ପୁରୀ: ବୁଧବାର ପୂର୍ବାହ୍ନ ୧୧.୩୦ରେ ଶ୍ରୀଜଗନ୍ନାଥ ମନ୍ଦିର ପୁରୀର ଅଗଣିତ ଭକ୍ତ, ସେବାୟତ, କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ଜନିତ ଜରୁରୀକାଳୀନ ଆବଶ୍ୟକତା ନିମନ୍ତେ ଖୋଲା ଯାଇଥିବା ପ୍ରାଥମିକ ଚିକିତ୍ସା କେନ୍ଦ୍ର ଆଜିଠାରୁ କାର୍ଯ୍ୟ ଆରମଭ କରିଛି । ଦର୍ଶନ ନିମନ୍ତେ ଆସିଥିବା ଦୁଇଜଣ ବୟୋଜ୍ୟେଷ୍ଠ ଭକ୍ତ କଟକସ୍ଥ ଗଡ଼ମ୍ବା, ଝଜିଆ ଗ୍ରାମର ମାଟିଆ ସ୍ୱାଇଁ ଏବଂ ସାତପଡ଼ା ଆଳୁ ପାଟଣା ଗ୍ରାମର ରାଜୁ ଜେନାଙ୍କ ଦ୍ୱାରା ଏହି କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ଏହି ଶୁଭ ଅବସରରେ ଉପସ୍ଥିତ ବରିଷ୍ଠ ଅଧିକାରୀ, କର୍ମଚାରୀଙ୍କ ଉପସ୍ଥିତିରେ ବରିଷ୍ଠ ଭକ୍ତ ଦ୍ୱୟଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଦେଇ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଏବଂ ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ ପ୍ରାଥମିକ ଚିକିତ୍ସା କେନ୍ଦ୍ରଟି ସକାଳ ୬ରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟ କରିବ । ଏଠାରେ ଆବଶ୍ୟକ ପରିମାଣ ଔଷଧ ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ଉପଲବ୍ଧ ହେବା ସହ, ଜରୁରୀକାଳୀନ ସ୍ଥିତିରେ ରୋଗୀଙ୍କୁ ଆଧୁନିକ ଚିକିତ୍ସା ବ୍ୟବସ୍ଥା ଥିବା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିବା ପାଇଁ ଦୁଇଟି ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଅଛି ।