ବୈପାରିଗୁଡା : କୋରାପୁଟ ଜିଲ୍ଲାପାଳ ଅବଦୁଲ ଅହମ୍ମଦ ଅକତର ଅଚାନକ ବୈପାରିଗୁଡା ଗସ୍ତ କରିଥିଲେ । ବୈପାରିଗୁଡା ବ୍ଲକ୍ କାର୍ଯ୍ୟାଳୟରେ ଜିଲ୍ଲାପାଳ ପହଂଚିବା ପରେ ବ୍ଲକ୍ କର୍ମଚାରୀମାନେ ଜିଲ୍ଲାପାଳ ଅବଦୁଲ ଏମ. ଅକତରଙ୍କୁ ପାଛୋଟି ନେଇଥିଲେ । ବ୍ଲକ୍ କାର୍ଯ୍ୟାଳୟର ସଭା ଗୃହରେ ଜିଲ୍ଲାପାଳ କର୍ମଚାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ଜିଲ୍ଲାପାଳ ଅବଦୁଲ ଏମ. ଅକତର ବ୍ଲକ୍ ରେ ଚାଲିଥିବା ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ବିଡ଼ିଓ ଅଭିମନ୍ୟୁ କବି ଶତପଥିଙ୍କ ଠାରୁ ପଚାରି ବୁଝିଥିଲେ ।
ଏହା ପରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷୟତ୍ରୀ ମମତା ସୋଏଙ୍କ ସହ ବିଦ୍ୟାଳୟର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିବା ବେଳେ ନବ ନିର୍ମିତ ସ୍ମାଟ ଶ୍ରେଣୀ ଗୃହ ପରିଦର୍ଶନ କରିଥିଲେ । ଶେଷରେ ବିଏସଏଫ କ୍ୟାମ୍ପ ମଧ୍ୟ ପରିଦର୍ଶନ କରିଥିଲେ ଏବଂ ଏଥିସହ ବୈପାରିଗୁଡା ଥାନା ଅଧିକାରୀ ରଘୁନାଥ ମାଝୀଙ୍କୁ ଭେଟି ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ବୈପାରିଗୁଡା ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏପରି ପରିଦର୍ଶନ କରିଥିବା ଜଣାପଡିଛି ।