ମାହାଙ୍ଗା ଡ଼ବଲ ମର୍ଡ଼ର ଘଟଣା: ପିସିସି ସଭାପତି ଓ ମାହାଙ୍ଗ ବ୍ଲକ ଅଧ୍ୟକ୍ଷଙ୍କ ପ୍ରେସ ମିଟ୍

ମାହାଙ୍ଗା: ମାହାଙ୍ଗା ଡ଼ବଲ ମର୍ଡ଼ର ଘଟଣାରେ ପୋଲିସ ମୋଟ ୭ଜଣଙ୍କୁ ଗିରଫ କରିଥିଲା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ହତ୍ୟା ଅଭିଯୋଗରେ ସମସ୍ତ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଜେଡ଼ି ,ବିଜେପି ,କଂଗ୍ରେସ ପକ୍ଷରୁ ଦାବି ଜୋର ହୋଇଛି । ୭ଜଣ ଅଭିଯୁକ୍ତ କୁ ପୋଲିସ ଧରିବା ପରେ ବି ରାଜନୈତିକ ଦଳ ଗୁଡ଼ିକ ମଧ୍ୟରେ ଘଟଣାକୁ ନେଇ ତୁମ୍ବିତୋଫାନ ଲାଗିରହିଛି । ଆଜି ଅପରାହ୍ନରେ ମୃତ କୁଳମଣି ଓ ଦିବ୍ୟସିଂଙ୍କ ହତ୍ୟା ଘଟଣାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଏକ କଂଗ୍ରେସ ପ୍ରତିନିଧି ଦଳ ନୃର୍ତ୍ତାଙ୍ଗରେ ପହଞ୍ଚି ଉଭୟ ପରିବାରର ସଦସ୍ୟଙ୍କୁ ସମବେଦନା ଜଣାଇବା ସହ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବର୍ଷିଥିଲେ । ରାଜ୍ୟର ସବୁ ଶାସକ ଦଳ ମନ୍ତ୍ରୀ ମାନେ ଦୁର୍ନୀତି ରେ ବୁଡ଼ି ରହିଛନ୍ତି । ନବୀନ ବାବୁ ସବୁ ମନ୍ତ୍ରୀଙ୍କ ଅଞ୍ଚଳରେ ହେଉଥିବା ଅପରାଧ ଉପରେ ତର୍ଜମା କରି ପୁରା ମନ୍ତ୍ରୀ ମଣ୍ଡଳକୁ ସ୍ୱଚ୍ଛ କରି କୁଳମଣିଙ୍କ ହତ୍ୟାକାଣ୍ଡ ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ଏଥିରେ କଂଗ୍ରେସ ନେତା ସୁର ରାଉତରାୟ, ଗଣେଶ୍ୱର ବେହେରା,ଧରଣୀଧର ନାୟକ,ଦେବେନ୍ଦ୍ର ସାହୁଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ସେହିପରି ଭାବେ ମାହାଙ୍ଗା ଡ଼ବଲ ମର୍ଡ଼ର ଘଟଣାରେ ମାହାଙ୍ଗା ପଞ୍ଚାୟତ ସମିିତି ଅଧ୍ୟକ୍ଷ ଶରତ ନାୟକ ଗୌଡ଼ପଡ଼ା ଡ଼ାକବଙ୍ଗଳା ଠାରେ ଏକ ପ୍ରେସ ମିଟରେ ବିଜେପି ଓ କଂଗ୍ରେସ ଦଳକୁ କଡ଼ା ସମାଲୋଚନା କରିବା ସହ ରାଜନୈତିକ ଉଦ୍ଦେଶ୍ୟ ରଖି ହତ୍ୟା ଘଟଣାକୁ ରାଜନୈତିକ ରୂପରେଖ ଦେଉଛନ୍ତି । ଯେଉଁ କଂଗ୍ରେସ ଦଳ କୁଳମଣିଙ୍କ ହତ୍ୟା ଘଟଣା ପାଇଁ ବିଜେଡ଼ିକୁ ଦାୟୀ କରୁଛନ୍ତି , ମୃତ କୁଳମଣି ଦୀର୍ଘ ୨୦ବର୍ଷ ଧରି କଂଗ୍ରେସରେ କାର୍ଯ୍ୟ କରୁଥିବା ବେଳେ ତାଙ୍କର କାର୍ଯ୍ୟକ୍ରମ କଣ ଥିଲା ତାହା ସମସ୍ତେ ଜାଣିଛନ୍ତି । ବିଜେପିରେ ଯୋଗଦେବା ପରେ ସେ କିଭଳି କାମ କରୁଥିଲେ ତାହା ସାଧାରଣ ଲୋକେ କହିବେ । ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି କୁ ଢାଲ କରି ବିଜେପି ଯେଉଁ ଅପପ୍ରଚାର କରୁଛି ତାହା ତୁଚ୍ଛ । ମୃତ କୁମଳଣି ବାବୁ ତାଙ୍କ ରାଜନୈତିକ ଜୀବନ ମଧ୍ୟରେ କେବେ କୌଣସି ଦିନ ବ୍ଲକ ଠାରୁ ଜିଲ୍ଲା ପର୍ଯ୍ୟନ୍ତ କୌଣସି ଅଭିଯୋଗ କରିନାହାଁନ୍ତି । ତାଙ୍କ ଦସ୍ତଖତରେ ଯଦି କୌଣସି ଅଭିଯୋଗ ହୋଇଥାଏ ବିଜେପି ଦଳ ଆମ ନଜରକୁ ଆଣୁ ବୋଲି ଚ୍ୟାଲେଞ୍ଚ କରିଛନ୍ତି । କେବଳ ମାହାଙ୍ଗାର ଜନପ୍ରିୟ ବିଧାୟକ ତଥା ଆଇନମନ୍ତ୍ରୀଙ୍କ ଉନ୍ନୟନମୂଳକ କାର୍ଯ୍ୟରେ ଈର୍ଷାନ୍ୱିତ ହୋଇ ବିଜେପି ଦଳ ଔଷଧ ବିକଳରେ ତାଟିଆ କାମୁଡ଼ୁଛି । ଆଇନ ତା କାମ କରୁଛି । ହତ୍ୟାକାଣ୍ଡ ଘଟଣାରେ ଯିଏ ସମ୍ପୃକ୍ତ ପୋଲିସ ତାକୁ ନିଶ୍ଚୟ ଗିରଫ କରିବ । ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ନିଜ ଦୋଷ ସ୍ୱୀକାରୋକ୍ତି କରିବା ପରେ ବି ବିଜେପି ଦଳ ଏହାକୁ ହୀନ ରାଜନୀତି କରୁଛି ବୋଲି କହିଛନ୍ତି । ଏହି ପ୍ରେସ ମିଟରେ ବ୍ଲକ ଉପାଧ୍ୟକ୍ଷା ରସିଦା ବେଗମ ଉପସ୍ଥିତ ରହିଥିଲେ ।