ମୁମ୍ବ।ଇ : ଶୁକ୍ରବାରଠାରୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳା ଖେଳିଛି ଘରୋଇ ଭାରତ । ଏହି ଶୃଙ୍ଖଳାରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ କୀର୍ତ୍ତିମାନ ଦ୍ୱାରରେ ପହଞ୍ଚିଛନ୍ତି ଭାରତୀୟ ବ୍ୟାଟିଂ ମହାରଥୀ ବିରାଟ କୋହଲି । ଆଉ ୫୯ ରନ୍ କଲେ ଘରୋଇ ମାଟିରେ ସର୍ବାଧିକ ଦିନିକିଆ ସ୍କୋର୍ କରିବାରେ ପଣ୍ଟିଂଙ୍କ କୀର୍ତ୍ତିମାନକୁ କୋହଲି ଅତିକ୍ରମ କରିବେ । ରିକି ପଣ୍ଟିଂ ଘରୋଇ ମାଟିରେ ୧୫୩ଟି ଦିନିକିଆ ମ୍ୟାଚ୍ ଖେଳି ୫୪୦୬ ରନ୍ କରିଛନ୍ତି ।
ଅନ୍ୟପକ୍ଷରେ ବିରାଟ କୋହଲି ଭାରତରେ ୧୦୭ଟି ଦିନିକିଆ ଖେଳି ୫୩୪୮ ରନ୍ କରିଛନ୍ତି । ସଚିନ ତେନ୍ଦୁଲକର ଭାରତରେ ୧୬୪ଟି ଦିନିକିଆ ମ୍ୟାଚ୍ ଖେଳି ସର୍ବାଧିକ ୬୯୭୬ ରନ୍ କରିଛନ୍ତି । ପୁଣି ଏହି ଶୃଙ୍ଖଳାରେ ଆଉ ୧୯୧ ରନ୍ କଲେ କୋହଲି ଦିନିକିଆରେ ୫ମ ବ୍ୟାଟ୍ସମ୍ୟାନ ଭାବେ ୧୩୦୦୦ ରନ୍ ପୂରଣ କରିବେ । ପୂର୍ବରୁ ସଚିନ, କୁମାର ସାଙ୍ଗାକାରା, ପଣ୍ଟିଂ ଓ ସନତ ଜୟସୂରିୟା ଏହି କୃତିତ୍ୱ ହାସଲ କରିଛନ୍ତି । ୪୬ଟି ଦିନିକିଆ ଶତକ ହାସଲ କରିଥିବା କୋହଲି ଏହି ଶୃଙ୍ଖଳାରେ ସଚିନ ତେନ୍ଦୁଲକରଙ୍କ ବିଶ୍ୱ କୀର୍ତ୍ତିମାନ ୪୯ଟି ଦିନିକିଆ ଶତକ ସଂଖ୍ୟାର ନିକଟବର୍ତ୍ତୀ ହେବାର ପ୍ରୟାସ କରିବେ ।