ଆଦିବାସୀଙ୍କୁ ରୋଜଗାର ଯୋଗାଉଛି ମହୁଲ ଫୁଲ

କଙ୍କଡ଼ାହାଡ଼ : ଜଙ୍ଗଲରୁ ମିଳୁଥିବା ଲଘୁ ବନଜାତ ଦ୍ରବ୍ୟ ମଧ୍ୟରୁ ମହୁଲ ଫୁଲ ହେଉଛି ଅନ୍ୟତମ ଲାଭକାରୀ ଦ୍ରବ୍ୟ । ଜଙ୍ଗଲରୁ ମହୁଲ ସଂଗ୍ରହ କରି ଅନେକ ଆଦିବାସୀ ପରିବାର ପ୍ରତିପୋଷଣ ହେଉଛନ୍ତି । ଢେ଼ଙ୍କାନାଳ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ କଙ୍କଡ଼ାହାଡ଼ ବ୍ଲକ୍‌ରେ ମହୁଲ ଫୁଲ ସଂଗ୍ରହ ପ୍ରଚୁର ମାତ୍ରାରେ ଦେଖିବାକୁ ମିଳିଥାଏ । ଅଞ୍ଚଳର ଆଦିବାସୀ ପରିବାରର ରୋଜଗାର ମାଧ୍ୟମ ପାଲଟିଛି ମହୁଲ ଫୁଲ । ମାତ୍ର ମହୁଲ ଫୁଲକୁ ନେଇ ସରକାରଙ୍କର ଦର ଧାର୍ଯ୍ୟ ହେଉନଥିବାରୁ ଅନେକ ସମୟରେ ଆଦିବାସୀମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ।

ଆଦିବାସୀ ଅଞ୍ଚଳରେ ଅଧିକାଂଶ ପରିବାରର ଏକ ଜୀବିକା ପନ୍ଥା ପାଲଟିଛି ମହୁଲ ଫୁଲ ସଂଗ୍ରହ । କଙ୍କଡ଼ାହାଡ଼ ବ୍ଲକ୍‌ର ଅଧିକାଂଶ ଆଦିବାସୀଙ୍କ ଅର୍ଥନୀତି ସହ ମହୁଲ ଫୁଲ ଜଡ଼ିତ ହୋଇଯାଇଛି । ଏବେ ମହୁଲ ଫୁଲ ଋତୁ ଚାଲିଥିବା ବେଳେ ଛୁଆଠାରୁ ଆରମ୍ଭ କରି ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ରାତି ନପାହୁଣୁ ଟୋକେଇ ଧରି ମହୁଲ ଗଛ ମୂଳରେ ପହଞ୍ଚି ଯାଉଥିବା ଦେଖିବାକୁ ମିଳୁଛି । ଝାଞ୍ଜି ଖରାକୁ ଖାତିର ନକରି ମୁଣ୍ଡ ଝାଳ ତୁଣ୍ଡରେ ମାରି କେମିତି ଦୁଇ ପଇସା ପାଇବେ ସେଥିପାଇଁ ଲାଗି ପଡୁଛନ୍ତି । ଜଙ୍ଗଲରୁ ପ୍ରତିଯୋଗିତା ମୂଳକଭାବେ ମହୁଲ ଫୁଲ ଗୋଟାଇ ନେଉଛନ୍ତି ।

ବିଶେଷ କରି କଙ୍କଡ଼ାହାଡ଼ ବ୍ଲକ୍‌ର ସମସ୍ତ ପଞ୍ଚାୟତରେ ବସବାସ କରୁଥିବା ଆଦିବାସୀ ଲୋକେ ମହୁଲ ସଂଗ୍ରହ କରିଥାନ୍ତି । ସଂଗ୍ରହ କରିଥିବା ମହୁଲ ମଧ୍ୟରୁ କିଛି ନିଜ ପାଇଁ ରଖି ବଳକା ମହୁଲକୁ ନିକଟସ୍ଥ ହାଟ ବଜାରରେ ବିକ୍ରିକରି ବେଶ୍‌ ଦୁଇପାଇସା ରୋଜଗାର କରିଥାନ୍ତି । ମାର୍ଚ୍ଚ ମାସରୁ ୩ମାସ ଯାଏଁ ଜଙ୍ଗଲରୁ ମହୁଲ ଫୁଲ ସଂଗ୍ରହ କରି ତାହାକୁ ଶୁଖାଇ ବିକ୍ରି କରିଥାନ୍ତି । ସାଧାରଣତଃ ଶୁଖିଲା ମହୁଲରୁ ମହୁଲୀ ପ୍ରସ୍ତୁତ କରାଥାଏ । କଙ୍କଡ଼ାହାଡ଼, ଗନ୍ଦିଆ, ହିନ୍ଦୋଳ, ପରଜଙ୍ଗ ପ୍ରଭୁତି ଅଞ୍ଚଳରେ ଦେଶୀ ମଦର ଅବାଧ କାରବାର ଚାଲିଥିବା ହେତୁ ସେ ସବୁ ଅଞ୍ଚଳରେ ମହୁଲି ମଦ ରନ୍ଧା ପାଇଁ ପ୍ରଚୁର ପରିମାଣରେ ମହୁଲ କିଣାବିକା ଚାଲିଛି । ଏଥିସହ ମହୁଲରୁ ପିଠା ସମେତ ସୁସ୍ୱାଦ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରାଯାଇଥାଏ । ଏଥିପାଇଁ ଲୋକେ ମଧ୍ୟ ମହୁଲକୁ କିଣିଥାନ୍ତି । ହାଟ ବଜାରରେ ଏହି ଜଙ୍ଗଲଜାତ ଦ୍ରବ୍ୟର ଚାହିଦା କାହିରେ କେତେ ।

ମହୁଲ ଫୁଲଗୁଡ଼ିକୁ ସଂଗ୍ରହ କରି ପ୍ରଥମେ ଖରାରେ ଶୁଖାଯାଇଥାଏ । ଶୁଖିଲା ପରେ ତାକୁ ବାଡେଇ ତା ଭିତରେ ରହିଥିବା କୁଣ୍ଡା ଭଳି ଅଂଶକୁ ବାହାରକରି ପରେ ହାଟ ବଜାରରେ ବିକ୍ରି କରାଯାଇଥାଏ । ଅବକାରୀ ବିଭାଗ ଦ୍ୱାରା ଲାଇସେନ୍ସ ପ୍ରାପ୍ତ ବ୍ୟବସାୟୀ ଶୁଖିଲା ମହୁଲ ଫୁଲକୁ କିଣି ଜିଲ୍ଲା ତଥା ଜିଲ୍ଲା ବାହାରକୁ ଚାଲାଣ କରିଥାନ୍ତି । କିନ୍ତୁ ବର୍ତ୍ତମାନ ଛୋଟ ବେପାରୀମାନେ ଆଦିବାସୀ ଗାଁ ଗହଳିରେ ପହଞ୍ଚି ସିଧା ସଳଖ ଗରିବ ଆଦିବାସୀଙ୍କ ଠାରୁ କମ୍‌ ମୂଲ୍ୟରେ ମହୁଲ କିଣି ନେଇଥିବାର ଅଭିଯୋଗ ଆସିଛି । ଧିରେ ଧିରେ ଜଙ୍ଗଲ କ୍ଷୟ ହେଉଥିବାରୁ ସେମାନଙ୍କର ରୋଜଗାର ମଧ୍ୟ କମିବାରେ ଲାଗିଛି ।

ମହୁଲ ଫୁଲ ବାସ୍ନାରେ ଅଧିକାଂଶ ସମୟ ବନ୍ୟଜନ୍ତୁ ଆକର୍ଷିତ ହୋଇ ଜନବସତି ଆଡ଼କୁ ଚାଲି ଆସୁଛନ୍ତି । ଫଳରେ ଅଧିକାଂଶ ସମୟ ମହୁଲ ଗୋଟାଳିମାନେ ସେମାନଙ୍କ ସଂସ୍ପର୍ଶରେ ଆସି ଆକ୍ରମଣର ଶିକାର ହେଉଛନ୍ତି । କେଉଁ କାଳରୁ ଆଦିବାସୀମାନେ ମହୁଲ ଫୁଲ ଗୋଟାଇ ବେଶ୍‌ ଦୁଇପାଇଶା ରୋଜଗାର କରୁଥିବା ବେଳେ ଏହାର ବଜାର ଦର ଧର୍ଯ୍ୟ ହୋଇନଥିବାରୁ ସେମାନେ ଦଲାଲଙ୍କ ଶୋଷଣ ଶିକାର ହେଉଛନ୍ତି । ଯାହାକୁ ନେଇ ଆଦିବାସୀ ବାରିବର ଭିତରେ ଅସନ୍ତୋଷ ଦେଖା ଦେଇଛି ।

ମହୁଲ ଆଦିବାସୀଙ୍କର ଏକ ପ୍ରମୁଖ ରୋଜଗାର ହୋଇଥିବା ବେଳେ ସରକାରଙ୍କ ତରଫରୁ ନୂତନ ମହୁଲ ଗଛ ସୃଷ୍ଟି କରାଯିବ ସହ ଆଦିବାସୀ ଅଞ୍ଚଳରେ ଏ ନେଇ ସଚେତନ ସୃଷ୍ଟି କରିବା ପାଇଁ ନେବାର ଆବଶ୍ୟକତା ରହିଛି । ଆଦିବାସୀଙ୍କ ରୋଜଗାର ଭାବେ ମହୁଲ ସଂଗ୍ରହ କରିବା ପାଇଁ ପ୍ରୋତ୍ସାହିତ କରିବା ସହ ଜଙ୍ଗଲ ସୃଷ୍ଟି କରିପାରିଲେ ଆଗାମୀ ଦିନରେ ଆଗାମୀ ଦିନରେ ବ୍ୟାପକ ଭାବେ ନୂତନ ଜଙ୍ଗଲ ସୃଷ୍ଟି ହୋଇପାରନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।

#odisha #Forest #Meeolflower is #providing #employment #tribals