ସରକାରୀ ଅଫିସରେ କଟକଣା ମଧ୍ୟରେ ନୂଆବର୍ଷ ଉତ୍ସବ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସରକାରୀ ଅଫିସଗୁଡ଼ିକରେ ନୂଆବର୍ଷ ପାଳନ ନେଇ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । କୌଣସି ସ୍ଥାନରେ ଭିଡ଼ ନଜମାଇ ଉଦ୍ଦିଷ୍ଟ ନିୟମାବଳୀକୁ ପାଳନ କରିବା ପାଇଁ ଚେତାବନୀ ଦିଆଯାଇଛି । ଏହାଛଡ଼ା ପରସ୍ପରକୁ ଭେଟି ଶୁଭେଚ୍ଛା ଜଣାଇବା ବଦଳରେ ଇଣ୍ଟରନେଟ୍‌ ତଥା ଭର୍ଚୁଢଆଲ୍‌ ମାଧ୍ୟମରେ ଶୁଭେଚ୍ଛା ଜଣାଇବାକୁ କୁହାଯାଇଛି । ସାଧାରଣ ପ୍ରଶାସନ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ‘ଜାନୁଆରୀ ପହିଲା ଦିନ ଏକାଠି ଗୋଷ୍ଠୀ ହୋଇ ବୁଲିବା ଏବଂ କୌଣସି ସମାବେଶ କରିବା ବାରଣ ହୋଇଛି । ସରକାରୀ କମର୍ଚାରୀମାନେ ସେମାନଙ୍କ ସହକର୍ମୀ ଓ ଉପରିସ୍ଥ ଅଧିକାରୀଙ୍କୁ ଭେଟି ଶୁଭେଚ୍ଛ ଜଣାଇବା ବଦଳରେ ଭର୍ଚୁଆଲ ମାଧ୍ୟମ ବ୍ୟବହାର କରନ୍ତୁ’ । ପୂର୍ବରୁ ସରକାର ଜାରି କରିଥିବା ମାର୍ଗଦର୍ଶିକାକୁ ପାଳନ କରିବାକୁ ଏଠାରେ ସୂଚାଇ ଦିଆଯାଇଛି । ଏହି ମାର୍ଗଦର୍ଶିକା ଆମକୁ କରୋନାର ଭୟକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଛି । ଏଣୁ ଆମକୁ ଏହା ମାନିବାକୁ ହେବ ବୋଲି ଏଥିରେ କୁହାଯାଇଛି । ସେହିପରି ଜାନୁଆରି ମାସରୁ ଟ୍ବିନ୍‌ସିଟିରେ ୭୫% କର୍ମଚାରୀରେ ଚାଲିବ ସରକାରୀ ଅଫିସ । ଭୁବନେଶ୍ବର ଓ କଟକରେ ପ୍ରାୟ ୭୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ । ତେବେ ଶନିବାର ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ ବନ୍ଦ ରହିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା କମିଛି । ତଥାପି କରୋନାର ଭୟ ରହିଛି । ସାରାବିଶ୍ୱରେ କରୋନାର ନୂଆ ଷ୍ଟ୍ରେନ୍‌ର ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ନୂଆବର୍ଷ ପାର୍ଟି ଉପରେ କଟକଣା ଲଗାଯାଇଛି । ନୂଆବର୍ଷ ପୂର୍ବ ରାତିରେ ଓ ପର ଦିନ କୌଣସି ସ୍ଥାନରେ ପାର୍ଟି ଆୟୋଜନ ଉପରେ କଟକଣା ଲଗାଇଥିଲେ ପ୍ରଶାସନ । ସେହିପରି ବିଏମ୍‌ସି ଓ ସିଏମ୍‌ସି ପକ୍ଷରୁ ପାର୍ଟି ଆୟୋଜନ ଉପରେ ରୋକ ଲଗାଇଛି ।