କରୋନା ସଂକ୍ରମଣର ନୂଆ ରେକର୍ଡ: ୧୦୦ ଦିନରେ ସର୍ବାଧିକ

-ଦିନକରେ ୩୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ
-ଓଡିଶାରୁ ୮୪ ସଂକ୍ରମିତ

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣର ତଥ୍ୟ ପୁଣିଥରେ ଭୟ ଓ ଆଶଙ୍କାର ବାତାବରଣ ସୃଷ୍ଟି କରିଛି । ଯେଉଁ ହାରରେ ଭାରତରେ କରୋନା ସଂକ୍ରମଣ ବଢିଛି, ତାହା ଗତ ୧୦୦ ଦିନର ରେକର୍ଡ ଭାଙ୍ଗିଛି । ଆଉ ଏହି ସଂକ୍ରମଣ ହାରରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ସାରା ଦେଶରେ ଗୋଟିଏ ଦିନରେ ଯେତିକି ସଂକ୍ରମଣ ହୋଇଛି, ତାର ୬୪ ପ୍ରତିଶତ ସଂକ୍ରମଣ କେବଳ ମହାରାଷ୍ଟ୍ରରେ ହୋଇଛି ।

ଏହାରି ଭିତରେ ଓଡିଶାରେ ୨୪ ଘଣ୍ଟା ମଧ୍ୟରେ ସଂକ୍ରମିତ ହୋଇଛନ୍ତି ୮୪ ଜଣ । ଆଉ ତା’ ଭିତରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି କଟକର କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୧୦୦ ଦିନରେ କରୋନା କଲା ନୂଆ ରେକର୍ଡ । ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣକୁ ଦେଖିଲେ କେବଳ ଭାରତରେ ୩୫ ହଜାର ୮୮୬ ନୂଆ କରୋନା ସଂକ୍ରମିତ ହୋଇଛନ୍ତି । ଯାହାକି ୧୦୨ ଦିନ ଭିତରେ ସର୍ବାଧିକ । ମହାରାଷ୍ଟ୍ରରୁ ୨୩ ହଜାର ୧୭୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହାକି ମୋଟ ସଂକ୍ରମଣର ୬୪ ପ୍ରତିଶତ ।

ଯଦି ଓଡିଶା କଥା ଦେଖିବା ତେବେ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହଠାତ ସଂକ୍ରମଣ ସଂଖ୍ୟା ବଢିବା ଏବଂ କଟକରେ ସଂକ୍ରମିତଙ୍କ ସଂଖ୍ୟା କୋଉଠି ନା କୋଉଠି ପୁଣି ଥରେ କରୋନାକୁ ନେଇ ଭୟ ସୃଷ୍ଟି କରିଛି । ବଡ କଥା ହେଲା, କଟକର ଏକ ଘରୋଇ କଲେଜରେ ୧୨ଜଣ କୋଭିଡ ପଡିଟିଭ ବାହାରିବା ପରେ ଚିନ୍ତା ବଢିଛି । ଏହି ୧୨ ଜଣଙ୍କ ମଧ୍ୟରେ ଛାତ୍ରଛାତ୍ରୀ, ଶିକ୍ଷକ, ଆଡମିନ କର୍ମଚାରୀ । ସମସ୍ତ ପଜିଟିଭ୍ଙ୍କୁ ଏବେ କରୋନା ଗାଇଡ୍ଲାଇନ୍ ଅନୁସାରେ ସଂଗରୋଧରେ ରଖାଯାଇଛି ।

ଆଜି କଲେଜରେ ଥିବା ଅନ୍ୟ ସମସ୍ତ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯାଉଛି । ଯାହାଙ୍କର ରିପୋର୍ଟ ପଜିଟିଭ୍ ଆସିବ ସେମାନଙ୍କୁ ସଂଗରୋଧରେ ରଖାଯିବ । ଅନ୍ୟମାନଙ୍କୁ ଘରକୁ ଯିବାକୁ ଦିଆଯିବ ବୋଲି କୁହାଯାଇଛି । ଗୋଟିଏ ପଟେ ଟିକାକରଣ ପ୍ରକ୍ରିୟା ଆଗେଇ ଚାଲିଥିବା ବେଳେ ଅନ୍ୟପଟେ ସଂକ୍ରମଣ ସଂଖ୍ୟା ବଢିବା କରୋନା ଲେଉଟାଣିର ନୂଆ ଧାରା ସୃଷ୍ଟି କରିଥିବା ଅନୁମାନ କରାଯାଉଛି ।