ପଞ୍ଜାବ : ଆତ୍ମଘୋଷିତ ମୌଳବାଦୀ ଶିଖ ପ୍ରଚାରକ ଓ ଖଲିସ୍ତାନ ସମର୍ଥକ ଅମ୍ରିତପାଲ ସିଂହକୁ ଶେଷରେ ଗିରଫ କରିଛି ପଞ୍ଜାବ ପୋଲିସ୍ । ବେଶ ନାଟକୀୟ ଢଙ୍ଗରେ ତାକୁ ଗୋଡ଼ାଇ ଗୋଡ଼ାଇ ପୋଲିସ୍ ଗିରଫ କରିବାକୁ ସକ୍ଷମ ହୋଇଛି । ୭ ଜିଲ୍ଲାର ପୋଲିସ୍ କର୍ମଚାରୀଙ୍କୁ ନେଇ ଗଠିତ ପଞ୍ଜାବ ପୋଲିସ୍ର ସ୍ୱତନ୍ତ୍ର ଟିମ ଆଜି ବିଚ୍ ରାସ୍ତାରେ ଅମ୍ରିତପଲକୁ ଗିରଫ କରିଛି । ଆଜି ଅମ୍ରିତପାଲ ସିଂହ ନିଜର କିଛି ସମର୍ଥକଙ୍କ ସହ ଜଲନ୍ଧରର ଶାହକୋଟ ତହସିଲକୁ ଯାଉଥିଲା । ତେବେ ପୁଲିସ୍ ତା’ କନଭୟକୁ ଅଧା ବାଟରେ ଅଟକାଇଥିଲା । କିନ୍ତୁ ସେ ସେଠାରୁ ଖସି ଯାଇଥିଲା ।
କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ପଞ୍ଜାବ ପୋଲିସ୍ ତା’କୁ ଗିରଫ କରିବାକୁ ସକ୍ଷମ ହୋଇଛି । ପୋଲିସ୍ ଅମ୍ରିତପାଲକୁ ଗିରଫ କରିଥିଲେ ହେଁ ପ୍ରକୃତରେ ସେ କେମିତି ଧରାପଡ଼ିଲା ସେବିଷୟରେ ବିସ୍ତୃତ ସୂଚନା ଦିଆଯାଇନି । ଅମ୍ରିତପାଲ ଗିରଫ ହେବା ପରେ ତା’ର ସମର୍ଥକମାନେ ଶାହକୋଟ ଅଭିମୁଖେ ବାହାରିଛନ୍ତି । ଏଥିସହ ଏଥିରେ ସାଧାରଣ ଲୋକଙ୍କୁ ମଧ୍ୟ ସାମିଲ ହେବାକୁ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ କରାଯାଉଛି । ସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ଥିବାରୁ ରାଜ୍ୟ ସରକାର ଆସନ୍ତାକାଲି ରାତି ୧୨ଟା ଯାଏ ପଞ୍ଜାବରେ ଇଣ୍ଟରନେଟ ଓ ଏସଏମଏସ୍ ସେବାକୁ ବନ୍ଦ କରି ଦେଇଛନ୍ତି ।
ସେହିପରି ସ୍ଥିତିକୁ ଦେଖି ଅମ୍ରିତପାଲର ଗାଁ ଜାଲ୍କୁପୁର ଖଇରାରେ ବିପୁଳ ସଂଖ୍ୟାରେ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ସୂତ୍ର ଅନୁସାରେ ରାଜ୍ୟରେ ଚାଲିଥିବା ଜି-୨୦ କାର୍ଯ୍ୟକ୍ରମ ଶେଷ ହେବାକୁ ପଞ୍ଜାବ ସରକାର ଅପେକ୍ଷା କରିଥିଲେ । ଏହା ଶେଷ ହେବା କ୍ଷଣି ପୋଲିସ୍ ଆଜି ଅମ୍ରିତପାଲ ସିଂହକୁ ଗିରଫ କରିଛି । ଏପରି ଗିରଫଦାରୀ ପୂର୍ବରୁ ମାର୍ଚ୍ଚ ୨ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ଏହି ଭେଟଘାଟ ପରେ ଆଜି କେନ୍ଦ୍ର ପକ୍ଷରୁ ଅଧିକ ସୁରକ୍ଷାକର୍ମୀଙ୍କୁ ପଞ୍ଜାବ ପଠାଯାଇଥିଲା । ଏହାପରେ ହିଁ ଅମ୍ରିତପାଲକୁ ଗିରଫ କରାଯାଇଥିବା ଜଣାପଡ଼ିଛି ।