ଟ୍ରାନ୍ସଫର୍ମର ବସାଉଥିବା ବେଳେ ଅଘଟଣ

-ବିଦ୍ୟୁତ ଆଘାତରେ ଲାଇନମ୍ୟାନଙ୍କ ମୃତ୍ୟୁକୁ ନେଇ ଉତେଜନା, ରାସ୍ତାରୋକ

ନିମାପଡ଼ା : ପୁରୀ ଜିଲ୍ଲା ନିମାପଡ଼ାରେ ବିଦ୍ୟୁତ ଆଘାତରେ ଲାଇନମ୍ୟାନଙ୍କ ମୃତ୍ୟୁକୁ ନେଇ ଉତେଜନା ଦେଖାଦେଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଗ୍ରାମବାସୀ ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିବା ସହ ରାସ୍ତାରେ ଟାୟାର୍ ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଲାଇନ ନକାଟି କିପରି ଭାବେ ବିଦ୍ୟୁତ ଟ୍ରାନ୍ସଫର୍ମର ବସାଯାଉଥିଲା ଲୋକେ ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷରେ ଖବର ପାଇ ନିମାପଡ଼ା ଥାନା ପୋଲିସ ଓ ଉପଖଣ୍ଡ ପୋଲିସ ଅଧିକାରୀ (ଏସଡ଼ିପିଓ) ଦେବାଶିଷ ମିଶ୍ର ଘଟଣାସ୍ଥଳରେ ପହଂଚି ବିକ୍ଷୋଭକାରୀଙ୍କ ସହ ଆଲୋଚନା କରିବା ପରେ ରାସ୍ତାରୋକ ହଟିଛି ।

ସୂଚନା ଅନୁଯାୟୀ, କାକଟପୁର ବିଦ୍ୟୁତ ସେକ୍ସନ-୨ ଯୋଗେଶ୍ୱର ପୁରରେ କାର୍ଯ୍ୟରତ ଲାଇନମ୍ୟାନ ଦୀପକ ଭଟ୍ଟ ନାମକ ଯୁବକ ବିଦ୍ୟୁତ ଖୁଂଟରେ ଚଢ଼ି ନୂତନ ଟ୍ରାନ୍ସଫର୍ମର ବସାଉଥିବା ବେଳେ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି । ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ଚାରିଛକ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇଥିଲା । ମୃତ ଯୁବକଙ୍କ ଗ୍ରାମର ଶତାଧିକ ଲୋକ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିଲେ । ଟ୍ରାନ୍ସଫର୍ମର ବସାଉଥିବା ବେଳେ କିପରି ଭାବେ ଲାଇନ୍ ଚାର୍ଜ କରାଗଲା ଏହା ଏକ ଷଡ଼ଯନ୍ତ୍ର ବୋଲି ସେମାନେ ଅଭିଯୋଗ କରିଛନ୍ତି । ବିଭାଗର ଏପରି ଖାମଖିଆଲି କାମକୁ ଗ୍ରାମବାସୀ ଦୃଢ଼ ବିରୋଧ କରିଛନ୍ତି । ବିଦ୍ୟୁତ ବିଭାଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଏସଡ଼ିପିଓ ଶ୍ରୀ ମିଶ୍ର । ଲୋକ ମାନଙ୍କୁ ସାନ୍ତ୍ୱନା ଦେବା ସହ ବିଭାଗୀୟ ଅଧିକାରୀଙ୍କୁ ଡକାଇ ମୃତକଙ୍କ ପରିବାରକୁ ସହାୟତା ଯୋଗାଇଦେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ଘର ନୟାହାଟ ଫାଣ୍ଡି ଅନ୍ତର୍ଗତ ବାଉଳାଙ୍ଗ ପଚାଂୟତର ମଠସାହି ଗ୍ରାମର ବୋଲି ଜଣାପଡିଛି ।