ସଂକଟରେ ଜୀବନ : ଅମ୍ଳଜାନ ଅଭାବରୁ ଚାଲିଗଲା ୩୧ ପ୍ରାଣ

ନୂଆଦିଲ୍ଲୀ : କରୋନାର ଦ୍ରୁତ ସଂକ୍ରମଣ ଭିତରେ ଅକ୍ସିଜେନ ସଙ୍କଟର ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ଅକ୍ସିଜେନ ଅଭାବରୁ ଦିଲ୍ଲୀ ଓ ପଞ୍ଜାବରେ ୩୧ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ କରୋନା ଆକ୍ରାନ୍ତ ଓ ସେମାନେ ଅକ୍ସିଜେନ ସହାୟତାରେ ବଞ୍ଚି ରହିଥିଲେ । ଦେଶର ରାଜଧାନୀ ଦିଲ୍ଲୀରେ ଅକ୍ସିଜେନ ସପ୍ଲାଏରେ ବିଭ୍ରାଟ ଯୋଗୁ ଜୟପୁର ଗୋଲଡେନ ହସ୍ପିଟାଲରେ ୨୫ ଜଣ ରୋଗୀ ପ୍ରାଣ ହରାଇଛନ୍ତି । ୨୫ଜଣ ଯାକ ରୋଗୀ ହସ୍ପିଟାଲର ସ୍ୱତନ୍ତ୍ର ୱାର୍ଡରେ ଅକ୍ସିଜେନ ସହାୟତାରେ ଚିକିତ୍ସିତ ହେଉଥିଲେ । ତେବେ ସେମାନଙ୍କ ପାଖକୁ ଠିକ୍ ଭାବେ ଏହା ଯୋଗାଣ ହୋଇନପାରିବାରୁ ଗତକାଲି ସମସ୍ତଙ୍କର ମୃତ୍ୟୁ ଘଟିଛି ।

ଜୟପୁର ଗୋଲଡେନ୍ ହସ୍ପିଟାଲର ନିର୍ଦ୍ଦେଶକ ଡା.ଡି.କେ. ବାଲୁଜା କହିଛନ୍ତି, ସରକାରଙ୍କ ପକ୍ଷରୁ ଆମ ପାଇଁ ୩.୫ ମେଟ୍ରିକ ଟନ୍ର ଅମ୍ଳଜାନ ଅନୁମୋଦିତ ହୋଇଥିଲା । ଗତକାଲି ସନ୍ଧ୍ୟା ୫ଟା ସୁଦ୍ଧା ଅମ୍ଳଜାନ ଟ୍ୟାଙ୍କର ଆମ ପାଖରେ ପହଞ୍ଚିବାର ଥିଲା । କିନ୍ତୁ ଏଗୁଡ଼ିକ ମଧ୍ୟରାତ୍ର ବେଳକୁ ହସ୍ପିଟାଲରେ ପହଞ୍ଚିଥିଲା । ଅକ୍ସିଜେନ ଯୋଗାଣରେ ବିଭ୍ରାଟ ହେବାରୁ ଏତେ ସଂଖ୍ୟକ ରୋଗୀଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ୨୧୫ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ରହିଛି । ସେମାନେ ମଧ୍ୟ ଅକ୍ସିଜେନ ସହାୟତାରେ ଚିକିତ୍ସିତ ହେଉଛନ୍ତି । ଦିଲ୍ଲୀର ମୁଲଚାନ୍ଦ ହସ୍ପିଟାଲରେ ମଧ୍ୟ ଅକ୍ସିଜେନ ସଙ୍କଟର ସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ହସ୍ପିଟାଲ କର୍ତ୍ତୃପକ୍ଷ ଅକ୍ସିଜେନ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆବେଦନରେ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି,ଆମ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ବଡ଼ଧରଣର ମାନବ ଟ୍ରାଜେଡି ଘଟିବାର ଆଶଙ୍କା ରହିଛି । ଆମେ ଏଇ ଭିତରେ ୨୫ ଜୀବନ ହରାଇ ସାରିଲୁଣି । ଆମେ ପାଖରେ ଅକ୍ସିଜେନର ସଙ୍କଟ ରହିଛି । ଦୟାକରି ଆପଣ ଲୋକଙ୍କ ଜୀବନ ବଞ୍ଚାଇ ଦିଅନ୍ତୁ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

ଅନ୍ୟପକ୍ଷରେ ପଞ୍ଜାବର ଅମୃତସରରେ ଥିବା ଗୋଟିଏ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୬ଜଣ ଲୋକଙ୍କ ଜୀବନ ଯାଇଛି । ପରିବାର ଲୋକ ମୃତ୍ୟୁ ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଥିବା ବେଳେ ହସ୍ପିଟାଲ ପକ୍ଷରୁ ପ୍ରଶାସନିକ ଅବହେଳା ପାଇଁ ଏପରି ଘଟିଥିବା କହିଛନ୍ତି । ନୀଳକଙଋ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୬ ଜଣ ରୋଗୀଙ୍କ ଅକ୍ସିଜେନ ଅଭାବରୁ ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରୁ ୫ଜଣ କରୋନା ଆକ୍ରାନ୍ତ ରହିଥିଲେ । ହସ୍ପିଟାଲର ନିର୍ଦ୍ଦେଶକ ଡା ସୁନୀଲ ଦେବଗାନ କହିଛନ୍ତି, ଆମେ ସମସ୍ୟା ସମ୍ପର୍କରେ ପ୍ରଶାସନକୁ ବାରମ୍ବାର ଜଣାଇଥିଲୁ । ଯେଉଁ ହସ୍ପିଟାଲରେ କରୋନା ରୋଗୀ ନାହାନ୍ତି, ସେଠାରେ ଆବଶ୍ୟକଠାରୁ ଅଧିକ ପରିମାଣର ଅକ୍ସିଜେନ ରହିଛି । ଗତ ୪୮ଘଣ୍ଟା ମଧ୍ୟରେ ଆମେ ସବୁ ପ୍ରକାରର ଭିତ୍ତିଭୂମିକୁ ବ୍ୟବହାର କରି ରୋଗୀଙ୍କୁ ସେବାକୁ ଯୋଗାଇ ଦେଇଥିଲୁ । ଆମ ଦ୍ୱାରା ଯାହା ସମ୍ଭବ, ଆମେ ସବୁ କିଛି କରିଥିଲୁ । କିନ୍ତୁ ଯଦି ସରକାର ଆମକୁ ସହଯୋଗ କରିବାକୁ ଚାହୁଁନାହାନ୍ତି, ତା’ହେଲେ ଘରୋଇ ହସ୍ପିଟାଲକୁ ବନ୍ଦ କରିଦିଅନ୍ତୁ । ଆମେ କୁଆଡ଼େ ଯିବୁ? ଏବେ ପଞ୍ଜାବ ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।