ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସକୁ ନେଇ ଚିନ୍ତାରେ ପୌରବାସୀ : ରାଜନୈତିକ ବଡପଣ୍ଡାଙ୍କ ନିରବତାକୁ ନେଇ ଚର୍ଚ୍ଚା ଜୋର୍ ଧରିଲା

କେନ୍ଦୁଝର : କେନ୍ଦୁଝର ଗଡ଼ ପୌରପାଳିକା ସମେତ ଜିଳ୍ଲାର ଅନ୍ୟ ସହରାଂଚଳରେ ଚଳିତ ଏପ୍ରିଲ ମାସରେ ରିହାତି ଦରରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ ହେଉଛି । ପୌରାଚଂଳ ପାଇଁ ରହିଥିବା ବିଧି ବ୍ୟବସ୍ଥା ଅନୁଶାରେ ଏପ୍ରିଲ ମାସରେ ହୋଲ୍ଡିଂ ଟ୍ୟାକ୍ସ ପୈଠ କରୁଥିବା ପୌରବାସୀଙ୍କୁ ଶତକଡ଼ା ୨୦ ପ୍ରତିଶତ ଏବଂ ମଇ ମାସରେ ପୈଠ ପାଇଁ ଶତକଡ଼ା ୧୦ ପ୍ରତିଶତ ରିହାତିର ବ୍ୟବସ୍ଥା ରହିଅଛି । କିନ୍ତୁ ହୋଲ୍ଡିଂ ଟ୍ୟାକ୍ସ ପୈଠ କରିବାକୁ ଯାଉଥିବା ପୌରବାସୀଙ୍କୁ ଆଶ୍ଚର୍ଯ୍ୟ ହେବାକୁ ପଡୁଛି ଯେତେବେଳେ ସେମାନେ ନିଜ ନିଜ ଘରର ବର୍ଦ୍ଧିତ ଟ୍ୟାକ୍ସର ପରିମାଣକୁ ଦେଖୁଛନ୍ତି ।

ଏହି ବର୍ଦ୍ଧିତ ଟ୍ୟାକ୍ସ ବିଭିନ୍ନ ବର୍ଗର ବିଶେଷ ଭାବେ ମଧ୍ୟବିତ ବର୍ଗର ପରିବାରଙ୍କ ଉପରେ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇପଡିଥିବା ବେଳେ ଗରିବ ଖଟି ଖିଆ ପରିବାରଙ୍କର ଆର୍ଥିକ ଦୁର୍ଗତିକୁ ଅଧିକ ବଢାଇ ଦେଇଛି । ଏହି ବର୍ଦ୍ଧିତ ଟ୍ୟାକ୍ସକୁ କେନ୍ଦ୍ର କରି ଜନଅସନ୍ତୋଷ ପୁଞ୍ଜି ବାନ୍ଧିବାରେ ଲାଗିଛି । ଏପରିକି ଅନେକ କଚ୍ଚାଘରକୁ ପକ୍କା ଘର ଦର୍ଶାଯାଇ ବାର୍ଷିକ ହୋଲ୍ଡିଂ ଟ୍ୟାକ୍ସ ୯ ହଜାରୁ ୧୦ ହଜାର ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇ ନୋଟିସ ହେଉଥିବା ଉପରେ ଅନେକ ସିଧାସଳଖ ପ୍ରଶ୍ନ ଉଠାଇଛନ୍ତି । ତା ସାଙ୍ଗରେ ପୁଣି ୟୁଜର୍ସ ଫି ର ଲମ୍ବା ଚିଠା, ଯାହାକି ଏହି କରୋନା ସମୟରେ ସ୍ୱାଭାବିକ ଭାବେ ପୌରବାସୀଙ୍କୁ ମାନସିକ ଯନ୍ତ୍ରଣା ମଧ୍ୟକୁ ଠେଲିଦେଇଛି ।

ଏହାକୁ ନେଇ ଶାସକ ବିଜେଡ଼ି, ମୁଖ୍ୟ ବିରୋଧି ବିଜେପି ବା କଂଗ୍ରେସ ଭଳି ଦଳର ବଡପଣ୍ଡା ମାନଙ୍କର ରହସ୍ୟପୂର୍ଣ୍ଣ ନୀରବତା ତଥା ସମସ୍ୟା ସହ ଜୁଝୁଥିବା ପୌରବାସୀଙ୍କ ସପକ୍ଷରେ ଛିଡା ହେବାକୁ ଆଗ୍ରହ ପ୍ରକାଶ ନ କରିବା ଘଟଣା ଏବଂ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି । ସାଧାରଣ ଲୋକଙ୍କ ପାଇଁ ଏହି ଟିକସ ଜିଜିଆ କର ସଦୃଶ ହୋଇଥିବା ବେଳେ ଏହା ବିରୋଧରେ ପ୍ରତିବାଦ ମଧ୍ୟ ଆରମ୍ଭ ହୋଇଛି । ଏବଂ ସର୍ବପ୍ରଥମେ କେନ୍ଦୁଝର ଯୁବ ପରିଷଦ ପକ୍ଷରୁ କେନ୍ଦୁଝର ଜିଳ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଳ୍ଲାପାଳ ଓ ପୌରପାଳିକାର ନିର୍ବାହୀ ଅଧିକାରୀଙ୍କୁ ସାକ୍ଷାତ କରି ଏଭଳି ଜନବିରୋଧୀ କରକୁ ପ୍ରତ୍ୟାହାର କରିବାକୁ ଦାବୀ ହୋଇଛି ।

କୌଣସି ଗୋଟିଏ ୱାର୍ଡରେ ନୁହେଁ ପ୍ରାୟତଃ ସବୁ ସ୍ଥାନରେ ଏହି ହୋଲ୍ଡିଂ ଟ୍ୟାକ୍ସକୁ ନେଇ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଏହି ଜନ ଅସନ୍ତୋଷ ଆସନ୍ତା ପୌର ନିର୍ବାଚନ ଉପରେ ସିଧାସଳଖ ପ୍ରଭାବ ପକାଇବା ସମ୍ଭବନା ଦେଖାଦେଇଥିବା ରାଜନୈତିକ ସମୀକ୍ଷକମାନେ ମତ ପୋଷଣ କରୁଛନ୍ତି । ତେବେ ଏଭଳି ଏକ ଚର୍ଚ୍ଚିତ ପ୍ରସଙ୍ଗରୁ ଶାସକ ଓ ବିରୋଧିଦଳ ଯେଭଳି ଦୂରେଇ ଯାଉଛନ୍ତି ସେଥିରୁ ସେମାନେ ଲୋକଙ୍କ ସାଙ୍ଗରେ ନଥିବା ପ୍ରତୀୟମାନ ହେବା ସ୍ୱାଭାବିକ ।

ବିଜେପିର ରାଜନୈତିକ ନୀତି ନିର୍ଦ୍ଧାରକମାନେ ସାଧାରଣ ଲୋକଙ୍କର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ, ଜନସମସ୍ୟା ସମ୍ବଳିତ ପ୍ରସଙ୍ଗକୁ ହାଲୁକା ଭାବରେ ନେବା ଘଟଣା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିବା ବେଳେ କଂଗ୍ରେସର ନୀରବତା ଉପରେ ମଧ୍ୟ ଉଠିଛି ପ୍ରଶ୍ନ । ଯଦିଓ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ସଭାପତିଙ୍କ ଘର କେନ୍ଦୁଝର ପୌରାଚଂଳରେ ହୋଇଥିବା ବେଳେ ସେ ତାଙ୍କ ରାଜନୈତିକ କ୍ୟାରିୟର ଏହି କେନ୍ଦୁଝର ସହରରୁ ହିଁ ଆରମ୍ଭ କରିଥିଲେ । ଏବଂ କେନ୍ଦୁଝର ଜିଲ୍ଲା ସଭାପତିଙ୍କ ବାସଭବନ ମଧ୍ୟ ଏହି କେନ୍ଦୁଝର ସହରରେ ରହିଛି ।

ଅନୁରୁପ ଭାବେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ଯିଏ କି ଏବେ ବିରୋଧି ଦଳର ମୁଖ୍ୟ ସଚେତକ ଦାୟୀତ୍ୱରେ ରହିଛନ୍ତି, ସେ ମଧ୍ୟ ଏପରି ଏକ ଗୁରୁତ୍ୱପୂର୍ଣର୍ ପ୍ରସଙ୍ଗକୁ ନେଇ କୌଣସି ମତାମତ ବା ପ୍ରତିକ୍ରିୟା ପ୍ରକାଶ ନ କରିବା ନିଶ୍ଚିତଭାବେ ଦୁର୍ଭାଗ୍ୟପୂର୍ଣ୍ଣ । ଜିଲ୍ଲା ରାଜନୀତିରେ ସକ୍ରିୟ ଥିବା ବିଜେପିର ଯୁବ ମୋର୍ଚ୍ଚା ହେଉ ବା କଂଗ୍ରେସର ଯୁବ ସଂଗଠନ ସମସ୍ତେ ଏହି ଘଟଣାରେ ଚୁପ ରହିଥିବା ବେଳେ ମାନସିକ ଭାରାକ୍ରାନ୍ତ ଅବସ୍ଥାରେ ସାଧାରଣ ଲୋକ । ଜିଲ୍ଲାର ଶାସକ ହେଉ ବା ବିରୋଧି ଦଳ ଏପରି ଏକ ଜନବିରୋଧି ଟିକସରେ ମୁହଁ ଖୋଲୁ ନ ଥିବାବେଳେ କେନ୍ଦୁଝର ଯୁବ ପରିଷଦର ଆବାହକ ବରଦା ପ୍ରସନ୍ନ ଦାସ ଓ ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ରୁଦ୍ରନାରାୟଣ ମହାନ୍ତ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ସ୍ୱର ଉତୋଳନ କରିଛନ୍ତି ।

ତେବେ ଗତବର୍ଷ ଏହି ସମୟରେ ପୌରପାଳିକା ତରଫରୁ ଏହି ହୋଲ୍ଡିଂ ଟ୍ୟାକ୍ସ ଡିପୋଜିଟ୍ ଅବଧିକୁ କରୋନା କଟକଣା ପାଇଁ ଅଗଷ୍ଟ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ବେଳେ ଏବେ କଡାଗଣ୍ଡା ଭାବରେ ଆଦାୟ ହୋଇଚାଲିଛି । ଏହି ପ୍ରସଙ୍ଗକୁ ସମସ୍ତ ରାଜନୈତିକ ଦଳ ଅତ୍ୟନ୍ତ ହାଲୁକା ଭାବରେ ନେଇଥିବା ବେଳେ ଲୋକଙ୍କ ପୁଞ୍ଜିଭୁତ ଅସନ୍ତୋଷ ବଢିବାରେ ଲାଗିଛି ।