୩୦ ହଜାର ଟଙ୍କା ପାଇଁ ଝରାଫୁଲକୁ ହତ୍ୟା କରାଯାଇଥିଲା – ଏସପି : ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ

ଯାଜପୁର : ଭୁବନେଶ୍ୱର ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟରୁ ପରଦା ହଟାଇଛି ପୋଲିସ । ୩୦ ହଜାର ଟଙ୍କା ପାଇଁ ଝରାଫୁଲକୁ ହତ୍ୟା କରାଯାଇଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯାଜପୁର ଏସପି ରାହୁଲ ପିଆର ।

ଏନେଇ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ହିଁ ଝରାଫୁଲକୁ ହତ୍ୟା କରିଥିଲା । ବାଇକ୍ କିଣିବାକୁ ଝରାଫୁଲ ଠାରୁ ୩୦ ହଜାର ଟଙ୍କା ନେଇଥିଲା ରାକେଶ । ତେବେ ରାକେଶ ଟଙ୍କା ଫେରାଇବା ନିମନ୍ତେ ଦିନ ଗଡ଼ାଇବା କାରଣରୁ ଉଭୟଙ୍କ ମଧ୍ୟରେ ତିକ୍ତତା ବଢିଥିଲା । ଟଙ୍କା ନଦେଲେ ଘରକୁ ଯାଇ ଏ ସମ୍ପର୍କରେ ଜଣାଇବ ବୋଲି ଚେତାବନୀ ଦେଇଥିଲା ଝରାଫୁଲ । ଟଙ୍କା ଦେବା ବାହାନାରେ ରାକେଶ ଝରାଫୁଲକୁ ଡକାଇଥିଲା । ଜନ୍ମଦିନ ପାର୍ଟିରେ ଯୋଗଦେବାକୁ ଆସିଥିବା ଝରାଫୁଲକୁ ରାକେଶ ଅଟକାଇଥିଲା । ୨୬ ତାରିଖରେ ଏକ ହୋଟେଲକୁ ନେଇଯାଇଥିଲା ରାକେଶ ।

ସେଠାରେ ବଳ ପୂର୍ବକ ତାକୁ ମଦ ପିଆଇଥିଲା । ଝରାଫୁଲ ମଦ ପିଇ ଚେତାଶୂନ୍ୟ ହୋଇପଡିବା ପରେ ସେ ଶ୍ୱାସରୁଦ୍ଧ କରି ତାଙ୍କୁ ହତ୍ୟା କରିଥିଲା । ପରେ ଉଭୟ ସହଯୋଗୀଙ୍କୁ ଡାକି ଶବ ଫିଙ୍ଗିବା ବ୍ୟବସ୍ଥା କରିଥିଲା । ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାକେଶ ସମେତ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ଆଗକୁ ରିମାଣ୍ଡରେ ଆଣି ସେମାନଙ୍କୁ ଅଧିକ ପଚରା ଉଚୁରା କରାଯିବ ବୋଲି କହିଛନ୍ତି ଏସପି । ଖୁବ୍ ଶୀଘ୍ର ମାମଲାର ଚାର୍ଜସିଟ୍ କରାଯିବ ବୋଲି ସେ କହିଛନ୍ତି ।