ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ

ଖୋର୍ଦ୍ଧା : ବିଜେପି କର୍ମୀଙ୍କୁ ମାଡ ମାରିବା ଘଟଣାରେ ଆଜି ଚିଲିକା ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଓଡିଶା ଉଚ୍ଚ ନ୍ୟାୟାଳୟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଅନ୍ୟାନ୍ୟ ସର୍ତ୍ତ ରଖି ପ୍ରଶାନ୍ତଙ୍କୁ ନିମ୍ନ ଅଦାଲତ ଜାମିନରେ ଛାଡିବା ପାଇଁ ନିର୍ଦ୍ଦେଶ ହୋଇଛି । ସାକ୍ଷୀଙ୍କୁ ପ୍ରଭାବିତ ନକରିବା ପାଇଁ ପ୍ରଶାନ୍ତଙ୍କ ନିକଟରେ ଉଚ୍ଚ ନ୍ୟାୟାଳୟ ସର୍ତ୍ତ ରଖିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ବାଲୁଗାଁ ମଣ୍ଡଳ ବିଜେପି ସଭାପତିଙ୍କୁ ଆକ୍ରମଣ ଘଟଣାରେ ବିଧାୟକଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା । ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ସଙ୍ଗୀନ ଦଫା ଲାଗିଥିଲା । ବିଧାୟକଙ୍କୁ ଗିରଫ ଦାବି କରି ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଘଟଣାରେ ବିଜେପି ପକ୍ଷରୁ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ବିକ୍ଷୋଭ କରାଯାଇଥିଲା ।

ତେବେ ଏହି ଘଟଣାରେ ଗତ ୫ ତାରିଖରେ ଶ୍ରୀ ଜଗଦ୍ଦେବ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । କିନ୍ତୁ, ହାଇକୋର୍ଟ ପ୍ରଶାନ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ଏବଂ ତଳ କୋର୍ଟକୁ ଯିବା ପାଇଁ ପରାମର୍ଶ ଦେଇଥିଲେ । ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଗତ ୮ ତାରିଖରେ ଖୋର୍ଦ୍ଧା ଏଡିଜେ କୋର୍ଟରେ ଚିଲିକା ବିଧାୟକ ଜାମିନ ଆବେଦନ କରିଥିଲେ । ହେଲେ ସେଠାରେ ତାଙ୍କର ଜାମିନ ଆବେଦନ ଖାରଜ ହୋଇଯାଇଥିଲା । କିନ୍ତୁ, ଜେଲ୍ ପରିସରରେ ବିଧାୟକଙ୍କ ଅସୁସ୍ଥତା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ପୁଣିଥରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓଡିଶା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ।