୨୪ ଘଂଟା ମଧ୍ୟରେ ୩ ଲକ୍ଷରୁ ଅଧିକ ସୁସ୍ଥ ହୋଇଛନ୍ତି

-ଦ୍ରୁତ ଗତିରେ ଅଧିକ ସଂକ୍ରମିତ ଆରୋଗ୍ୟ ହେଉଛନ୍ତି
-ଦେଶବ୍ୟାପୀ ୨୯.୧୬ କୋଟିରୁ ଅଧିକ କୋଭିଡ ଟେଷ୍ଟ କରାଯାଇଛି

ନୂଆଦିଲ୍ଲୀ : ଦେଶବ୍ୟାପୀ ହୋଇଥିବା କୋଭିଡ ଟେଷ୍ଟର ସଂଖ୍ୟା ଆଜି ୨୯.୧୬ କୋଟିକୁ ଅତିକ୍ରମ କରିଯାଇଛି । ଆଜି ପର୍ଯ୍ୟନ୍ତ ମୋଟ ୨୯,୧୬,୪୭,୦୩୭ କୋଭିଡ ଟେଷ୍ଟ ହୋଇଛି । ଭାରତରେ ଏ ପର୍ଯ୍ୟନ୍ତ କରୋନାରୁ ୧,୬୨,୯୩,୦୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩,୦୦,୭୩୨ ଜଣ ସୁସ୍ଥ ହୋଇଥିବା ବେଳେ ଜାତୀୟ ସୁସ୍ଥତା ହାର ୮୧.୭୭% ରହିଛି । ନୂଆ ସୁସ୍ଥଙ୍କ ମଧ୍ୟରୁ ୭୩.୪୯% ସୁସ୍ଥ ଆସିଛନ୍ତି ଦଶଟି ରାଜ୍ୟରୁ ।

ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩,୬୮,୧୪୭ ନୂଆ ମାମଲା ଚିହ୍ନଟ ହୋଇଛି । ନୂଆ ମାମଲାରୁ ୭୩.୭୮% ମାମଲା ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଉତ୍ତର ପ୍ରଦେଶ, ଦିଲ୍ଲୀ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ ଏବଂ ବିହାର ଆଦି ଦଶଟି ରାଜ୍ୟରୁ ଆସିଛି ।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୫୬,୬୪୭ ମାମଲା ଚିହ୍ନଟ ହୋଇଛି । ଏହା ପଛକୁ କର୍ଣ୍ଣାଟକରେ ୩୭,୭୩୩ ଏବଂ କେରଳରେ ୩୧,୯୫୯ ମାମଲା ଚିହ୍ନଟ ହୋଇଛି ।

ଭାରତରେ ଏବେ ମୋଟ ସକ୍ରିୟ କରୋନା ମାମଲା ଏବେ ୩୪,୧୩,୬୪୨ରେ ପହଂଚିଛି । ଏହା ଦେଶର ମୋଟ ପଜିଟିଭ୍ ମାମଲାର ୧୭.୧୩% । ଗତ ୨୪ ଘଂଟା ମଧ୍ୟରେ ଦେଶରେ ସକ୍ରିୟ କରୋନା ମାମଲାରେ ସିଧାସଳଖ ୬୩,୯୯୮ ମାମଲା ବୃଦ୍ଧି ଘଟିଛି ।

ଦେଶରେ ଥିବା ସକ୍ରିୟ ମାମଲାର ୮୧.୪୬% ମାମଲା ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, କେରଳ, ରାଜସ୍ଥାନ, ଗୁଜରାଟ, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ବିହାର ଏବଂ ହରିଆନା ଆଦି ୧୨ଟି ରାଜ୍ୟରୁ ଆସିଛି ।