ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସି ପାହାଡ ଉପରେ ଥିବା କିରିମିଟ ଜଙ୍ଗଲରେ ପୋଲିସ ଯବାନ ମାନେ ଏକ ମାଓ ଶିବିର ଠାବ କରିବା ସହ ସେଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିବା ମାଲକାନଗିରି ଏସପି ପ୍ରହଲ୍ଲାଦ ମୀନା ସୂଚନା ଦେଇଛନ୍ତି । ମାଥିଲି ଥାନା ଅନ୍ତର୍ଗତ ତୁଳସି ପାହାଡ ସ୍ଥିତ କିରିମିଟ ଜଙ୍ଗଲରେ ମାଓବାଦୀମାନେ ଶିବିର କରି ରହିଥିବା ଖବର ମିଳିବା ପରେ ଗତକାଲି ଏସ.ଓ.ଜି/ଡି.ଭି.ଏଫ ଓ ବି.ଏସ.ଏଫ ଯବାନମାନେ ମିଳିତ କୁମ୍ବିଂ ଅପରେସନ ଜାରି କରିଥିଲେ । ଯବାନମାନଙ୍କ କମ୍ବିଂ ଅପରେସନ ଜାଣି ମାଓବାଦୀ ମାନେ ପ୍ରଥମେ ଗୁଳି ଚାଳନା କରିଥିଲେ । ଯବାନ ମାନେ ମଧ୍ୟ ଏହାର କଡ଼ା ଜବାବ ଦେଇଥିଲେ । ପାଲଟା ଗୁଳି ବିନିମୟ କରିଥିଲେ । ପରସ୍ପର ମଧ୍ୟରେ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହେବା ପରେ ନକ୍ସଲମାନେ ଘଟଣାସ୍ଥଳରୁ ପଳାୟନ କରିଥିଲେ । ପରବର୍ତ୍ତି ସମୟରେ ଯବାନଙ୍କ ପକ୍ଷରୁ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ସର୍ଚ୍ଚ ଅପରେସନ ବେଳେ ମାଓ ଶିବିରରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସହ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଥିଲା । ତନ୍ମଧ୍ୟରେ ଅନେକ ଅଫୁଟା ଗୁଳି, ଲ୍ୟାଣ୍ଡମାଇନ, ଡିଟୋନେଟର, ୱାକି ଟକି, ନକ୍ସଲ କିଟ୍ ବ୍ୟାଗ, ମାଓ ପୋଷାକ, ଔଷଧ ପତ୍ର ସହ ଅନେକ ମାଓ ପୋଷ୍ଟର ମଧ୍ୟ ରହିଛି । ତେବେ ଟପ୍ ମାଓ ନେତା ସୁରେଶ ଓରଫ ସୁରାନା ଏହି ମାଓ ଶିବିରରୁ ଖସି ପଳାଇଥିବା ମାଲକାନଗିରି ଏସ.ପି ପ୍ରହଲ୍ଲାଦ ମୀନା ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।