରମିକ ଦଲାଲ ମାନେ ସକ୍ରିୟ ହେବା ଆରମ୍ବ କଲେଣି । ନୂଆଁଖାଇ ପଶ୍ଚିମ ଓଡିଶାର ବଡ଼ପର୍ବ । ସମସ୍ତେ ଏହି ପର୍ବକୁ ଧୁମଧାମରେ ମାନିବା ପାଇଁ ନୂଆ କପଡା ସହିତ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ ଟଙ୍କାର ଆବଶ୍ୟକତା ପଡିଥାଏ । ଏହାର ଫାଇଦା ନେବା ପାଇଁ ଦାଦନ ଦଲାଲ ମାନେ ଶ୍ରମିକ ମାନଙ୍କୁ ଆଗତୁରା ବାଇନା ଦେବା ଆରମ୍ଭ କଲେଣି । କୃଷି ଭିତ୍ତିକ ଗଣପର୍ବରେ ପାରିବାରିକ ଖର୍ଚ୍ଚ ଢେର ବଢ଼ୁଥିବାରୁ ଦଲାଲ ମାନେ ଲୋକଙ୍କୁ ମୋଟା ଅଙ୍କର ବାଇନା ଦେଇ ଦାଦନ ଯିବା ପାଇଁ କହିଥାନ୍ତି । ନୂଆଁଖାଇ ପରେ ବାଇନା ନେଇଥିବା ଶ୍ରମିକମାନେ ଦାଦନ ଖାଟି ଯିବା ପାଇଁ ବାଧ୍ୟ ହୋଇଥାନ୍ତି । ପ୍ରତିବର୍ଷ ଏ ଅଞ୍ଚଳରୁ ହଜାର ହଜାର ଶ୍ରମିକ ଚାଲାଣ ହୋଇଥାଏ । ରାୟପୁର, ଭିଳାଇ, ମଧ୍ୟପ୍ରଦେଶ, ନାଗପୁର , ଆନ୍ଦ୍ରପ୍ରଦେଶ, ବିଶାଖାପାଟଣା, ଆସାମ ଦିଲ୍ଲୀ , ମୁମ୍ବାଇ ଅଞ୍ଚଳକୁ ଯାଇଥାନ୍ତି । ଅନେକ ଦାଦନ ଶ୍ରମିକ ବିଭିନ୍ନ ରୋଗରେ ପଡି ମୃତ୍ୟୁ ବରଣ କରିଥାନ୍ତି । ବାପା ମାଁ ଙ୍କ ସହିତ ଯାଉଥିବା ଶିଶୁ ମାନେ ପାଠପଢାରେ ଡୋରି ବନ୍ଧା ହୋଇଥାଏ । ମାଲିକ ମାନଙ୍କ ଅକଥନୀୟ ଅତ୍ୟାଚାର ଶିକାର ମଧ୍ୟ ହୋଇଥାନ୍ତି । ତା ସ୍ୱତେ ଦାଦନ ଶ୍ରମିକ ଦଲାଲ ମାନଙ୍କ ଫାନ୍ଦରେ ପଡି ଶ୍ରମିକ ମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି । ଏଥି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୟୋଚିତ ପଦକ୍ଷେପ ନେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।