ବିକାଶପଥେ କଳାହାଣ୍ଡ: ଭୋକର ଭୂଗୋଳରୁ ଏବେ ଭାତହାଣ୍ଡି

ଭୁବନେଶ୍ୱର: କଳାହାଣ୍ଡି ଦେଶରେ ବିକାଶର ନୂଆ ମଡେଲ୍ । ଗରିବୀର ପରୀକ୍ଷାଗାର ନୁହେଁ । ଜିଲ୍ଲା ଆଜି ନୂଆ ପରିଚୟ ସୃଷ୍ଟି କରିବା ସହିତ ଭୋକର ଭୂଗୋଳ ନୁହେଁ, ଆଜି ଭାତହାଣ୍ଡି ହୋଇଛି । ଓଡ଼ିଶାକୁ ବିକାଶର ନୂଆ ବାଟ ଦେଖାଇଛି । ଜିଲ୍ଲା ବିକାଶର ଶ୍ରେୟ ଇନ୍ଦ୍ରାବତୀକୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଦିନିକିଆ କଳାହାଣ୍ଡି ଗସ୍ତରେ ଯାଇ ୨୦୮୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ୫୪ଟି ପ୍ରକଳ୍ପର ଉଦ୍ଘାଟନ ସେ କରିଥିବା ବେଳେ ୫୨ଟି ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଥିଲେ । ଏହି ଅବସରରେ କଳାହାଣ୍ଡି ବିକାଶରେ ବିଜୁବାବୁ କିପରି ତାଙ୍କ ପ୍ରେରଣା ହୋଇଛନ୍ତି ସେ ଉପାଖ୍ୟାନ ରାଜ୍ୟବାସୀଙ୍କୁ ସେ ଜଣାଇଥିଲେ ।

କଳାହାଣ୍ଡି ବିକାଶର ମୁଖ୍ୟଧାରାରେ ସାମିଲ ହୋଇସାରିଛି । ଆଜି ଯୋଡ଼ି ହୋଇଛି ନୂଆ ଅଧ୍ୟାୟ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟପାଟଣା ବ୍ଲକ୍ ଅନ୍ତର୍ଗତ କନକପୁର ଅସ୍ଥାୟୀ ହେଲ୍ୟିାଡ୍ରେ ଦିନ ୧୧ଟା ୩୦ରେ ଅବତରଣ କରିବା ପରେ ମଙ୍ଗଳପୁର ଅପର ଇନ୍ଦ୍ରାବତୀ ପମ୍ପହାଉସ୍ ଆଗରେ ଆୟୋଜିତ ଉତ୍ସବ ସ୍ଥଳକୁ ଆସିଥିଲେ । ମୁଖ୍ୟମନ୍ତ୍ରୀ ସେଠାରେ ଇନ୍ଦ୍ରାବତୀ ଉଠାଜଳସେଚନ ପ୍ରକଳ୍ପକୁ ଲୋକାର୍ପିତ କରିବା ସହ ୧୦୬୪କୋଟି ୮୬ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୫୪ ପ୍ରକଳ୍ପର ଉଦ୍ଘାଟନ ଏବଂ ୧୦୨୦ କୋଟି ବ୍ୟୟରେ ୫୨ଟି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ତାଙ୍କ ସ୍ୱାଗତ ଭାଷଣରେ ଅପର ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ୯୮୬.୭୧କୋଟି ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପ ଖୁବ୍ କମ୍ ସମୟ ଅର୍ଥାତ ୫ବର୍ଷରେ କାର୍ଯ୍ୟକ୍ଷମ ହୋଇପାରିଛି । ଏହାଦ୍ୱାରା ୨୫,୨୭୫ ହେକ୍ଟର ଜମିରେ ଜଳସେଚନ ସୁବିଧା ହୋଇପାରିବ । ୩ଲକ୍ଷରୁ ଉଦ୍ଧ୍ୱର୍ ଚାଷୀ ଏହାଦ୍ୱାରା ଉପକୃତ ହେବେ । ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ହୋଇଥିବା ଏହି ପ୍ରକଳ୍ପରେ ୪୩.୨୬ କିମି କଂକ୍ରିଟ୍ କେନାଲ ହୋଇଥିବା ବେଳେ ୧୧୪୨ କିମି ଭୂତଳ ପାଇପ୍ ଲାଇନ୍ କରାଯାଇଛି । ଉକ୍ତ ପ୍ରକଳ୍ପକୁ ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ ଦର୍ଶାଇବା ସହିତ କଳାହାଣ୍ଡି ଆଜି ବିକାଶପଥରେ ଆଗେଇ ଚାଲିଛି ବୋଲି ଶ୍ରୀମତୀ ଗର୍ଗ କହିଥିଲେ ।

ଆୟୋଜିତ ସଭାରେ ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ଶିଶୁ ଓ ମହିଳା ବିକାଶ ମନ୍ତ୍ରୀ ଟୁକୁନି ସାହୁ, ବିଜେପି ସାଂସଦ ବସନ୍ତ ପଣ୍ଡା ପ୍ରମୁଖ ଭାଷଣ ଦେଇଥିଲେ । ଏହି ସଭାରେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଏବଂ ବହୁ ସଂଖ୍ୟାରେ ବିଜେଡି ନେତା ଓ ମନ୍ତ୍ରୀ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ସଫଳ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଥିଲା । ୭୧ ମନ୍ତ୍ରୀ, ବିଧାୟକ ଓ ସାଂସଦ ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳ ଓ ବିଭିନ୍ନ ପଞ୍ଚାୟତରେ ଉପସ୍ଥିତ ଥିଲେ । କୋଭିଡ୍ ନିୟନ୍ତ୍ରଣ ହେବା ପରେ ପ୍ରଥମଥର ପାଇଁ କଳାହାଣ୍ଡିରେ ଜନସମାବେଶରେ ସାମିଲ୍ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଭାରେ କଡ଼ାକଡ଼ି କୋଭିଡ୍ ନିୟମ ପାଳନ କରାଯାଇଥିଲା । ଜିଲ୍ଲାରେ ଅନେକ ବ୍ୟକ୍ତି ଏଥିରେ ଯୋଗଦେଇ ପାରିନଥିବାରୁ ୩୦ଟି ପଞ୍ଚାୟତ କାର୍ଯ୍ୟାଳୟରେ ଭିଡିଓ କନ୍ଫରେନ୍ସିଂରେ ଏହି କାର୍ଯ୍ୟକ୍ରମ ଦେଖିଥିଲେ । ସଭା ଶେଷ ଆଡକୁ କଳାହାଣ୍ଡିର ସାଂସ୍କୃତିକ ସାମାଜିକ ଚିତ୍ରକୁ ଉପସ୍ଥାପିତ କରିଥିଲେ କଳାକାର । କଳାହାଣ୍ଡିର ବିକାଶ ଧାରାକୁ ପ୍ରଦର୍ଶନ କରିଥିଲେ ପ୍ରିନ୍ସ ଡ୍ୟାନ୍ସ ଗୃହ । ଯାହା ସମସ୍ତଙ୍କର ମନକୁ ମୋହି ନେଇଥିଲା ।

ଇନ୍ଦ୍ରାବତୀ କେବଳ ନଦୀ ନୁହେଁ: ଆମର ଜୀବନରେଖା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇନ୍ଦ୍ରାବତୀ ଉଠାଜଳସେଚନ ପ୍ରକଳ୍ପ ଉଦ୍ଘାଟନ କରିବା ଅବସରରେ ଉଦ୍ବୋଧନ ଦେଇ କଳାହାଣ୍ଡି ବିକାଶର ସବୁ ଶ୍ରେୟ ଇନ୍ଦ୍ରାବତୀ ନଦୀକୁ ଦେଇଥିଲେ । ସେ କହିଥିଲେ ଇନ୍ଦ୍ରାବତୀ କେବଳ ନଦୀ ନୁହେଁ, ଆମର ମା’,କଳାହାଣ୍ଡିବାସୀଙ୍କ ଜୀବନରେଖା । ଇନ୍ଦ୍ରାବତୀର ଟୋପାଏ ବି ପାଣିକୁ ନଷ୍ଟ କରିବା ନାହିଁ । ଏହାର ପ୍ରତିଟି ଜଳବିନ୍ଦୁକୁ କଳାହାଣ୍ଡିର ବିକାଶରେ ଲଗାଇବା । ଆମର ଭବିଷ୍ୟତ ବଂଶଧରଙ୍କ ପାଇଁ ଏହାର ଜଳୁ ସଂରକ୍ଷିତ ରଖିବାକୁ ସଂକଳ୍ପ ନେବା ବୋଲି ନବୀନ ଆହ୍ୱାନ ଦେଇଥିଲେ । ଏଥିସହିତ ଇନ୍ଦ୍ରାବତୀର ଅବଦାନକୁ ସମ୍ମାନ ଜଣାଇ ଏଠାରେ ମ୍ୟୁଜିୟମ୍ ଏବଂ ଉଦ୍ୟାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଉଦ୍ୟାନ ମଧ୍ୟରେ ଇନ୍ଦ୍ରାବତୀଙ୍କ ମନ୍ଦିର ନିର୍ମାଣ କରାଯିବ ଏବଂ ଇନ୍ଦ୍ରାବତୀ ମ୍ୟୁଜିୟମ୍ କଳାହାଣ୍ଡିର ବିକାଶ କାହାଣୀ ସାରାବିଶ୍ୱକୁ କହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ବିଜୁବାବୁଙ୍କ କଳାହାଣ୍ଡି ସମ୍ପର୍କର ସ୍ମୃତିଚାରଣ କଲେ ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମଙ୍ଗଳପୁର ସଭାରେ ତାଙ୍କ ବାପା ବିଜୁବାବୁଙ୍କ କଳାହାଣ୍ଡି ସହିତ ସମ୍ପର୍କରେ ଏକ ସ୍ମୃତିଚାରଣ କରିଥିଲେ । ସେ କହିଥିଲେ ୯୦ଦଶକରେ ବିଜୁବାବୁ ମୁଖ୍ୟମନ୍ତ୍ରୀ ଥିବାବେଳେ ଭବାନୀପାଟଣା ଗସ୍ତ ସମୟରେ କିଛି ପିଲା ତାଙ୍କ ଉପରକୁ ପଥରମାଡ କରିଥିଲେ । ବିଜୁବାବୁ ତାଙ୍କ ବିଶାଳ ହୃଦୟରେ ସେହି ପିଲାମାନଙ୍କୁ କ୍ଷମା କରିଥିଲେ । ପରେ ତାଙ୍କ ପୁଅ ଭାବରେ ମୁଁ ଯେତେବେଳେ ଏହି ବିଷୟରେ ତାଙ୍କୁ ପଚାରିଥିଲି, ସେ କହିଥିଲେ ‘ନଥିଙ୍ଗ ଟୁ ବି ଓରିଡ୍’। କଳାହାଣ୍ଡିବାସୀ ମୋତେ ବହୁତ ଭଲ ପାଆନ୍ତି । ମୁଁ ମଧ୍ୟ କଳାହାଣ୍ଡିକୁ ବହୁତ ଭଲ ପାଏ । କଳାହାଣ୍ଡି ମାଟିରେ ମୋର ଯେତିକି ରକ୍ତବିନ୍ଦୁ ପଡ଼ିଛି, କଳାହାଣ୍ଡିର ବିକାଶ ପାଇଁ ମୁଁ ତାର ୧୦ଗୁଣ ଅଧିକ ପରିଶ୍ରମ କରିବି । ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ସମୟର ସ୍ମୃତିଚାରଣ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଓଡ଼ିଶା ମା’ର ସେବା ପାଇଁ ମୁଁ ଯେତେବେଳେ ସୁଯୋଗ ପାଇଲି, ସେତେବେଳେ ବିଜୁବାବୁଙ୍କର ଏହି କଥା ମୋ ମନକୁ ବାରମ୍ବାର ଆସୁଥିଲା ଏବଂ କଳାହାଣ୍ଡିର ବିକାଶ ପାଇଁ ମୋତେ ମାର୍ଗ ଦେଖାଉଥିଲା । ଏ ଭିତରେ କଳାହାଣ୍ଡିର ଛବି ଉଜ୍ୱଳ ହୋଇଛି । ନୂଆ ଓଡ଼ିଶା ପାଇଁ ଏହି ଜିଲ୍ଲା ବାଟ ଦେଖାଇଛି ।