ନୂଆଦିଲ୍ଲୀ : ଆଜି ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ପ୍ରଥମ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇଛି । ଏଥିରେ ୧୦ଜଣଙ୍କୁ ପ୍ରମୋଶନ ମିଳିଥିବା ବେଳେ ୩୩ ନୂଆ ମୁହଁ ସାମିଲ ହୋଇଛନ୍ତି । ସନ୍ଧ୍ୟା ୬ଟାରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ନାରାୟଣ ତାତୁ ରାଣେ ପ୍ରଥମେ କ୍ୟାବିନେଟ୍ ମନ୍ତ୍ରି ଭାବେ ଶପଥ ଗ୍ରହଣ କରିଥିଲେ । ସେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ । ତାଙ୍କ ପଛକୁ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲ କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ପରେ ଡ. ବିରେନ୍ଦ୍ର କୁମାର, କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିବା ମଧ୍ୟପ୍ରଦେଶ ରାଜନେତା ଜ୍ୟୋତିରାଦିତ୍ୟା ମାଧବରାଓ ସିନ୍ଧିଆ, ଜେଡିୟୁ ସାଂସଦ ରାମଚନ୍ଦ୍ର ପ୍ରତାପ ସିଂ, ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ପୂର୍ବତନ ପ୍ରଶାସନିକ ଅଧିକାରୀ ଅଶ୍ୱିନୀ ବୈଷ୍ଣବ, ବିହାର ଏଲ୍ଜେପି ନେତା ପଶୁପତି କୁମାର ପାରସ୍, କିରନ୍ ରିଜିଜୁ, ପୂର୍ବତନ ପ୍ରଶାସକ ରାଜ୍ କୁମାର ସିଂହ, ହରଦୀପ ସିଂହ ପୁରୀ, ମନସୁଖ ଲକ୍ଷ୍ମୀଭାଇ ମାଣ୍ଡଭିଆ, ରାଜସ୍ଥାନରୁ ରାଜ୍ୟସଭା ସାଂସଦ ହୋଇଥିବା ଭୂପେନ୍ଦ୍ର ଯାଦବ, ରାଜ୍ୟସଭା ସଦସ୍ୟ ପୁରୁଷୋତ୍ତମ ରୂପାଲା, ସିକନ୍ଦରାବାଦରୁ ବିଜେପି ସାଂସଦ ହୋଇଥିବା ଗଙ୍ଗାପୁରମ୍ କ୍ରିଷନ୍ ରେଡ୍ଡୀ, ଅନୁରାଗ ଠାକୁର, ଉତ୍ତରପ୍ରଦେଶରୁ ବିଜେପି ସାଂସଦ ହୋଇଥିବା ପଙ୍କଜ ଚୌଧୁରୀ, ଉତ୍ତରପ୍ରଦେଶ ସାଂସଦ ଅନୁପ୍ରିୟା ପଟେଲ, ପ୍ରଫେସର ସତ୍ୟପାଲ ସିଂହ ବାଘେଲ ଶପଥ ଗ୍ରହଣ କରିଛନ୍ତି । ସମସ୍ତଙ୍କୁ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଆଜି ମୋଦୀ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବା ସହିତ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଜେପି ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତେବେ ତାଙ୍କୁ କ୍ୟାବିନେଟରେ କେଉଁ ବିଭାଗ ମିଳୁଛି ତା’ ଉପରେ ସମସ୍ତଙ୍କର ନଜର ରହିଛି ।
ଅଶ୍ୱିନୀ ବୈଷ୍ଣବ ଓଡିଶାରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚତ ହୋଇଥିଲେ । ବିଜେପି ଓ ବିଜେଡିର ମିଳିତ ସମର୍ଥନରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଆଜି ସେ କେନ୍ଦ୍ର କ୍ୟାବିନେଟରେ ସାମିଲ ହେବା ସହିତ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ବିଶେଷକରି ଅର୍ଥ ସମ୍ଭନ୍ଧୀୟ କୌଣସି ବିଭାଗରେ ସେ ମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅଶ୍ୱିନୀ ବୈଷ୍ଣବଙ୍କ ସମେତ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନବାଲ, ବୀରେନ୍ଦ୍ର କୁମାର, ନାରାୟଣ ରାଣେ, ଜ୍ୟୋତିରାଦିତ୍ୟ ସିନ୍ଧିଆ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।