କୋଲକାତା: ନନ୍ଦିଗ୍ରାମ ବିଧାନସଭା ଆସନ ପାଇଁ ଆଜି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହାପରେ ପ୍ରଚାର କରୁଥିବା ବେଳେ ମମତାଙ୍କ କନଭୟ ଉପରକୁ ଆକ୍ରମଣ କରାଯାଇଥିବା ମମତା ଅଭିଯୋଗ କରିଛନ୍ତି । ତିନିରୁ ଚାରିଜଣ ଲୋକ ଆସି ମମତାଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ମମତାଙ୍କ ଗୋଡ଼ରେ ଆଘାତ ଲାଗିଥିବା ବେଳେ ମୁଣ୍ଡରେ ଆଘାତ ଲାଗିଥିବା କୁହାଯାଉଛି । ମମତା ଏବେ ଏହାକୁ ନେଇ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି । ସୁରକ୍ଷାକର୍ମୀ ନଥିବା ବେଳେ ମମତା ପ୍ରଚାର କରୁଥିଲେ । ଏହି ସମୟରେ ମମତା ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ରହିଛି । ଏବେ ମମତା ସମସ୍ତ କାର୍ଯ୍ୟକ୍ରମ ବାତିଲ କରି କୋଲକାତା ଫେରି ଆସିଛନ୍ତି । ତେବେ ବିରୋଧୀ ବିଜେପି ଅଭିଯୋଗ କରିଛି ଯେ,ସହାନୁଭୂତି ପାଇବା ପାଇଁ ମମତା ନିର୍ବାଚନ ବେଳେ ଏଭଳି ନାଟକ କରୁଛନ୍ତି । ରାଜ୍ୟରେ ନିଜର ସରକାର,ସୁରକ୍ଷାକର୍ମୀ ଥିବା ବେଳେ ଯଦି ଖୋଦ୍ ମୁଖ୍ୟମନ୍ତ୍ରୀ ଆକ୍ରମଣର ଶିକାର ହେଉଛନ୍ତି, ତାହେଲେ ରାଜ୍ୟର ସୁରକ୍ଷା ବ୍ୟବସ୍ଥା ଏଇଥିରୁ ବୁଝି ହେଉଛି ବୋଲି ବିଜେପି ନେତା ଅର୍ଜୁନ ସିଂହ କହିଛନ୍ତି । ନିଜ ସୁରକ୍ଷା ବ୍ୟବସ୍ଥାରେ ଢ଼ିଲା ହେବାରୁ ଏଭଳି ସ୍ଥିତି ଉପୁଜିଛି । ତେଣୁ ମମତା ପ୍ରଥମେ ନିଜ ସୁରକ୍ଷାକର୍ମୀଙ୍କୁ ବରଖାସ୍ତ କରିବା ଦରକାର ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ,ଆଜି ନନ୍ଦିଗ୍ରାମରେ ମମତା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହା ପୂର୍ବରୁ ଏକ ବିଶାଳ ପଦଯାତ୍ରା କରିଥିଲେ ମମତା ବାନାର୍ଜୀ । ସେହିପରି ଗତକାଲି ନନ୍ଦିଗ୍ରାମରେ ଚଣ୍ଡିପାଠ କରିବା ସହିତ ମସ୍ଜିଦ୍ ଯାଇ ଚାଦର ଚଢ଼ାଇଥିଲେ । ବିରୋଧୀ ବିଜେପି କହିଛି ମମତା ନିର୍ବାଚନ ବେଳେ ଏବେ ହିନ୍ଦୁତ୍ୱ କାର୍ଡ ଖେଳୁଛନ୍ତି । ସେ ଜାଣିଛନ୍ତି ହିନ୍ଦୁ ସମ୍ପ୍ରଦାୟକୁ ନେଇ ନିର୍ବାଚନ ପୂର୍ବରୁ କ’ଣ କ’ଣ କହିଥିଲେ?