ମୋ ସ୍କୁଲ ପରେ ମୋ କଲେଜ: ଯୋଡ଼ିହେବେ ପୁରାତନ ଛାତ୍ରଛାତ୍ରୀ

ଭୁବନେଶ୍ୱର: “ମୋ କଲେଜ’ ଅଭିଯାନର ଶୁଭାରମ୍ଭ କରିବା ସହ ପୋର୍ଟାଲ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ “ମୋ କଲେଜ’ ଅଭିଯାନର ଶୁଭାରମ୍ଭ କରିଛନ୍ତି ।”ମୋ କଲେଜ’ ଅଭିଯାନରେ ରାଜ୍ୟର ସମସ୍ତ କଲେଜ ସହ ବିଶ୍ୱବିଦ୍ୟାଳୟ ସାମିଲ୍ ହୋଇଛି । ପାଖାପାଖି ୭୫୫ଟିଶିକ୍ଷାନୁଷ୍ଠାନକୁ “ମୋ କଲେଜ’ ଅଭିଯାନରେ ଯୋଡ଼ାଯାଇଛି ।

“ମୋ ସ୍କୁଲ୍’ ଭଳି “ମୋ କଲେଜ’ ଅଭିଯାନ ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀ ସହାୟତା ଦେଇପାରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଖୁସିବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି- “ମୋ କଲେଜ’ ଅଭିଯାନ ଦ୍ୱାରା ବିଶ୍ୱର ଯେକୌଣସି ସ୍ଥାନରେ ଥିବା ବ୍ୟକ୍ତିବିଶେଷ କଲେଜ ସହ ଯୋଡ଼ି ହୋଇପାରିବେ । “ମୋ ସ୍କୁଲ’ ଭଳି “ମୋ କଲେଜ’ଅଭିଯାନ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ଏହି ଅଭିଯାନ କେବଳ କଲେଜ ଆଲୁମିନା ମଧ୍ୟରେ ସୀମିତ ନୁହେଁ ବରଂ ଏହା ସମସ୍ତଙ୍କ ଲାଗି ଉନ୍ମୁକ୍ତ । ଯେ କେହିବି ଚାହିଁଲେ ଯେ କୌଣସି ଶିକ୍ଷାନୁଷ୍ଠାନ ଲାଗି ଅର୍ଥ ଦେଇପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଉଚ୍ଚଶିକ୍ଷା କ୍ଷେତ୍ରରେ ସରକାର ଅନେକଗୁଡ଼ିଏ ପଦକ୍ଷେପ ନେଇଛନ୍ତି । “ମୋ କଲେଜ’ ଅଭିଯାନ ମାଧ୍ୟମରେ ଆପଣଙ୍କ ସହଯୋଗ ଆପଣ ପଢ଼ିଥିବା କଲେଜକୁ ଆଉ ଏକପାଦ ଆଗକୁ ଆଗେଇନେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସରକାର ପ୍ରତି ଶିକ୍ଷାନୁଷ୍ଠାନକୁ ପ୍ରତିବର୍ଷ ୫୦ହଜାର ଟଙ୍କା “ମୋ କଲେଜ’ ଅଭିଯାନ ପାଇଁ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

କଲେଜ ଉନ୍ନତିକରଣ ପାଇଁ ବ୍ୟକ୍ତିବିଶେଷ ଦେଉଥିବା ଅନୁଦାନର ଦୁଇଗୁଣ ଅର୍ଥ “ମୋ କଲେଜ’ ଅଭିଯାନର ସ୍ଥାୟୀ ପାଙଋିରୁ ଯୋଗାଇ ଦେବେ । “ମୋ କଲେଜ’ ଅଭିଯାନ ଉଚ୍ଚଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ୱାସ ଓ ଉତ୍ସାହ ବଢ଼ାଇବା ସହ ଉଚ୍ଚରୁ ଉଚ୍ଚତମ ଶିଖର ଆହୋରଣ ଲାଗି ସାହାଯ୍ୟ କରିବ ବୋଲି “ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସ ନାୟକ କହିଛନ୍ତି ।

ପୁରାତନ ଛାତ୍ରଛାତ୍ରୀ ଏହି ଅଭିଯାନରେ ସାମିଲ୍ ହେବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି । ୫୧ଟି ସରକାରୀ ମହାବିଦ୍ୟାଳୟ,୫୫୮ଟି ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୩ଟି ବିଶ୍ୱବିଦ୍ୟାଳୟ, ସଂସ୍କୃତି ବିଭାଗରେ ଥିବା ଗୋଟିଏ ବିଶ୍ୱବିଦ୍ୟାଳୟ ଭଳି ୭୫୫ଟି ଶିକ୍ଷାନୁଷ୍ଠାନ “ମୋ କଲେଜ’ ଅଭିଯାନରେ ସାମିଲ୍ କରାଯାଇଛି । ଏହାର ସୁପରିଚାଳନା ଲାଗି ଏକ କମିଟି ଗଠନ କରିଛନ୍ତି ସରକାର । ମିଳିଥିବା ଅନୁଦାନ କଲେଜର ଛାତ୍ରଛାତ୍ରୀଙ୍କ ଲାଗି ବ୍ୟୟ କରାଯିବ ।