ଯାଜପୁର: ଯାଜପୁର ରୋଡ଼ ବ୍ୟାସନଗର ପୌରାଚଂଳ ଅନ୍ତର୍ଗତ ଗ୍ରୀନ୍ ମାର୍କେଟରେ ଆଜି ଅପରାହ୍ନରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବା ଗୋଦାମ ଜଳିଯିବା ସହିତ ତିନୋଟି ଚାରି ଚକିଆ ଯାନ ସମ୍ପୂର୍ଣ୍ଣ ରୂପେ ଜଳିଯାଇଛି । ଏହି ଅଗ୍ନିକାଣ୍ଡରେ ଗୋଟିଏ ପିକଅପ୍ ଭ୍ୟାନ୍, ଗୋଟିଏ ଟ୍ରକ୍ ଓ ଗୋଟିଏ ଟ୍ରାକ୍ଟର ଜଳିଯାଇଥିବା ଜଣାପଡିଛି । ରମେଶ ରାଉତ ଓ ବଳରାମ ସାହୁଙ୍କ ଦୁଇଟି ପରିବା ଗୋଦାମ ସମ୍ପୂର୍ଣ୍ଣ ରୂପେ ଜଳିଯାଇଛି । ଗୋଦାମରେ ଥିବା କମ୍ପ୍ୟୁଟର, ନଗଦ ଟଙ୍କା, ପନିପରିବା ଓ ଅନ୍ୟାନ୍ୟ ସାଜ ସରଞ୍ଜାମ ପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ଯାଜପୁର ରୋଡ଼ ଅଗ୍ନିଶମ ସେବା କେନ୍ଦ୍ରର ତିନୋଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଂଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଦମକଳ ବାହିନୀ ଓ ପୋଲିସ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଜାରୀ ରହିଛି । ଅଗ୍ନିକାଣ୍ଡରେ ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ସମ୍ପତି ଜଳିପୋଡ଼ି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି ।