ମିଶନ ନୂଆପଡ଼ା: ଭେଟିଦେବେ ୪ହଜାର କୋଟିର ପ୍ରକଳ୍ପ

ଭୁବନେଶ୍ୱର: ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡା ଜିଲ୍ଲା ଗସ୍ତରେ ଯିବେ । ସେଠାରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଭେଟିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇ ଏକ ଭିଡିଓ ଅପଲୋଡ୍ କରାଯାଇଛି । ଉକ୍ତ ଟୁଇଟ୍ରେ କୁହାଯାଇଛି ଯେ, ନୂଆପଡ଼ା ବିକାଶ ପର୍ବରେ ଯୋଡ଼ିହେବ ନୂଆ ଫର୍ଦ୍ଦ । ମୁଖ୍ୟମନ୍ତ୍ରୀ ମାର୍ଚ୍ଚ ୧୦ ତାରିଖରେ ନୂଆପଡା ଯାଇ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ । ଏହି ସବୁ ପ୍ରକଳ୍ପ ଲୋକଙ୍କୁ ଉନ୍ନତ ସେବା ପ୍ରଦାନ ସହ ନୂଆପଡ଼ାର ବିକାଶରେ ବିଶେଷ ସହାୟକ ହେବ ବୋଲି ଟୁଇଟ୍ରେ ଉଲ୍ଲେଖ କରାଯାଇଛି ।

ନୂଆପଡ଼ା ଓ ବଲାଙ୍ଗିରକୁ ଦେବେ ୪ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଭେଟି । ସବୁଠୁ ଅଧିକ ଫୋକସ୍ରେ ରହିବ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ଯାହା ମରୁଡ଼ି ପ୍ରବଣ ନୂଆପଡ଼ା ଜିଲ୍ଲାକୁ କରିବ ଚିରହରିତ । ଏକ ହଜାର ୬୨୬କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବା ସହ ପାନୀୟଜଳ, ରାସ୍ତା, ଦକ୍ଷତା ବିକାଶ କେନ୍ଦ୍ର ଭଳି ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ । ଯାହାକି ପଶ୍ଚିମ ଓଡ଼ିଶା ଚାଷୀଙ୍କ ମୁହଁରେ ହସ ଫୁଟାଇବାରେ ବେଶ୍ ସହାୟକ ହେବ । ବିଜେଡିର କହିବା କଥା ହେଉଛି ୨୧ ବର୍ଷ ଧରି ରାଜ୍ୟ ଚତୁଃପାଶ୍ୱର୍ର ବିକାଶର କର୍ଣ୍ଣଧାର ସାଜିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହି ବିକାଶର ଆଉ ଏକ ନୂଆ ଫର୍ଦ୍ଦ ନୂଆପଡ଼ାରେ ଯୋଡ଼ି ହେବାକୁ ଯାଉଛି । ପଶ୍ଚିମଓଡ଼ିଶାର ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଯାହା ଘୋଷଣା କରିଥିଲେ ତାକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି । ଏହି କ୍ରମରେ ଲୋୟର ଇନ୍ଦ୍ର ଜଳପ୍ରକଳ୍ପ ଦ୍ୱାରା ନୂଆପଡ଼ା ଜିଲ୍ଲାର ୧୩ ହଜାର ୧୯୧ ହେକ୍ଟର ଓ ବଲାଙ୍ଗିର ଜିଲ୍ଲାର ହଜାରେ ୬୭୦ ହେକ୍ଟର ଜମି ଜଳସେଚିତ ହେବ । ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶାକୁ ଗୋଟିଏ ପରେ ଗୋଟିଏ ଭେଟି ଦେବା ପରେ ଚିନ୍ତାରେ ବିରୋଧୀ । ବିଜେପି କହିଛି ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ଆଗକୁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରି କେନ୍ଦ୍ରକୁ ଦେବ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ କଂଗ୍ରେସ ବି ନାନା ପ୍ରଶ୍ନ ଉଠାଇଛି ।