ନୂଆଦିଲ୍ଲୀ : କେନ୍ଦ୍ର ଯୁବ ବ୍ୟାପାର ତଥା କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଆଜି ନୂଆଦିଲ୍ଲୀର ଜେଏଲ୍ଏନ୍ ଷ୍ଟାଡିୟମରେ ଏକ ମେଗା ଉଦଘାଟନୀ ସମାରୋହରେ ଖେଲୋ ଇଣ୍ଡିଆ ଦଶ୍ କା ଦମ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୩ ଉତ୍ସବର ଏକ ଅଂଶ ଭାବରେ ଆୟୋଜିତ ଏହି ପ୍ରତିଯୋଗିତା ଆଜି ଦେଶର ୫୦ ରୁ ଅଧିକ ସହରରେ ଏକକାଳୀନ ଭାବେ ଆରମ୍ଭ ହୋଇଛି । ଅନେକ ମାସରୁ ସାରା ଦେଶରେ ଚାଲୁଥିବା ଏକାଧିକ ଖେଲୋ ଇଣ୍ଡିଆ ମହିଳା ଲିଗ୍ ର ସଫଳତାର ଉପରକୁ ଯାଇ, ଦଶ୍ କା ଦମ୍ ପଦକ୍ଷେପ ସାରା ଦେଶରେ ହଜାର ହଜାର ମହିଳାଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବ ।
୧୦ ରୁ ୩୧ ମାର୍ଚ୍ଚ ମଧ୍ୟରେ ମୋଟ ୧୦ ଟି କ୍ରୀଡ଼ାରେ ଭାରତର ୨୬ ଟି ରାଜ୍ୟରେ ଅବସ୍ଥିତ ୫୦ ରୁ ଅଧିକ ସହରରେ ଏହି ପ୍ରତିଯୋଗିତାରେ ପାଖାପାଖି ୧୫୦୦୦ ଆଥଲେଟ୍ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମ ପାଇଁ ଭାରତ ସରକାର ମୋଟ ୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଶୁକ୍ରବାର ସକାଳେ ଏହି କାର୍ଯ୍ୟକ୍ରମର ଗ୍ରାଣ୍ଡ୍ ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ସାଇର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ କ୍ରୀଡା ପ୍ରାଧିକରଣର ମହାନିର୍ଦ୍ଦେଶକ ସନ୍ଦୀପ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ ।
ଉଦଘାଟନୀ ସମାରୋହରେ ଜେଏଲ୍ଏନ୍ ଷ୍ଟାଡିୟମରେ ପ୍ରାୟ ୨୦୦୦ ମହିଳା ଆଥଲେଟ୍ ମଧ୍ୟ ଯୋଗ ଦେଇଥିଲେ, ଯେଉଁଥିରେ ଖେଲୋ ଇଣ୍ଡିଆ ଦଶ୍ କା ଦମ୍ ଅଂଶଗ୍ରହଣକାରୀ ଓ ଶିବିରାର୍ଥୀ ରହିଥିଲେ । ଶ୍ରୀ ଠାକୁର କହିଛନ୍ତି, ବଢାଓ କଦମ୍ ହେଉଛି ଖେଲୋ ଇଣ୍ଡିଆ ଦଶ୍ କା ଦମ୍ କାର୍ଯ୍ୟକ୍ରମର ଟ୍ୟାଗଲାଇନ୍ ଏବଂ ଏହା କ୍ରୀଡ଼ା ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଆମେ ନେଇଥିବା ଅନ୍ୟ ଏକ ପ୍ରମୁଖ ପଦକ୍ଷେପ ।